Unknown

 

 

 

 

 

 

 

 

 

ଶ୍ରୀମଦ୍‌ ଭାଗବତ

(ଷଷ୍ଠ ସ୍କନ୍ଧ)

ଜଗନ୍ନାଥ ଦାସ

 

ଷଷ୍ଠ ସ୍କନ୍ଧ

 

ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ

ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋଜୟ ମୁଦୀରୟେତ୍‌

ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଘଂୟତେ ଗିରିଂ

ଯତ୍‌କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ

ନିଗମକଳ୍ପତରୋର୍ଗଳିତଂ ଫଳଂ ଶୁକ ମୁଖାଦମୃତ ଦ୍ରବସଂଯୁତଂ

ପିବତ ଭାଗବତଂ ରସମାଳୟଂ ମୁହୁରହୋ ରସିକା ଭୂବିଭାବୁକାଃ

•••

 

ପ୍ରଥମ ଅଧ୍ୟାୟ

 

ରାଜୋବାଚ

ଶୁକ ଚରଣେ ପ୍ରଣମିତ

ହୋଇ ବୋଲନ୍ତି ପରୀକ୍ଷିତ

ଆଦ୍ୟରେ ଭଗବାନ ବ୍ରହ୍ମା

ଅଷ୍ଟ ଐଶ୍ୱର୍ଯ୍ୟର ଏ ସୀମା

ନିବୃତ୍ତି ମାର୍ଗେ ଯା କହିଲେ

ତା ଯୋଗେଶ୍ୱର ନ ଜାଣିଲେ

ସ୍ତିରୀ ସମୂହେ ସୃଷ୍ଟି ପୁଣ

ପ୍ରକୃତି ସୃଷ୍ଟି ନୋହେ ଗୁଣ

ଯେ ନାନା ଅଧର୍ମ ଲକ୍ଷଣ

ନରକମାନଙ୍କ ବର୍ଣ୍ଣନ

ଆଦି ସ୍ୱାୟମ୍ଭୂ ମନୁଠାରୁ

ବିହିଲେ ଯେତେ ମନ୍ୱନ୍ତରୁ

ହେ ପ୍ରିୟବ୍ରତ ରାଜେଶ୍ୱର

ଉତ୍ତାନପାଦ ରାଜାଙ୍କର

ବଂଶ ଚରିତ ଏହାଙ୍କର

ଦ୍ୱୀପ ବରଷ ମହୀଧର

ନଦୀ ଉଦ୍ୟାନ ସିନ୍ଧୁ ବନ

ପୃଥିବୀ ମଣ୍ଡଳର ସ୍ଥାନ

ଚନ୍ଦ୍ର ତାରକା ଆଦିକରି

ଭାଗ ବିଚାରି ଅନୁସରି

ଏମନ୍ତ ପ୍ରକାରେ ଈଶ୍ୱର

ସର୍ଜିଲେ ଅନେକ ସଂସାର

ନାନା ପ୍ରକାରେ ଯେ ନରକ

ପ୍ରାଣୀ ସଞ୍ଚରନ୍ତି ଅନେକ

ବିଶେଷ କରି ମହାଭାଗ

କହ ଅନୁରାଗେ ମୋ ଆଗ

ଶ୍ରୀ ଶୁକ ଉବାଚ

ମନ ବଚନ ଶରୀରରେ

ଯେ ପ୍ରାଣୀ ପାପ କାର୍ଯ୍ୟ କରେ

ଇହ ଲୋକରେ ଦେହଧରି

ଯେବେ ପ୍ରାୟଶ୍ଚିତ ନ କରି

କି ଅବା ପରମ ଈଶ୍ୱରେ

ପୂଜା ନ କରେ ଭକ୍ତିଭରେ

ଅଥବା ନାମ ସଂକୀର୍ତ୍ତନ

କେବେ ହେଁ ନ କରେ ଯେ ଜନ

ନିଶ୍ଚୟ ଯାତନା ନରକ

ସେ ପ୍ରାଣୀ ଲଭନ୍ତି ଅନେକ

ଏହି ହେତୁରୁ ମୃତ୍ୟୁ ଆଗେ

ସଞ୍ଜତମନା ହୋଇ ବେଗେ

ରୋଗରୁ ଗୁରୁ ଲଘୁପ୍ରାୟ

ପାପକୁ କରିଣ ନିଶ୍ଚୟ

ପ୍ରାୟଶ୍ଚିତ ପାଇଁ ଯତନ

କରିବ ନୋହିବ ବିମନ

ଏହି ପ୍ରକାରେ ସେ ଅନେକ

ଭୋଗର ଦୀକ୍ଷା ସେ ଯେତେକ

ଗୁରୁଙ୍କ ମୁଖୁ ଦୀକ୍ଷା ଜାଣି

ନିଦାନ କଥା ପରିମାଣି

ରାଜୋବାଚ

ପାପ ନରକେ ତମ ପଥେ

ଆଶ୍ୱାସ ଯୁତ ହୃଦଗତେ

ପାପ ଅହିତ ପରିମାଣ

ତଥାପି ବିଷୟରେ ପ୍ରାଣୀ

ପାପରେ ହୋଇ ପ୍ରବର୍ତ୍ତିତ

କିମ୍ପା କରଇ ପ୍ରାୟଶ୍ଚିତ୍ତ

କେବେ ପାପକୁ ନିବର୍ତ୍ତଇ

ପୁଣି ହିଁ ପାପ ଆଚରଇ

ଏଥୁ ଅନ୍ତରେ ପ୍ରାୟଶ୍ଚିତ

ହୁଏ କୁଞ୍ଜର ସ୍ନାନବତ

ଶ୍ରୀ ଶୁକ ଉବାଚ

ପାପାଚରଣ ଅଟେ କର୍ମ

ଚାନ୍ଦ୍ରାୟଣାଦି ମଧ୍ୟ କର୍ମ

କର୍ମରେ କରି କର୍ମମାନ

ନିଗ୍ରହ କରନ୍ତି ଯେ ଜନ

ନୁହନ୍ତି ଆତ୍ୟାନ୍ତିକ ସେହି

ଏହାର ସ୍ୱଭାବଟି ଏହି

ଅଧିକାରୀ ଆଜ୍ଞାରୁ କରି

ପ୍ରାୟଶ୍ଚିତକୁ ସେ ଆଚରି

ସୁପଥ୍ୟ ଗ୍ରାସ ଯେ ନ କରେ

ତାହାକୁ ବ୍ୟାଧି ପୀଡା କରେ

ଏହି ନିୟମ ଯେ କରନ୍ତି

କର୍ମେ କଲ୍ୟାଣ ସେ ଲଭନ୍ତି

ତପସ୍ୟା ଯମ ନିୟମରେ

ଶମ ଦମ ଶୌଚ ତ୍ୟାଗରେ

ସତ୍ୟ ବ୍ରହ୍ମଚର୍ଯ୍ୟ ଦୀକ୍ଷାରେ

ଜ୍ଞାନୀ ଚିନ୍ତନ୍ତି ନିରନ୍ତରେ

ଦେହ ବଚନ ବୁଦ୍ଧି ଘେନି

ଶ୍ରଦ୍ଧା ବିନୟେ ମହାମୁନି

ଯେସନେ ଦହଇ ସକଳ

ବୃକ୍ଷ ଘରଷଣେ ଅନଳ

କେହି କେବଳ ଭକ୍ତି କରି

ଗୋବିନ୍ଦ ନାମ ଯେ ସୁମରି

ଅଶେଷ ଅଘ କରି ନାଶ

ହିମେ ଯେସନେ ରବିତ୍ରାସ

ହେ ରାଜା ଅଘବନ୍ତ ଯେହି

ତପେ ପବିତ୍ର ନୋହେ ସେହି

ଏମନ୍ତ କୃଷ୍ଣର ବିଷୟେ

ପ୍ରାଣେ ଅର୍ପିତ ଯେବା ହୁଏ

ସୁଶୀଳ ସାଧୁ ଯେଉଁ ଜନ

ନାରାୟଣରେ ପରାୟଣ

ତାହାଙ୍କ ପଥେ ଯେଉଁ ଜନ

ଲୋକର କଲ୍ୟାଣ କାରଣ

ରାଜେନ୍ଦ୍ର ଶୁଣ ପରିମାଣି

କୃଷ୍ଣ-ବିମୁଖ ଯେତେ ପ୍ରାଣୀ

ତାହାଙ୍କ ତପେ ଯେତେ ଫଳ

ସକଳ ହୁଅଇ ନିଷ୍ଫଳ

କୃଷ୍ଣର ପାଦପଦ୍ମ ଦୁଇ

ତା ଗୁଣ ଅନୁରୂପେ ହୋଇ

ଯେ ଏକାବେଳେ ବୋଲେ ନାମ

ସ୍ୱପ୍ନେ ସେ ନ ଦେଖଇ ଯମ

ଯା ଦୂତେ ପାଶ ରଜ୍ଜୁଧାରୀ

ନ ଦେଖେ ଚିହ୍ନ ତାହାଙ୍କରି

ଯେ ଇତିହାସ ପୁରାତନ

କହିବା ଶୁଣ ସାବଧାନ

ବିଷ୍ଣୁ ଶମନ ଦୂତଙ୍କର

କହ ଆମ୍ଭଙ୍କୁ ସମାଚାର

କାନ୍ୟକୁବୁଜ ନାମେ ଦେଶ

ଅଜାମିଳର ତହିଁ ବାସ

ଆଶ୍ରମେ ଦ୍ୱିଜ ସେ ବୋଲାଇ

ସ୍ୱଭାବେ ଦାସୀ ପତି ହୋଇ

ସଦାଚାରକୁ ନଷ୍ଟ କରି

ଦାସୀର ସଂସର୍ଗ ଆଚରି

କୈତବ ଚୌର୍ଯ୍ୟ ପଣେ ଥାଇ

କୁତ୍ସିତ କର୍ମ ଆଚରଇ

ଏମନ୍ତେ କେତେ ଦିନ ଗଲା

ତାହାର ପୁତ୍ର ଉପୁଜିଲା

ସେ ନଗ୍ରେ ଥାଇ ଦାସୀପତି

ପୁତ୍ର ପାଳନେ ସଦାମତି

ଅଠାଶୀ ବରଷେ ତାହାର

କାଳ ହୋଇଲା ନୃପବର

ବୃଦ୍ଧ ବୟସେ ତାର ପୁତ୍ର

ହୋଇଲା ଦଶ ପରିମିତ

କନିଷ୍ଠ ପୁତ୍ର ନାରାୟଣ

ପିତାର ଆନନ୍ଦ କାରଣ

ତାହାର ଚିତ୍ତ ତାର ତହିଁ

ଅନ୍ୟତ୍ର କେବେହେଁ ନ ଦେଇ

ବାଳକ ଭାବରେ କୋମଳ

କହଇ ବଚନ ମଞ୍ଜୁଳ

ତାହାର ଲୀଳାମାନ ଦେଖି

ହରଷ କେ ପାରିବ ଲେଖି

ଭୋଜନ ଜଳପାନ ବେଳେ

ନାନାପ୍ରକାରେ ସୁଖ ଭୋଳେ

ବାଳକ ସ୍ନେହବଶ ହୋଇ

ଅଗ୍ରେ ଭୋଜନ ତାରେ ଦେଇ

ମରଣ ନ ଜାଣଇ ମୂଢ଼

ବାଳକ ସ୍ନେହେ ଚିତ୍ତ ଦୃଢ଼

ମରଣ କାଳ ଉପଗତ

ତକ୍ଷଣେ କରି ଚିତ୍ତ ହତ

ବାଳକ ନାମ ନାରାୟଣ

ମତି ନିବେଶିଲା ତକ୍ଷଣ

ଶମନ ଦୂତେ ପାଶ କରେ

ମିଳିଲେ ତାର ସମୀପରେ

ଉଚ୍ଚ ପୁରୁଷ ଭୟଙ୍କର

ବକ୍ର ବଦନ ତାହାଙ୍କର

ଲୋମ ଲମ୍ୱ ସର୍ବ ଶରୀର

ଦେଖି ଅଜାମିଳ କାତର

ଦୂରେ ବାଳକ ସଙ୍ଗେ ମିଳି

ତାହାର ପୁତ୍ର କରେ କେଳି

ଗଭୀର ସ୍ୱନେ ଉଚ୍ଚ କରି

ଡାକିଲା ତାର ନାମ ଧରି

ଜୀବନ ବିକଳେ ତତକ୍ଷଣେ

ଡାକିଲା ପୁତ୍ର ନାରାୟଣେ

ମୋହିତ ଅଜାମିଳ ପୁଣ

ତୁଣ୍ଡେ ଉଚ୍ଚାରି ନାରାୟଣ

ଶୁଣି ସ୍ୱାମୀର ନାମାକୃତ

ଆସି ମିଳିଲେ ବିଷ୍ଣୁ ଦୂତ

ସେ ଅଜାମିଳ ହୃଦୟରୁ

ଜୀବକୁ ଆକର୍ଷଣ କରୁ

ଯମଦୂତଙ୍କୁ ବିଷ୍ଣୁ ଦୂତେ

ବଳେ ନିବାରିଲେ ତୁରିତେ

ବୈବସୁତ ପ୍ରଭୁ ଯାହାର

ସେ ଦୂତମାନଙ୍କ ଉତ୍ତର

ବିଷ୍ଣୁ ଦୂତମାନଙ୍କୁ କହି

ତୁମ୍ଭେ ନିବାର କାହିଁ ପାଇଁ

ଧର୍ମ ରାଜାର ଆଜ୍ଞାମାନ

କିମ୍ପାଇ କରୁଅଛ ଭଗ୍ନ

କାହାର ତୁମ୍ଭେମାନେ ଦୂତ

କାହୁଁ ହେ ଅଇଲ ତ୍ୱରିତ

କିମ୍ପାଇ ଆମ୍ଭଙ୍କୁ ନିଷେଧ

କିବା ଉତ୍ତମ ତୁମ୍ଭେ ସିଦ୍ଧ

କିବା ଦେବତା ତୁମ୍ଭେମାନେ

ଆନନ୍ଦେ ବସ ସନ୍ନିଧାନେ

ତୁମ୍ଭର ଚକ୍ଷୁପଦ୍ମ ଦଳ

ବିରାଜେ କିରୀଟ କୁଣ୍ଡଳ

ଉରେ ଝୁଇଇ ପଦ୍ମମାଳ

ଶୋଭିତ ଏ ପୀତ ଦୁକୂଳ

ସର୍ବେ ନୂତନ ତନୁ ବହ

ଚାରୁ ଚତୁର ଭୁଜେ ଶୋହ

ଶଙ୍ଖ ଚକ୍ର ଗଦା କମଳ

ଏଣୁ ତୁମ୍ଭେ ଶୋଭା ସକଳ

ଧନୁ ଖଡ଼ଗ ତୂଣ ଶର

ଶୋଭା ପାଉଛି ତୁମ୍ଭ କର

ଦିଗମାନଙ୍କର ତିମିର

ଆତ୍ମ କାନ୍ତିରେ କଲ ଦୂର

ଧର୍ମପାଳଙ୍କ ଭୃତ୍ୟ ଅମ୍ଭେ

କିମ୍ପା ନିଷେଧ କର ତୁମ୍ଭେ

ଶ୍ରୀ ଶୁକ ଉବାଚ

ଯମ ଦୂତଙ୍କ କଥାନ୍ତରେ

ବିଷ୍ଣୁ ଦୂତେ ମନ୍ଦ ହାସରେ

ମେଘ-ଗମ୍ଭୀର ସ୍ୱରେ ବାଣୀ

ଯମ ଦୂତଙ୍କ ଆଗେ ଭଣି

ବିଷ୍ଣୁ ଦୂତା ଉଚୁଃ

ତୁମ୍ଭେ ଦୂତେ ବୈବସୁତର

ତାହାଙ୍କ ଆଜ୍ଞା ଯେବେ କର

ଧର୍ମ ଅର୍ଧମର ଲକ୍ଷଣ

ଆମ୍ଭଙ୍କୁ ତତ୍ତ୍ୱ କହ ପୁଣ

ପ୍ରାଣୀ କି କଲେ ଦଣ୍ଡପାଏ

ଦଣ୍ଡର ସ୍ଥାନ କିବା ହୁଏ

ଦଣ୍ଡ୍ୟ ହୁଅନ୍ତି କେଉଁ ନର

କହ ସେଥିର ସମାଚାର

ଯମଦୂତା ଉଚୁଃ

ବେଦ ବିହିତ ଯେତେ କର୍ମ

ସେହି ସଂସାରେ ଅଟେ ଧର୍ମ

ତା ବିନୁ ଅନ୍ୟ କର୍ମ ଯେତେ

ଅଧର୍ମ ବୋଲନ୍ତି ଜଗତେ

ସାକ୍ଷାତେ ଦେବ ନାରାୟଣ

ସ୍ୱାୟମ୍ଭୁ ବୋଲି ପରିମାଣ

ଯେ ଦେବ ଆପଣା ଶକ୍ତିରେ

ସତ୍ତ୍ୱ ରଜ ତମ ଭାବରେ

ଗୁଣ ନାମ କ୍ରିୟା ରୂପରେ

ଯଥା ତଥା ସେ ଭିନ୍ନ କରେ

ସୂର୍ଯ୍ୟାଗ୍ନି ବାୟୁ ସନ୍ଧ୍ୟା କାଳ

ଆକାଶ ସୋମ ଅହଜଳ

ପୃଥିବୀ ରାତ୍ରି ଦିଗମାନ

ଦେହୀ ଧର୍ମର ସାକ୍ଷୀ ଜାଣ

ଅଧର୍ମ ପାରନ୍ତି ଏ ଜାଣି

ଦଣ୍ଡର ସ୍ଥାନଟି ଏ ପୁଣି

କର୍ମ ଆୟତ୍ତ ହୋଇ ଜନ

ଦଣ୍ଡର ହୁଅନ୍ତି ଭାଜନ

ଏ ଘେନି ପାପୀ ପ୍ରାଣୀମାନେ

ଉତ୍ତମ ମଧମରେ ଜନ୍ମେ

ସତ୍କର୍ମ ଯେମାନେ କରନ୍ତି

ସ୍ୱକର୍ମ ଫଳ ସେ ଲଭନ୍ତି

ମନ୍ଦ କରମ ଯୁକ୍ତ ଯେହୁ

ସୁକର୍ମ ଭୁଞ୍ଜିବ ସେ କାହୁଁ

ଧର୍ମ ଅଧର୍ମ ଆଚରଣ

କରନ୍ତି ଯେହୁ ପ୍ରାଣୀ ପୁଣ

ସେ ପ୍ରାଣୀମାତ୍ରେ ଅବନୀରେ

ଫଳାଫଳକୁ ଭୋଗ କରେ

ହେ ଦେବ ଶ୍ରେଷ୍ଠ ତୁମ୍ଭେମାନେ

ସଂସାରେ ପ୍ରାଣୀମାନେ ଯେହ୍ନେ

ତ୍ରିବିଧ ଲକ୍ଷଣ ଲଭନ୍ତି

ଯେ ଯଥା କର୍ମ ଆଚରନ୍ତି

ପୁଣି ବିହିତ ତାହାଙ୍କରି

ପ୍ରାଣୀଙ୍କ ବିଷୟ ବିଚାରି

କାଳର ଏହି ତତ୍ତ୍ୱମାନେ

ଗୁଣର ବନ୍ଧନ କାରଣେ

ତମ ଗୁଣରେ ଯୁକ୍ତ ହୋଇ

ଆଉ ସ୍ୱଧର୍ମ ନ ଜାଣଇ

ସତ୍ତ୍ୱଗୁଣକୁ ନ ଜାଣଇ

ଜନ୍ମ ଅକାରଣେ ନାଶଇ

ବିଧାତା ପଞ୍ଚଭୂତେ ପୁଣ

ସୃଷ୍ଟିକୁ କରଇ ଭିଆଣ

ମହତ ଯହୁଁ ଅହଙ୍କାର

ଏ ଆଦି ଯେତେକ ଆଚାର

ତ୍ରିଗୁଣ ଆଦି ଶକ୍ତି ଯୁକ୍ତେ

ଏହାଙ୍କୁ ଧରି ହୃଦଗତେ

ଏମନ୍ତ ପ୍ରକାରରେ ଦେହୀ

ହରଷେ ଶୋକକୁ ଲଭଇ

ତାଙ୍କ ଗର୍ବ ଆଶ୍ଚର୍ଯ୍ୟ ମତ

କରଇ କର୍ମ ବିପରୀତ

ଦୋଷକାରକ ପ୍ରାୟ ହୋଇ

କର୍ମରେ ଆତ୍ମାକୁ ରଖଇ

ଏ ଅନନ୍ତରେ ପୁଣ ସେହି

ତହିଁ ରହଇ ମୋହ ପାଇ

ସ୍ୱଭାବେ କର୍ମ ବଶ ହୋଇ

ନିରତେ କୁକର୍ମ କରଇ

ଅବ୍ୟକ୍ତ କର୍ମକୁ କରିଣ

କହଇ ଶୁଣ ହେ ରାଜନ

ପ୍ରକୃତି ସଙ୍ଗରୁ ପୁରୁଷ

ସର୍ବ କର୍ମକୁ କରେ ନାଶ

ପୂର୍ବ ବୃତ୍ତାନ୍ତ ଏବେ ଶୁଣ

ବେଦ ସଂପୂର୍ଣ୍ଣ ଯେ ବ୍ରାହ୍ମଣ

ଧର୍ମ ସୁଶୀଳବନ୍ତ ପୁଣ

ସୁସାଧୁ ମହତ ଲକ୍ଷଣ

ମୃଦୁମନ୍ତ୍ରଜ୍ଞ ଶୁଚି ଦାତା

ସତ୍ୟ ବଚନ ଧୃତବ୍ରତା

ଅତିଥି ବୃଦ୍ଧ ଗୁରୁ ଅଗ୍ନି

ସୁସାଧୁ ବୁଦ୍ଧି ଚିତ୍ତେ ଘେନି

ସର୍ବ ଭୂତରେ ମିତ୍ର ପଣ

କୋପ ବର୍ଜିତ ସାଧୁ ଗୁଣ

ଅଶେଷ ପୁଣ୍ୟସ୍ଥାନ ଏହି

ସୁଶୀଳ ବୃତ୍ତିରେ ଜୀଅଁଇ

ପିତୃ ଆଜ୍ଞାରେ ଏ ବ୍ରାହ୍ମଣ

ଏକକାଳେ ବନେ ଗମନ

ପୁଷ୍ପ ସମିଧ ଫଳ କୁଶେ

ଘେନି ଆସଇ ମନ ତୋଷେ

ସ୍ତିରୀ ସହିତେ ବନେ ଥିଲା

କାମୀ ଶୂଦ୍ରାକୁ ଏ ଦେଖିଲା

ମଦ୍ୟ ପାନରେ ରକ୍ତ ନେତ୍ର

ବିହ୍ୱଳ ହୋଇ ଅଛି ଚିତ୍ତ

ନୀବି ଖସିଛି ମତ୍ତ ଭରେ

ଶୂଦ୍ରା ଲଜ୍ଜାକୁ କରି ଦୂରେ

ହାସ୍ୟ ଗାୟନ କ୍ରୀଡା ରସ

ଲୀଳା କରଇ ତାର ପାଶ

ନିଜ ଯୁବତୀ କୁଳ ସ୍ତିରୀ

ସେ ବିପ୍ର ଶୂଦ୍ରା ଦେଖିକରି

ଇନ୍ଦ୍ରିୟ ବଶେ ଅନୁସରି

ମନେ ମୋହିତ ହୋଇ କରି

କନ୍ଦର୍ପେ ଲିପ୍ତ ମନ ହୋଇ

ବାହୁ ଆଲିଙ୍ଗନ କରଇ

ଆପଣା ଆତ୍ମା ସ୍ଥିର କରି

ମନ ସମର୍ଥ ନ ବିଚାରି

ଯେବେ ସେ ସତ୍ୱ ଗୁଣେ ସ୍ଥିତ

କନ୍ଦର୍ପେ ହୋଇଛି ପୀଡିତ

ସ୍ତିରୀ ବିଷୟେ ଅଭିରାମ

କପଟେ ଗୃହେ ହୁଏ କାମ

ଏଣେ ଯନ୍ତ୍ରିତ ମନ ଯାର

ଅଜ୍ଞାନେ କରି କର୍ମ ଦୂର

ପୀନ ଉରଜେ ମନ ହରେ

ସ୍ନେହରେ ସ୍ତିରୀ ବିଷୟରେ

ପତି ତୋଷନ୍ତି ହାସ୍ୟ କରି

ପ୍ରସନ୍ନେ ଏମନ୍ତେ ସୁନ୍ଦରୀ

ନିଜ ଯୁବତୀ କୁଳ ସ୍ଥିତ

ତେଜିଲା ବିପ୍ର ମନ୍ଦ କୃତ୍ୟ

ସ୍ୱୈରିଣୀ ଅପାଙ୍ଗ କୁଣ୍ଠିତ

ବୃଦ୍ଧି ହୋଇଲା ତାର ହତ

ଅଧର୍ମ ବୁଦ୍ଧି ସେ ବ୍ରାହ୍ମଣ

ନିରତେ ବେଶ୍ୟା ପରାୟଣ

ଧର୍ମ ଅଧର୍ମେ ଧନ ଆଣି

ସନ୍ତୋଷେ କରଇ ସ୍ୱୈରିଣୀ

ଯେଉଁ କାରଣୁ ଲଙ୍ଘି ଶାସ୍ତ୍ର

ଶୂଦ୍ରାଣୀ ଋଚି ଅନୁବ୍ରତ

ଗୃହ ସ୍ୱକର୍ମେ ପ୍ରବର୍ତ୍ତିଲା

ପୂର୍ବରୁ ଧର୍ମ ନାଶ ଗଲା

ଏଣୁ ଏ ପାପୀ ଦ୍ୱିଜେ ନେଇ

ଯମର ଛାମୁରେ ଦେବଇଁ

ବୋଇଲେ ଜଗନ୍ନାଥ ଦାସ

ଯମଦୂତେ ବେଗେ ପ୍ରବେଶ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ଅଜାମିଳ ଉପାଖ୍ୟାନେ ବିଷ୍ଣୁ ଦୂତ

ଯମଦୂତ ସମ୍ୱାଦେ ନାମ ପ୍ରଥମୋଽଧ୍ୟାୟଃ ।

•••

 

ଦ୍ୱିତୀୟ ଅଧ୍ୟାୟ

 

ଶୁକ ଉବାଚ

ଏମନ୍ତ ଭଗବତ ଦୂତେ

ଭାଷିତ ହୋଇ ଯମଦୂତେ

ରାଜନ ଶୁଣି ଏ ଅନ୍ତରେ

ତାହାଙ୍କ ବାକ୍ୟ ଅନୁସାରେ

ସକଳ ଧର୍ମ ସେ ଜାଣନ୍ତି

ଯମଦୂତଙ୍କୁ ସେ ବୋଲନ୍ତି

ବିଷ୍ଣୁଦୁତା ଉଚୁଃ

ଏ ତ ଅତ୍ୟନ୍ତ ଅଦଭୂତ

ଦେଖିଲୁ ତୁମ୍ଭର ଚରିତ

ସମଦରଶୀ ସାଧୁଜନେ

ଅଧର୍ମ ଚରିତ କେସନେ

ଅଦଣ୍ଡ ଅପାପୀ ଯେ ପ୍ରାଣୀ

ତାହାଙ୍କୁ ବ୍ୟର୍ଥେ ଦଣ୍ଡ ପୁଣି

ପ୍ରଜାମାନଙ୍କ ପିତା ହୋଇ

ଯେବେ ସେ ପ୍ରଜା ଶାସ୍ତିଦେଇ

ତେବେ ସେ କାହାର ଶରଣ

ହୋଇବ କହ ହେ କାରଣ

ମହତେ ଯାହା ଆଚରିବେ

ଇତର ତାହାହିଁ କରିବେ

ସେ ଯାହା ପ୍ରମାଣ କରିବେ

ଲୋକେ ତଦନୁବର୍ତ୍ତୀ ହେବେ

ଯାହାର ଅଙ୍କେ ଶିର ଦେଇ

ନିଃଶଙ୍କେ ନିଦ୍ରାକୁ ଭଜଇ

ସେ ଧର୍ମାଧର୍ମ ନ ଜାଣଇ

ପଶୁ ଯେସନେ ସୁଖେ ଥାଇ

ମିତ୍ର ସ୍ୱଭାବ ଯାର ହୋଇ

ବିଶ୍ୱାସେ ଆତ୍ମା ସମର୍ପଇ

ବିଶ୍ୱାସେ ସର୍ବ ପ୍ରାଣୀଙ୍କର

ଦୟା ପୂରିତ ଯା ଶରୀର

ବିଶ୍ୱାସୀ ପ୍ରାଣୀଙ୍କୁ କେମନ୍ତେ

ହିଂସା କରନ୍ତି ହୃଦଗତେ

କୋଟି ଜନ୍ମର ଶୁଭଫଳ

କଲା ଏ ଦ୍ୱିଜ ଅଜାମିଳ

ତେଣୁ ଚତୁରାକ୍ଷର ନାମ

ମୁଖେ ବୋଇଲା ନାରାୟଣ

ତେଣୁ ନାଶିଲା ମନ୍ଦକୃତ୍ୟ

ହୋଇଲା ସର୍ବ ପାପୁ ମୁକ୍ତ

ଯେ ବ୍ରହ୍ମହତ୍ୟା ମଦ୍ୟପାନ

ଗୁରୁ ପତ୍ନୀ ଅଭିଗମନ

ମିତ୍ର ବିଷୟେ ଅପରାଧୀ

ସ୍ତିରୀ ରାଜା ପିତୃ ଗୋବଧୀ

ଏ ଆଦି ପାପ ଯେ ଆଚରେ

ସର୍ବ ଦୁରିତ ନିଶ୍ଚେଁ ହରେ

ପ୍ରାଶ୍ଚିତ ସର୍ବ ପ୍ରାଣୀଙ୍କର

ନାମ ଉଚ୍ଚାରଣ ବିଷ୍ଣୁର

ପାପରେ ଗ୍ରସ୍ତ ସେ ନୁହନ୍ତି

ବିଷ୍ଣୁ ଭୁବନକୁ ଗମନ୍ତି

ଏଣୁ ଏହାକୁ ତୁମ୍ଭେମାନେ

ତେଜିଣ ଯାଅ ହେ ଭୁବନେ

ଏହାର ଯେତେ ପାପମାନ

ବସିଣ କଲା ସେ ଦହନ

ଏଣୁ ଏ ଦ୍ୱିଜ ଅଜାମିଳ

ନିକଟେ ମରଣର କାଳ

ତୁଣ୍ଡେ ଉଚ୍ଚାରି ନାରାୟଣ

ପ୍ରାଣ ଛାଡ଼ିଲା ତତକ୍ଷଣ

ସଙ୍କେତ ପରିହାସ ବେଳେ

ଗୀତାଳାପରେ ଯେବା ହେଳେ

ବୈକୁଣ୍ଠ ନାମ ଉଚ୍ଚାରଇ

ତାର କଳୁଷ ନ ରହଇ

ପତନ ସ୍ପଳନ ଭଗ୍ନରେ

ନାନା ପ୍ରକାରେ ସେ ସୁମରେ

ତୁଣ୍ଡେ ଉଚ୍ଚାରି ହରି ନାମ

ତାହାକୁ ନ ଦଣ୍ଡଇ ଯମ

ଅଳ୍ପ ବହୁତ ପାପମାନ

ପ୍ରାୟଶ୍ଚିତରେ ଯଥାକ୍ରମ

ପାପରୁ ଲଘୁ ଗୁରୁ ଜାଣି

ମୁନି କହନ୍ତି ପରିମାଣି

ତପସ୍ୟା ଆଦି ଯଜ୍ଞ ସ୍ଥାନେ

ପାପ ନାଶନ୍ତି ମୁନି ଜନେ

ତାହାଙ୍କ ହୃଦେ ପାପ ନାହିଁ

ପାଦ ପଙ୍କଜ ନିତ୍ୟେ ଧ୍ୟାୟି

ଜ୍ଞାନ ଅଜ୍ଞାନ ଯେହୁ ପ୍ରାଣୀ

ସ୍ମରଣେ କରେ ଚକ୍ରପାଣି

ନାମ କରନ୍ତି ସଂକୀର୍ତ୍ତନ

ପାପକୁ କରନ୍ତି ଦହନ

ଯେସନେ ବହୁ କାଷ୍ଠରାଶି

ଅନଳ ପ୍ରବେଶେ ବିନାଶି

ଯେମନ୍ତେ ରୋଗ ବଳବନ୍ତ

ଶରୀରେ ହୋଇ ଉପଗତ

ତେବେ ସେ ଆତ୍ମା ଗୁଣେ ତାର

ସେ କି ନ କରେ ଉପକାର

ଶ୍ରୀ ଶୁକ ଉବାଚ

ବିଷ୍ଣୁ ଦୂତଙ୍କ ଧର୍ମବାଣୀ

କୃତାନ୍ତ ଦୂତମାନେ ଶୁଣି

ଅଜାମିଳକୁ ପାଶୁ ଫେଇ

ମୃତ୍ୟୁରୁ ଦେଲେ ବାହୁଡାଇ

ଯମର ଦୂତମାନେ ଗଲେ

ଏ ସର୍ବ ଯମକୁ କହିଲେ

ପାପରୁ ମୁକ୍ତ ଅଜାମିଳ

ଦେହ ଲଭିଲା ତତକାଳ

ବିନାଶ ସର୍ବ ଭୟ ତାର

ଶିରରେ ଦେଇ ବେନିକର

ବିଷ୍ଣୁଦୂତଙ୍କୁ ନମସ୍କାର

ଉଲ୍ଲାସ ହୋଇଛି ମନର

ପ୍ରସନ୍ନ ମୁଖ ଦେଖି ତାର

ଜାଣିଲେ ବିଷ୍ଣୁଙ୍କ କିଙ୍କର

ତକ୍ଷଣେ ହୋଇ ଅନ୍ତର୍ଦ୍ଧାନ

ତାହାର ନିକଟୁ ରାଜନ

ଏଥୁ ଅନ୍ତରେ ବିପ୍ର ଶୁଣି

ବିଷ୍ଣୁ ଯମଦୂତଙ୍କ ବାଣୀ

ଧର୍ମ ଭାଗବତର ଶୁଦ୍ଧ

ଗୁଣର ଆଶ୍ରୟ ତ୍ରିବିଧ

ତକ୍ଷଣେ ଚରଣାର ବିନ୍ଦେ

ଭକ୍ତି ଲଭିଲା ଅପ୍ରମାଦେ

ହରି ଚରିତ ଉଚ୍ଚାରଣେ

ପବିତ୍ର ଶୁଭ ସୁମରଣେ

ସନ୍ତାପମାନ ତାର ଗଲା

ଯେ କ୍ଷଣେ ବିଷ୍ଣୁ ସୁମରିଲା

ଆହା ମୋହର ବଡ କଷ୍ଟ

ଅଜିତ ଇନ୍ଦ୍ରିୟେ ମୁଁ ନଷ୍ଟ

ସୁକର୍ମ କଲି ମୋର କ୍ଷୀଣ

ଯେଣୁ ବୃଷଳୀକୁ ଗମନ

ଅଧର୍ମ ଆଚରଣ କରି

କାଟିଲି ଦିବସ ଶର୍ବରୀ

ଧିକ ମୋହର ମନ୍ଦକୃତ୍ୟ

କୁଳରେ କଳଙ୍କ ବିଦିତ

ତେଜିଣ ନିଜ ପତ୍ନୀ ସତୀ

ରମିଲି ମେଳେଛ ଅସତୀ

ବୃଦ୍ଧ ଅନାଥ ପିତାମାତ

ମୋର ବିହୁନେ ଅରକ୍ଷିତ

ତପସ୍ୱୀରୂପେ ଥାନ୍ତି ବନେ

ତାହାଙ୍କୁ ତେଜି ଅକାରଣେ

ବିଧି ବିଯୋଗ ଯେତେ କର୍ମ

ଲଭିବି ନରକ ଦାରୁଣ

ଧର୍ମ ହ୍ରିଂସକ ପ୍ରାଣୀ ଯେହି

ଯମ ଯାତନା ଲଭେ ସେହି

କି ଏ ସ୍ୱପନେ ଅଦଭୂତେ

ଯେସନେ ଦେଖିଲି ସାକ୍ଷାତେ

ପାଶ ଦଉଡି ହସ୍ତେ କରି

ଯେ ମୋତେ ନେଉଥିଲେ ଧରି

ତେଣୁ ଆଶ୍ଚର୍ଯ୍ୟ ବଡ ପଣେ

କ୍ଷଣକେ ଚାଲିଗଲେ କେଣେ

ଏ ଅନ୍ତେ ସିଦ୍ଧ ଚାରି ଜଣ

ତାଙ୍କର ରୂପ ମନୋରମ

ପାଶେ ବନ୍ଧନ ମୋତେ କରି

ନିଅନ୍ତେ ଅଧୋଭୂମି ଧରି

ଛଡାଇ ଦେଲେ ଏହିକ୍ଷଣି

କ୍ଷଣକେ ଗଲେ କାହିଁ ପୁଣି

ଏ ଅନନ୍ତରେ ସାଧୁଜନ

ମୋହର ଦେଲେ ଦରଶନ

ଏଣେ ହୋଇଲା ଶୁଭ ଫଳ

ଯେ ନାମ ପରମ ମଙ୍ଗଳ

ଅଶୁଚି ଦାସୀପତି ମୁହିଁ

ମୋ ତହୁଁ ପାପୀ ଅଛି କାହିଁ

ମୋହର ମରଣର କାଳେ

ନାମ କୀର୍ତ୍ତନ ଅବହେଳେ

ଜିହ୍ୱା ମୋ କେମନ୍ତେ ବୋଇଲା

କଳ୍ପତରୁ କି ଦୟାକଲା

ମୁଁ କାହିଁ ଧୂର୍ତ୍ତ ପାପୀବର

ବିପ୍ର କୁଳର ଲଜ୍ଜା କର

ବୈକୁଣ୍ଠ ନାମ ଉଚ୍ଚାରଣ

ସେ ନାମ ପରମ କାରଣ

କେମନ୍ତେ କରିବଇଁ ମୁହିଁ

ଇନ୍ଦ୍ରିୟ କ୍ଷେତ୍ରେ ମୁଁ ଅଛଇ

ଏମନ୍ତ ମାୟାଭାବ ଛାଡି

ବ୍ରହ୍ମ ଭାବରେ ଦେହ ବୁଡି

ମୋଚନ କରି ଏ ବନ୍ଧନ

ଅବିଦ୍ୟା କାମେ ଯାର ମନ

ସର୍ବ ଭୂତରେ ଶାନ୍ତି ହୋଇ

ଦୟା ବହିବି ଚିତ୍ତେ ମୁହିଁ

ସେ ମାୟା ଗ୍ରସ୍ଥ ମୋର ମନ

ନିଶ୍ଚୟ କରିବି ମୋଚନ

ଯେଉଁ ମାୟାରେ ମୋହ ମୁହିଁ

କ୍ରୀଡା କୁରଙ୍ଗପ୍ରାୟ ହୋଇ

ଦେହ ସମ୍ପଦ ମୋର ଯେତେ

ଅଛଇ ଦମ୍ଭ ଅବିରତେ

ଏହାଙ୍କୁ ତେଜି ଶୁଦ୍ଧ ମନ

କୃଷ୍ଣ ଚରଣେ ହେଉ ଲୀନ

ଏମନ୍ତେ ହ୍ୱନ୍ତେ ଶୁଦ୍ଧ ଜ୍ଞାନ

ତେଣୁ ସେ ସାଧୁ ଦରଶନ

ତେଜି ସେ ସକଳ ବନ୍ଧନ

ଗଙ୍ଗା ଗମନେ ତାର ମନ

ଶ୍ରୀ ଶୁକ ଉବାଚ

ଦେବ ସଦନେ ବିପ୍ର ଯାଇ

ନିଶ୍ଚଳ ମନେ ଯୋଗଧ୍ୟାଇ

ଇନ୍ଦ୍ରିୟ ନିଗ୍ରହ କରିଣ

ବ୍ରହ୍ମେ ନିବେଶି ସ୍ଥିର ମନ

ସକଳ ଦ୍ୱନ୍ଦ୍ୱ ପରିହରି

ସମାଧି ଆତ୍ମଯୋଗ କରି

ପରମ ବ୍ରହ୍ମେ ମନ ଦେଲା

ମନକୁ ତହିଁ ନିବେଶିଲା

ବ୍ରହ୍ମ ଭଜନେ ମନ ସ୍ଥିର

ଦେଖିଲା ବିଷ୍ଣୁଙ୍କ ପୟର

ପୂର୍ବେ ଯେ ରୂପ ଦେଖିଥିଲା

ପୁଣି ଦେଖନ୍ତେ ପ୍ରଣମିଲା

ଗଙ୍ଗାକୁ ଦେଖି ଦ୍ୱିଜବର

ଛାଡ଼ିଲା ନିଜ କଳେବର

ତକ୍ଷଣେ ବିଷ୍ଣୁ ଦୂତ ପ୍ରାୟ

ହୋଇଲା ତାର ନିଜ କାୟ

ବିଷୟ କ୍ଲେଶ ତା ଖଣ୍ଡନ

ବେଷ୍ଟିତ ହୋଇ ବିଷ୍ଣୁଗଣ

ହେମ ବିମାନ ଆରୋହିଲା

ତକ୍ଷଣେ ବୈକୁଣ୍ଠକୁ ଗଲା

ଦାସୀର ପତି ଗତି କର୍ମ

ନଷ୍ପଳ ତାର ନିଜ ଧର୍ମ

ବ୍ରତ ବିହୀନ ଯେଉଁ ନର

ନରକେ ପଡେ ତା ଶରୀର

ଈଶ୍ୱର ନାମ ଗ୍ରହଣରୁ

ତତ୍କାଳେ ମୁକ୍ତି ନରକରୁ

ମୋକ୍ଷ ବାଞ୍ଛିତ ନରଙ୍କର

ତୀର୍ଥ ସେବନ ଶ୍ରେଷ୍ଠ ବର

କର୍ମ ବନ୍ଧନରେ ଛେଦନ

ଏହାର ସମ ନାହିଁ ଆନ

ଯେ ଜନ ରଜ-ତମେ ଥାଇ

କର୍ମେ ମଳିନ ନିତ୍ୟେ ହୋଇ

ସେ ପ୍ରାଣୀ ନାରାୟଣ ନାମ

ଅଶେଷ ପାପର ଖଣ୍ଡନ

ଶୁଣଇ ଶ୍ରଦ୍ଧାଯୁକ୍ତ ହୋଇ

ବଦନେ କୀର୍ତ୍ତନ କରଇ

ସେ ପ୍ରାଣୀ ନରକେ ନ ଯାଇ

ଯମ ଯାତନା ତାକୁ ନାହିଁ

ଏଣେ ନିର୍ମଳ ପ୍ରାଣୀ ହୋଇ

ନିଶ୍ଚିନ୍ତେ ବିଷ୍ଣୁ ଲୋକେ ଯାଇ

ମରଣ କାଳେ ଅଜାମିଳ

ପୁତ୍ର ଭାବରେ ଆଦିମୂଳ

ନାମକୁ ଆକୁଳେ ଉଚ୍ଚାରି

ଭବ ସାଗରୁ ହେଲା ପାରି

ସର୍ବ ଦୁଷ୍କୃତ ତାର ଗଲା

ପରମ ପଦ ସେ ଲଭିଲା

ଶ୍ରଦ୍ଧାରେ ହରି ସ୍ମରେ ଯେବା

ତାହାର କଥା କି କହିବା

ଶ୍ରୀକୃଷ୍ଣ ନାମର ମହିମା

ଶୁକ କହିଲେ ତାର ସୀମା

ବୋଇଲେ ଦାସ ଜଗନ୍ନାଥ

ଷଷ୍ଠ ସ୍କନ୍ଧରେ ଭାଗବତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ଅଜାମିଳ ବ୍ରାହ୍ମଣ ଉପାଖ୍ୟାନେ

ଶ୍ରୀକୃଷ୍ଣ ମହିମା ବର୍ଣ୍ଣନେ ନାମ ଦ୍ୱିତୀୟୋଽଧ୍ୟାୟଃ ।

•••

 

ତୃତୀୟ ଅଧ୍ୟାୟ

 

ରାଜୋବାଚ

ଆପଣା ଦୂତ ବାକ୍ୟ ଶୁଣି

କି କି ବୋଇଲେ ଦଣ୍ଡପାଣି

ଯମ ରାଜାର ଆଜ୍ଞା ହତ

ତେଣୁ ହୋଇଲା ବିପରୀତ

ବିଷ୍ଣୁ ଦୂତରେ ଯମଦୂତ

ଯେଣୁ ହୋଇଲେ ପରାଜିତ

ଯାହାର ବଶ ସର୍ବଜନେ

ଏ ଯେ ପବିତ୍ର ମୋର ମନେ

ଯମର ଦଣ୍ଡ ଭଗ୍ନ କଥା

ପୂର୍ବରୁ ଶୁଣିଲା ନାହିଁ ତା

ଏ ତ ସଂସାରେ ଅଦଭୂତ

ଭୋ ମୁନି କହିବା ତଦନ୍ତ

ତୁମ୍ଭର ତହୁଁ ଅନ୍ୟ କେହି

ସଂଶୟ ଛେଦି ମୋର ନାହିଁ

ଶ୍ରୀ ଶୁକ ଉବାଚ

ବିଷ୍ଣୁ ଦୂତରେ ଯମଦୂତ

ଯେଣୁ ହୋଇଲେ ପରାଜିତ

ଯମର ଛାମୁରେ ଚଳିଲେ

ସକଳ ବାରତା କହିଲେ

ଯମଦୂତା ଉଚୁଃ

ସଂସାରେ ଜନ୍ମିଛନ୍ତି ଯେତେ

ଏହାଙ୍କ ଶାସ୍ତି ଅବା କେତେ

ତ୍ରବିଧ କର୍ମ ଯେ କରନ୍ତି

ସଂସାରେ ଫଳ ସେ ଲଭନ୍ତି

ତେବେ ଅଖିଳ ଲୋକଙ୍କର

ଦଣ୍ଡ କରନ୍ତି ଯେ ଅପାର

ତାହାର ମୃତ୍ୟୁ ଜାଣ ନାହିଁ

ଅମୋକ୍ଷ ଅଛି ଅବା କାହିଁ

କର୍ମର ବଶ ହୁଏ ଜନ୍ତୁ

ଶାସ୍ତି ଲଭନ୍ତି କର୍ମ ହେତୁ

ଯେଣୁ ଏ ଶାସ୍ତି ଏକ ଜାଣ

ତେଣୁ ଏ ଦୁଷ୍ଟ ଶାସ୍ତିମାନ

ଏହି ଅଶେଷ ଜନ୍ତୁଙ୍କର

ତୁମ୍ଭେ ଯେ ଶାସ୍ତି ଦଣ୍ଡଧର

ଈଶ୍ୱରମାନଙ୍କ ଈଶ୍ୱର

ଶୁଭ ଅଶୁଭର ଠାକୁର

ତୁମ୍ଭର ତାପ ଏବେ ନାହିଁ

ପାପିଷ୍ଠ ଲୋକହିଁ ତରଇ

ଅଦ୍ଭୁତ ସିଦ୍ଧ ଚାରିଜଣ

ତୁମ୍ଭଙ୍କୁ କଲେ ଅବଜ୍ଞାନ

ତୁମ୍ଭେ ଆଦେଶ ଘେନି ଶିରେ

ଆମ୍ଭେ ଯେ ଆଣୁଥିଲୁ ତାରେ

ଯାତନା ଗୃହକୁ ଆଣନ୍ତେ

ମୋଚନ କରିଣ ତୁରିତେ

ପାଶକୁ ଛେଦିଲେ ପ୍ରତ୍ୟକ୍ଷେ

ସେମାନେ ଗଲେ ଅନ୍ତରୀକ୍ଷେ

ତାହାଙ୍କୁ ଜାଣିବାର ପାଇଁ

ଇଚ୍ଛା କରିଛୁ ଦଣ୍ଡ ସାଇଁ

ଶୁଣିବା କ୍ଷମା ଯେବେ ଅଛି

ଏ କଥା କହ ପ୍ରଭୁ କିଛି

ଯେ କ୍ଷଣେ ପାପୀ ଦୁଷ୍ଟଜନ

ଉଚ୍ଚାରି ଥିଲା ନାରାୟଣ

ଭୟ ନ କର ହୋ ବୋଇଲେ

ତକ୍ଷଣେ ଆସି ସେ ମିଳିଲେ

ଶ୍ରୀ ଶୁକ ଉବାଚ

ଦୂତଙ୍କ ବାକ୍ୟ ଶୁଣି ଯମ

ଆନନ୍ଦେ ହରଷ ବଦନ

ଶ୍ରୀକୃଷ୍ଣ ଅଭୟ ଚରଣ

ତକ୍ଷଣେ କରି ସୁମରଣ

ଅତ୍ୟନ୍ତ ପ୍ରୀତି ହୋଇ ମନେ

ବୋଲନ୍ତି ଶୁଣ ଭୃତ୍ୟଜନେ

ଯମ ଉବାଚ

ମୋ ତହୁଁ ଅଛି ଶ୍ରେଷ୍ଠ ଶୁଣ

ଜଗତ ଯାହାର ଭିଆଣ

କାର୍ପାସୁ ଯେହ୍ନେ ବସ୍ତ୍ର ହୋଇ

ବିଶ୍ୱ ତେମନ୍ତ ତାର ତହିଁ

ଯାହାର ଅଂଶରୁ ଜଗତ

ଜନ୍ମ ପାଳନ ପୁନର୍ହତ

ଯାହାର ନାମ ତତ୍ତ୍ୱ ଗୁଣ

ବନ୍ଧନ କରେ ପ୍ରାଣୀ ମନ

କେଣିକି ଯାଇ ନ ପାରଇ

ରଜ୍ଜୁରେ ଯେହ୍ନେ ଗୋରୁ ଥାଇ

ନିୟମ ଡ଼ୋରେ ତାହାଙ୍କର

ବନ୍ଧା ହୋଇଛି ଚରାଚର

ନାନା କର୍ମରେ ବନ୍ଧା ହୋଇ

ଜଗତ ତାହାକୁ ସେବଇ

ମୁହିଁ ମହେନ୍ଦ୍ର ନଈର୍ଋତ

ବରୁଣ ଆଦି ଯେ ଦିଗନ୍ତ

ସୋମ ଅନଳ ମହେଶ୍ୱର

ପବନ ବ୍ରହ୍ମା ଦିବାକର

ଏ ଆଦି ବିଶ୍ୱାବସୁ ଯେତେ

ରୁଦ୍ରଗଣଙ୍କର ସହିତେ

ସିଦ୍ଧ କିନ୍ନର ଆଦିକରି

ଯେତେ ସଂସାରେ ଅଧିକାରୀ

ସଂସାରେ କର୍ତ୍ତା ଅଛି ଯେତେ

ଭୃଗୁ ଆଦି ଦେବ ସହିତେ

ଏ ଆଦି ଯେତେକ କହିଲୁ

ତାହାର ମାୟା ନ ଜାଣିଲୁ

କେବା ଜାଣିବ ତା ମହିମା

ପ୍ରଭୁର ନାମ ଗୁଣ ସୀମା

ଚକ୍ଷୁ ହୃଦୟ ବାକ୍ୟ ମନେ

ଯାକୁ ଚିନ୍ତନ୍ତି ସାଧୁଜନେ

ସର୍ବ ଶରୀର ଆତ୍ମା ରୂପ

ଇନ୍ଦ୍ରିୟଙ୍କର ଯେ ଅମାପ

ଯେ ପ୍ରଭୁ ଆତ୍ମା ତନ୍ତ୍ରେ ଥାଇ

ସଂସାରେ ଚେଷ୍ଟା ଯେ କରଇ

ହେ ଦୂତେ ଶୁଣ ମୋ ଉତ୍ତର

ଯାହାର ରୂପ ଗୁଣ ସାର

ସଂସାରେ ନିର୍ଭୟେ ବିହରେ

ହେଳେ ଅଶେଷ ପ୍ରାଣୀ ତାରେ

ଦେବ ପୂଜିତେ ଯେହୁ ଯୁକ୍ତ

ଅତି ଅଦ୍ଭୁତ ବିଷ୍ଣୁ ଦୂତ

ଭକ୍ତିବନ୍ତ ପ୍ରାଣୀମାନଙ୍କୁ

ଶତ୍ରୁର ଶଙ୍କା ନାହିଁ ତାଙ୍କୁ

ଆମ୍ଭଙ୍କୁ ସଦା ସେ ରଖନ୍ତି

ସର୍ବତ୍ର ଯେ ବିହରୁ ଥାନ୍ତି

ବିଷ୍ଣୁ ଅତିଥି ଯେଉଁ ଧର୍ମ

ଅଜ୍ଞାନ ଦେବ ଋଷିଗଣ

ସିଦ୍ଧ ଅସୁର ଯକ୍ଷଗଣେ

ମନୁଷ୍ୟ ବିଦ୍ୟାଧରମାନେ

ଏ ସର୍ବ ଜାଣିବେ କେମନ୍ତ

ତାହାର ମାୟା ଅପ୍ରମିତ

ସ୍ୱୟୁମ୍ଭୁ ନାରଦ କୁମର

ଶିବ କପିଳ ମନୁବର

ପ୍ରହଲ୍ଲାଦ ଜନକ ଭୀଷ୍ମ

ବଳି ଶୁକ ମୁନି ଦ୍ୱାଦଶ

ହେ ଦୂତେ ଶୁଣ ମୋର ବାଣୀ

ବିଷ୍ଣୁ ଭକତ ଏତେ ପ୍ରାଣୀ

ଗୁପତ ବିଶୁଦ୍ଧ ଦୁର୍ବୋଧ

ଏ ଧର୍ମ ଜାଣି ମୃତ୍ୟୁଚ୍ଛେଦ

କୃଷ୍ଣ ଚରଣେ ଯାର ମନ

ସଂସାରେ ଶ୍ରେଷ୍ଠ ସେହି ଜନ

ନାମ ଉଚ୍ଚାରନ୍ତି ଯେ ବାରେ

ଭକତ ବୋଲି କହି ତାରେ

ଭାଗବତ ଯେ ବିଷ୍ଣୁ ବାଣୀ

ପରମଧର୍ମେ ପରିମାଣି

ହେ ଦୂତେ ଈଶ୍ୱରଙ୍କ ନାମ

ମାହାତ୍ମ୍ୟ ଦେଖ ଉଚ୍ଚାରିଣ

ଅଜାମିଳ ଯେ ସେ ନାମରୁ

ମୁକ୍ତ ହେଲା ମୃତ୍ୟୁ ପାଶରୁ

ବିଷ୍ଣୁର ନାମ ସଂକୀର୍ତ୍ତନ

ପ୍ରାଣୀର ପାପ ବିମୋଚନ

ତକ୍ଷଣେ ନିକଟେ ମରଣ

ପୁତ୍ରର ନାମ ନାରାୟଣ

ଉଚ୍ଚାର କଲା ଅଜାମିଳ

ମୁକ୍ତି ଳଭିଲା ତତକାଳ

ନାମ ମହିମା ନ ଜାଣନ୍ତି

ବିଷ୍ଣୁ ମାୟାରେ ମୋହି ହୋନ୍ତି

ଯଜ୍ଞାଦି କରି ଜଡ଼ମତି

ନାନା କର୍ମରେ ପ୍ରବର୍ତ୍ତନ୍ତି

ଏମନ୍ତ ଯେ ଜାଣି ପଣ୍ଡିତେ

କୃଷ୍ଣ ସ୍ମରନ୍ତି ଅବିରତ

ତାହାଙ୍କୁ ମୋର ଦଣ୍ଡ ନାହିଁ

ପାତକ ଯେତେ ତାଙ୍କୁ ଥାଇ

ସକଳ ପାପ ହୁଏ ଭଙ୍ଗ

ଯେବେ ସେ ଈଶ୍ୱରରସଙ୍ଗ

ସମ ଦରଶୀ ସାଧୁଜନ

ଯେସନେ ବିଷ୍ଣୁ ନାରାୟଣ

ଦେବତା ସିଦ୍ଧି ତାହାଙ୍କର

ଯଶ କରନ୍ତି ସେ ବିସ୍ତାର

ପରମ ଈଶ୍ୱର ପାଦରେ

ରକ୍ଷିତ ହୋଇ ସେହୁ ନରେ

ତାହାର ଦଣ୍ଡରେ ମୋହର

କେବେହେଁ ନାହିଁ ଅଧିକାର

ମୁକୁନ୍ଦ ଚରଣାରବିନ୍ଦ

ନିତ୍ୟ ସ୍ରବଇ ମକରନ୍ଦ

ତହୁଁ ବିମୁଖେ ଯେତେ ଜନ

ତାହାଙ୍କୁ କରାଇ ବନ୍ଧନ

ତାହାଙ୍କୁ ଆଣି ମୋ ଅଗ୍ରତେ

ଯାତନା ଦିଅ ଅବିରତ

ନିର୍ଲ୍ଲୋଭ ଯେ ପରମ ହଂସ

ତା ସଙ୍ଗେ ନ କରି ଜିଘାଂସ

ଗୃହ ବନ୍ଧନେ ମନ ଦେଇ

ନିତ୍ୟେ ଅସାଧୁ ପଣେ ଥାଇ

ଜିହ୍ୱାକୁ ନ ଆସଇ ନାମ

ନ ଚିନ୍ତେ ଅଭୟ ଚରଣ

କୃଷ୍ଣର ପାଦେ ଶିର ଦେଇ

କେଭେହେଁ ସ୍ତୁତି ନ କରଇ

ବିଷ୍ଣୁର କର୍ମରେ ବର୍ଦ୍ଧିତ

ନିରତେ କୁସଙ୍ଗେ ପ୍ରାପତ

ଏମନ୍ତ ଭାବେ ଯେତେ ପ୍ରାଣୀ

ଯାତନା ଦିଅ ତାଙ୍କୁ ଆଣି

ମୋର ଦୂତର ଅପରାଧ

କ୍ଷମା କରନ୍ତୁ ପଦ୍ମନାଭ

ଭକତ ପୁରୁଷ ପୁରାଣ

କ୍ଷମା କରିବେ ନାରାୟଣ

ପଣ୍ଡିତେ ଯାର ପଦ୍ମପାଦେ

ସେବନ୍ତି ନିତ୍ୟ ଅପ୍ରମାଦେ

ତାହାଙ୍କୁ ମୋର ନମସ୍କାର

ଦୋଷକୁ କ୍ଷମା କର ମୋର

ଶ୍ରୀ ଶୁକ ଉବାଚ

ଏଣୁ ସେ ବିଷ୍ଣୁ ସଂକୀର୍ତ୍ତନ

ଜଗତେ ମଙ୍ଗଳ କାରଣ

ମହତ ଲୋକମାନଙ୍କର

ଏକାନ୍ତ ଭକ୍ତି ନୃପବର

ଈଶ୍ୱର ଉଦନ୍ତ ଚରିତ

ଶୁଣି ଗାବନ୍ତି ଅବିରତ

ଶ୍ରୀକୃଷ୍ଣ ପାଦ ପଙ୍କଜରେ

ଯେ ଜନ ମନ ସ୍ଥିର କରେ

ସେ ପ୍ରାଣୀ ମାୟା ବନ୍ଧ ମୋହେ

ନ ପଡେ ଯାତନା ସମୂହେ

ଯେ ଜନ ଲୋଭ ମୋହେ ପଡି

ରଜ ତମରେ ଥାନ୍ତି ଜଡ଼ି

ତାହାର ପୁନଃ ପୁନଃ ହୋଇ

ରଜ ତାମସ ଉପୁଜଇ

ଏମନ୍ତ ଯମ ବାକ୍ୟ ଶୁଣି

ବିସ୍ମୟ ମନେ ପରିମାଣି

ଯମ କିଙ୍କର ଭୟ ଚିତ୍ତ

ବୋଲନ୍ତି ଏ କି ବିପରୀତ

ଅଚ୍ୟୁତ ଆଶ୍ରେ ଯେତେ ଜନ

ତାହାଙ୍କୁ ଭୟ କରେ ଯମ

ସେ ଦିନଠାରୁ ହେ ରାଜନ

ଦେଖିଲେ ଭୟେ ହ୍ୱନ୍ତି ଛନ୍ନ

ମଳୟଗିରି ତଟେ ବସି

ହରି ଚରିତ ପରଶଂସି

କହିଲେ କୁମ୍ଭଜନ୍ମ ଋଷି

ଶ୍ରୀକୃଷ୍ଣ ମହିମା ପ୍ରକାଶି

ଦାସ ଜଗନ୍ନାଥ କହଇ

କୃଷ୍ଣ ମହିମା ଯମ କହି

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ଶ୍ରୀକୃଷ୍ଣ ମହିମା ଯମ ବର୍ଣ୍ଣନେ

ନାମ ତୃତୀୟାଽଧ୍ୟାୟଃ

•••

 

ଚତୁର୍ଥ ଅଧ୍ୟାୟ

 

ରାଜୋବାଚ

ଦେବ ଅସୁର ନରନାଗ

ତୁମ୍ଭେ କହିଲ ମହାଭାଗ

ମୃଗ ପକ୍ଷୀଙ୍କ ସୃଷ୍ଟି ଯେତେ

କହିଲ ମୋହର ଅଗ୍ରତେ

ଯେତେ ସ୍ୱାୟମ୍ଭୂ ମନ୍ୱନ୍ତରେ

ଦୟାରେ ବିସ୍ତାରିଲ ମୋରେ

ସେ ମନ୍ୱନ୍ତରେ ଭଗବାନ

ଯେ ଅନ୍ୟ ସଂସାରେ ଭିଆଣ

ଯେମନ୍ତେ ଆତ୍ମଶକ୍ତି ଘେନି

ସର୍ଜ୍ଜିଲେ ପ୍ରଭୁ ଅନ୍ତର୍ଯ୍ୟାମୀ

ସେ କଥା ଶୁଣିବାକୁ ମୋର

ଶ୍ରଦ୍ଧା ବଳିଲା ମୁନିବର

ସୂତ ଉବାଚ

ରାଜାର ପ୍ରଶ୍ନ ଶୁଣି କର୍ଣ୍ଣେ

ଆନନ୍ଦେ ହରଷ ବଦନେ

ଭୋ ମୁନିଗଣେ ଶୁଣ ତାହା

ପୁର୍ବେ କହିଲେ ଶୁକ ଯାହା

ଶ୍ରୀ ଶୁକ ଉବାଚ

ଯେବେ ପ୍ରଚେତ ସୁତ ଦଶ

ସମୁଦ୍ରୁ ଉଠି ଦଶଦିଶ

ଦେଖିଲେ ବହୁ ଦ୍ରୁମମାନ

ପୃଥିବୀ କଲା ଆଚ୍ଛାଦନ

ବୃକ୍ଷମାନଙ୍କୁ ଦେଖି ଡୋଳେ

ତପେ ଦୀପିତ କ୍ରୋଧାନଳେ

ମୁଖରୁ ବାୟୁ ଅଗ୍ନି ଦୁଇ

ସୃଜିଲେ ବୃକ୍ଷ କ୍ଷୟ ପାଇଁ

ପବନ ଅଗ୍ନିର ସଂଯୋଗେ

ନାଶ ହୋଇଲେ ଯହୁଁ ନଗ୍ରେ

ତା ଦେଖି ଶୁଣ ପରୀକ୍ଷିତ

ଚନ୍ଦ୍ର ହୋଇଲେ ଉପଗତ

କ୍ରୋଧ ସାନ୍ତ୍ୱନା କରିବାରେ

ତାଙ୍କୁ ବୋଇଲେ ସୁଧାକରେ

ଭୋ ସ୍ୱାମୀମାନେ ତୁମ୍ଭେ ଶୁଣ

ବୃକ୍ଷେ ହୋଇଲେ ଅତି କ୍ଷୀଣ

ଦହନ ଆଉ ହେ ନ କର

ତୁମ୍ଭେ ଯେ ପତି ପ୍ରଜାଙ୍କର

ପ୍ରଜାପତିଙ୍କ ପତି ହରି

ଅବ୍ୟୟ ପୁରୁଷ ମୁରାରି

ଔଷଧି ବନସ୍ପତି ଯେତେ

ତାର ସଞ୍ଚିତ ଏ ଜଗତେ

ଚର ଅଚର ଆଦି ଯେତେ

ପଦ ନିଷ୍ପଦର ସହିତେ

ଅହସ୍ତ ହସ୍ତ କେହୁ ବହି

ଦ୍ୱିପଦ ଚତୁଷ୍ପଦ କେହି

ତୁମ୍ଭେ ଏ ସକଳେ ସର୍ଜ୍ଜିବ

ସଂସାରେ ଛନ୍ତି ଯେତେ ଜୀବ

ପ୍ରଜାର ସୃଷ୍ଟି କରିବାରେ

ଯେଣୁ ଅଇଲ ଏ ସଂସାରେ

ଶୁଣିମା ହେଉ ସାବଧାନେ

ଦହନ ନ କର ଏ ବନେ

ନ କର ସଦମାର୍ଗ ଦୂର

କ୍ରୋଧ ଅନଳ ଦୂର କର

ପିତୃ ପିତାମହ ତୁମ୍ଭର

ସେବିତ ପ୍ରପିତାମହର

ବାଳକ ବନ୍ଧୁ ପିତାମାତା

ନୟନ ବନ୍ଧୁ ଲୋମପତା

ସ୍ତିରୀଙ୍କ ବନ୍ଧୁ ସ୍ୱାମୀ ନିଜ

ପ୍ରଜାର ବନ୍ଧୁ ମହାରାଜ

ଭିକ୍ଷୁକ ବନ୍ଧୁ ଗୃହୀଜନ

ଅବନ୍ଧୁ ବନ୍ଧୁ ଶୁଦ୍ଧଜ୍ଞାନ

ଜନ୍ତୁର ହୃଦଗତେ ହରି

ଅଛନ୍ତି ନିଜ ରୂପ ଧରି

ସେ ସର୍ବ ସମାନ ଦେଖଇ

ତାହାର ଶତ୍ରୁ ମିତ୍ର ନାହିଁ

ଅନନ୍ତ ଗୁଣ ବୋଲି ତାରେ

ନିର୍ଭୟେ ବୁଲଇ ସଂସାରେ

ମଙ୍ଗଳ ହୋଇବ ତୁମ୍ଭର

ଶେଷ ଦ୍ରୁମକୁ ରକ୍ଷାକର

ବୃକ୍ଷ ପାଳିତ ଯେଉଁ କନ୍ୟା

ସେ ହେଉ ତୁମ୍ଭ ମନୋରମା

ଏତେକ ବୋଲି ରାଜା ସୋମ

ଆନନ୍ଦେ ହରଷ ବଦନ

କନ୍ୟାକୁ ଆଣି ତାଙ୍କୁ ଦେଲେ

ଆନନ୍ଦେ ନିଜ ପୁରେ ଗଲେ

ସେମାନେ କନ୍ୟା ପ୍ରାପ୍ତ ହୋଇ

ବିବାହ ହେଲେ ଦୟାବହି

ତାହାଙ୍କ ବୀର୍ଯ୍ୟେ ସେ କନ୍ୟାର

ଜନ୍ମିଲେ ଦକ୍ଷ ବେଦବର

ଯାହାର ପ୍ରଜାର ସୃଜନେ

ପ୍ରଜା ପୂରିଲେ ତ୍ରିଭୁବନେ

ଯେମନ୍ତେ ଦକ୍ଷ ପ୍ରଜାପତି

ସୃଜିଲେ ସର୍ବଭୂତେ ସ୍ଥିତି

ବିଚାରେ ଅବା ମନେ ଯାହା

ସୃଜିଲେ ବହୁ ଗୁଣେ ତାହା

ଦେବ ଅସୁର ନର ଆଦି

ଆକାଶ ଜଳ ସ୍ଥଳ ସିଦ୍ଧି

ପ୍ରଜା ଅବୃଦ୍ଧି ଦେଖି ଦକ୍ଷ

ମନରେ କଲେ ଅତି ଦୁଃଖ

ବିନ୍ଧ୍ୟ ପର୍ବତକୁ ସେ ଯାଇ

ତପ ଆରମ୍ଭ କଲେ ତହିଁ

ତକ୍ଷଣେ କରି ଆଗମନ

ସେ ତୀର୍ଥ ଅଘମରଷଣ

ଯାହାର ଜଳ ସ୍ପରଶରେ

ସକଳ ପାପ ଯାଏ ଦୂରେ

ତହିଁ ବସିଲେ ତପ କରି

ତୋଷିବି ପ୍ରଭୁ ନରହରି

ଏହି ସ୍ତବରେ କଲେ ସ୍ତୁତି

ତକ୍ଷଣେ ଗମିଲେ ଶ୍ରୀପତି

ପ୍ରଜାପତି ଉବାଚ

ନମସ୍ତେ ପ୍ରଭୁ ଆଦିଭୂତ

ତ୍ରିଗୁଣେ ଯାହାର ଏକତ୍ୱ

ଅଦୃଷ୍ଟ ଯାହାର ମହିମା

ଗୁଣ ବୁଦ୍ଧିରେ ନୁହେଁ ସୀମା

ଯାହାର ଆଜ୍ଞାରେ ଜଗତ

ନମସ୍ତେ ପ୍ରଭୁ ଆଦିଭୂତ

ସଂସାରେ ଅଛି ପୂର୍ଣ୍ଣ ହୋଇ

ଯାହାର ଶତ୍ରୁ ମିତ୍ର ନାହିଁ

ଗୁଣରେ ଗୁଣଗ୍ରାହୀ ହୋଇ

ସେ ମହେଶ୍ୱରଙ୍କୁ ନମଇଁ

ଯାହାର ଗୁଣ ଏ ସଂସାରେ

ଶ୍ରୁତି ସ୍ମୃତିରେ ଅଗୋଚରେ

ସକଳ ଭୂତରେ ସେ ଥାଇ

ତାହାଙ୍କୁ କେହି ନ ଜାଣଇ

ସର୍ବଜ୍ଞ ଅନନ୍ତ ଅଟଇ

ତାହାଙ୍କୁ ନମସ୍କାର ହୋଇ

ଯାହାର ରୂପ ଦୃଷ୍ଟି ସ୍ମୃତ

ହୁଅଇ ପ୍ରାଣୀର ଅତୀତ

ସେ ପ୍ରଭୁ ଚରଣେ ନମଇଁ

ସକଳ ଘଟେ ଯେହୁ ଥାଇ

ହଂସ ଶିଖରେ ଶୁଚି ଘର

ତାହାଙ୍କୁ ମୋର ନମସ୍କାର

ହୃଦ ପଦ୍ମରେ ଯାକୁ ଧରି

ପଣ୍ଡିତେ ତପକୁ ଆଚରି

ସର୍ବ ବିଷୟା ମାୟା ଯାର

ନିଃଶେଷ ମୋକ୍ଷ ସୁଖଘର

ସର୍ବ ସ୍ୱରୂପ ସର୍ବ ନାମ

ସକଳ ଯାହାର ଭିଆଣ

ସେ ପ୍ରଭୁ ହୁଅନ୍ତୁ ପ୍ରସନ

ସର୍ବ କାରଣ ଭଗବାନ

ଭଜନ କରନ୍ତି ଯେ ଜନେ

ବୁଦ୍ଧି ଇନ୍ଦ୍ରିୟର ବଚନେ

ସେ ପ୍ରଭୁ ସର୍ବେ ଅଗୋଚର

ତାହାଙ୍କୁ ମୋର ନମସ୍କାର

ସେ କାର୍ଯ୍ୟ କରାଇ କରଇ

ତାହାର ତହୁଁ ଅନ୍ୟ ନାହିଁ

ପର ଉପରେ ଯେହୁ ପର

ଆଦ୍ୟହୁଁ ସିଦ୍ଧ ଯେ ଈଶ୍ୱର

ଏମନ୍ତ ଯେହୁ ପରଂବ୍ରହ୍ମ

ତାହାଙ୍କୁ ନମସ୍କାର ମମ

ନିଜ ଶକ୍ତିମାନେ ଯାହାର

ବକ୍ର ବିବାଦ ମାନଙ୍କର

ବିବାଦ ସମ୍ବାଦରେ କରି

ପ୍ରାଣୀମାନଙ୍କ ଚିତ୍ତ ହରି

ଏମନ୍ତ ଅନନ୍ତ ଯା ଗୁଣ

ନମଇଁ ତାହାର ଚରଣ

ସଂସାରେ ଆସ୍ତି ନାସ୍ତି ଯେତେ

ବସ୍ତୁର ନିଷ୍ଠା ଏହିମତେ

ଭିନ୍ନ ବିରୋଧ ଧର୍ମ ସେହି

ତା ବିନୁ ଅନ୍ୟ କେହି ନାହିଁ

ସାଂଖ୍ୟ ଯୋଗରେ ପ୍ରବର୍ତ୍ତିତ

ସେ ସର୍ବ ଅଳପ ବହୁତ

ପାଦପଦ୍ମରେ ଯେ ଭଜଇ

ତାହାଙ୍କ ଅନୁଗ୍ରହ ପାଇ

ଜନ୍ମଇ ନାନା ରୂପ ଧରି

ଶରୀର ବହଇ ସେ ହରି

ସେ ପ୍ରଭୁ ହୁଅନ୍ତୁ ପ୍ରସନ୍ନ

ସର୍ବ କାରଣ ଭଗବାନ

ସୁକୃତ ଜ୍ଞାନ ପଥେ କରି

ସେ ପ୍ରଭୁ ସର୍ବ ଘଟେ ପୂରି

ଶୋଭା ପାଉଛି ଅନୁକ୍ଷଣ

ଯା ନାମ ପରମ କାରଣ

ପୃଥିବୀ ଗୁଣରେ ବହଇ

ଅନଳ ଯେସନେ ଦହଇ

ସେ ପ୍ରଭୁ ମହିମା ଏମନ୍ତ

ପୂର୍ଣ୍ଣ ମୋ’ କରୁ ମନୋରଥ

ଶ୍ରୀ ଶୁକ ଉବାଚ

ଏମନ୍ତେ ଦକ୍ଷ ସ୍ତବ ଶୁଣି

ପ୍ରସନ ହେଲେ ଚକ୍ରପାଣି

ତକ୍ଷଣେ ଅଘ ବିନାଶନ

ଆସି ମିଳିଲେ ଭଗବାନ

ଶୁଣ ହୋ ରାଜ କୁରୁମଣି

ଭକ୍ତବତ୍ସଳ ଚକ୍ରପାଣି

ଆରୋହୀ ଖଗପତି ଗଜ

ଲମ୍ବିତ ଅଷ୍ଟ ମହାଭୂଜ

ଶଙ୍ଖ ଚକ୍ର ଗଦା ଖଡଗ

ପଦ୍ମ ଚର୍ମ ପାଶ ଶାରଙ୍ଗ

ଧରିଣଛନ୍ତି ଅଷ୍ଟ କରେ

ଅଦ୍ଭୂତ ରୂପ ମନୋହର

ପୀତବସନ ଘନଶ୍ୟାମ

ବଦନ ଈକ୍ଷଣ ପ୍ରସନ୍ନ

ନିବିଡ ଅଙ୍ଗେ ବନମାଳ

ଶୋଭିତ ମକର କୁଣ୍ଡଳ

ଶ୍ରୀବତ୍ସ କଉସ୍ତୁଭ ସାଜେ

କିରୀଟ କୁଣ୍ଡଳ ବିରାଜେ

କାଞ୍ଚି ଅଙ୍ଗଦ ରତ୍ନମୁଦି

ବଳୟ ନୂପୁର ପ୍ରସିଦ୍ଧି

ରୂପ ତ୍ରୈଲୋକ୍ୟ ମନୋହର

ଧରିଣ ବ୍ରହ୍ମାଣ୍ଡ ଠାକୁର

ନନ୍ଦ ନାରଦ ଆଦି ଯେତେ

ବେଷ୍ଟିତ ହୋଇଣ ସମସ୍ତେ

ବିଷ୍ଣୁଙ୍କୁ କରନ୍ତି ଭଜନ

ସିଦ୍ଧ ଗନ୍ଧର୍ବ ଯେ ଚାରଣ

ଅତି ଅଦ୍ଭୁତ ରୂପ ହରି

ଦକ୍ଷ ଦେଖିଣ ଭୟକରି

ନମିଲେ ଦଣ୍ଡବତ ହୋଇ

ଆନନ୍ଦ କେ ପାରିବ କହି

ମୁଖରୁ ନ ସ୍ଫୁରେ ବଚନ

ହରଷେ ବିହ୍ୱଳିତ ମନ

ଇନ୍ଦ୍ରିୟଙ୍କର ପୂର୍ଣ୍ଣମନ

ନିର୍ଝରେ ହ୍ରଦିନୀ ଯେସନ

ମୋର ଭକତ ପ୍ରଜାକାମ

ଏମନ୍ତ ଜାଣି ଭଗବାନ

ସକଳ ପ୍ରାଣୀଙ୍କର ମନ

ଜାଣନ୍ତି ପ୍ରଭୁ ନାରାୟଣ

ପ୍ରଜାପତିଙ୍କୁ ଚାହିଁ ହରି

କିଛି ବୋଇଲେ ଦୟାକରି

ଶ୍ରୀ ଭଗବାନ ଉବାଚ

ହେ ପ୍ରଜାପତି ମହାଭାଗ

ତୁମ୍ଭର ଅତି ଅନୁରାଗ

ଯେଣୁ ଭକତି ଦୃଢ଼ମନେ

ଭଜିଲ ମୋହର ଚରଣେ

ତୋହର ତପେ ପ୍ରଜାନାଥ

ପ୍ରସନ୍ନେ ହେଲୁ ଉପଗତ

ଭକତମାନଙ୍କ ସମ୍ପତ୍ତି

ନିରତେ ମନେ ମୁହିଁ ଚିନ୍ତି

ବ୍ରହ୍ମା ଶଙ୍କର ମନ୍ୱନ୍ତର

ତୁମେ ଇନ୍ଦ୍ରାଦି ଦେବବର

ଆତ୍ମାର ହିତେ ପ୍ରାଣୀଙ୍କର

ତୁମ୍ଭେ ଯେ ହେତୁ ସମ୍ପତ୍ତିର

ତପସ୍ୟା ମୋହର ହୃଦୟ

ବିଦ୍ୟା ଯେ ମୋର ନିଜଦେହ

କ୍ରିୟା ଯେ ମୋହର କାରଣ

ଯଜ୍ଞ ଯେ ମୋହର ଭୂଷଣ

ମୋହର ଆତ୍ମା ଧର୍ମ ଜାଣ

ଦେବତାମାନେ ମୋର ପ୍ରାଣ

ବାହ୍ୟ ଅନ୍ତରେ ମୁହିଁ ଥାଇ

ସକଳ ଆଦିମୂଳ ମୁହିଁ

ନାମରେ ଅବଶେଷ ହୋଇ

ମୋ ତହୁଁ ଅନ୍ୟ କେହି ନାହିଁ

ସଂସାରେ ସର୍ବ ରୂପ ହୋଇ

ଅବ୍ୟକ୍ତ ରୂପେ ମୁହିଁ ଥାଇଁ

ଅନନ୍ତ ଗୁଣେ ମୁଁ ଅନନ୍ତ

ମୋର ଗୁଣରୁ ହୁଏ ଜାତ

ଗୁଣ ସ୍ୱରୂପକୁ ଧ୍ୟାୟିଲେ

ସ୍ୱୟୁମ୍ଭୂ ଦେହକୁ ପାଇଲେ

ସେ ସ୍ୱାହିୟମ୍ଭୂ ଏ ସଂସାରେ

ଦେଖିଲେ ସର୍ବ ଆତ୍ମା ପରେ

ସୃଷ୍ଟି କରିବା ଚିତ୍ତେ ଧରି

ଉଦ୍ୟମ କଲେ ସେ ବିଚାରି

ବୋଇଲୁ ଆମ୍ଭ ବାକ୍ୟ କର

ଘୋର ତପସ୍ୟାକୁ ଆଚର

ସୃଷ୍ଟି କରତା ତୁମ୍ଭେ କାହିଁ

ତପର ବଳେ ସୃଷ୍ଟି ହୋଇ

ପଞ୍ଚଜନର ଏ କୁମାରୀ

ଅସିକ୍ନ ନାମେ ସେ ସୁନ୍ଦରୀ

ଏହାକୁ ପତ୍ନୀ ଭାବେ ବର

ପ୍ରବେଶ ସୃଷ୍ଟି ବେଗେ କର

ମିଥୁନ ହୋଇ ବହୁ ଶୋଭା

ଆନନ୍ଦେ ହୁଅ ଶୁଭେ ବିଭା

ତୁମ୍ଭର ଠାରୁ ପ୍ରାଣୀ ଯେତେ

ମୈଥୁନ ହୋଇବ ଯୁକତେ

ମାୟାରେ ମାହିତ ହୋଇବେ

ହରଷେ ସଂସାରେ କରିବେ

ଶ୍ରୀ ଶୁକ ଉବାଚ

ଏତେକ କହି ଭଗବାନ

ଅଖିଳ ବିଶ୍ୱର ଭାବନ

ସ୍ୱପ୍ନେ କହିଲା ପ୍ରାୟ କରି

ଅନ୍ତର ହୋଇଲେ ମୁରାରି

ବୋଲଇ ଦାସ ଜଗନ୍ନାଥ

କୃଷ୍ଣ ଚରିତ ଏ ଅମୃତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ଆଦିସୃଷ୍ଟି କଥନେ

ନାମ ଚତୁର୍ଥୋଽଧ୍ୟାୟଃ ।

•••

 

Unknown

ପଞ୍ଚମ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

ବିଷ୍ଣୁ ମାୟାର ପ୍ରଭାବରୁ

ପଞ୍ଚଜନ କନ୍ୟା ଗର୍ଭରୁ

ହର୍ଯ୍ୟଶ୍ୱ ସଂଜ୍ଞାରେ ଅୟୁତ

ସେ ଦକ୍ଷ ଜନ୍ମାଇଲେ ସୁତ

ପୃଥକ ଭାବ ତାଙ୍କ ନାହିଁ

ସକଳେ ଧର୍ମଶୀଳ ହୋଇ

ପିତାଙ୍କ ଆଜ୍ଞା ଘେନି ଶିରେ

ପ୍ରଜା ସର୍ଜନା କରିବାରେ

ପଶ୍ଚିମ ଦିଗକୁ ଗମିଲେ

ସେଠାରେ ତୀର୍ଥେକ ଦେଖିଲେ

ଯା ନାମ ନାରାୟଣସର

ସଙ୍ଗମେ ସେ ସିନ୍ଧୁ ସାଗର

ସିଦ୍ଧ ମୁନିରେ ସେ ସେବିତ

ସ୍ପର୍ଶନେ ପାପ ହୁଏ ହତ

ରୋଗାଦି ରିପୁ ନାଶ ଯାଇ

ପରମ ହଂସ ଦୀକ୍ଷା ବହି

ପିତା ଆଜ୍ଞାରେ ସେ ଯନ୍ତ୍ରିତ

ସାଧିବେ ନାନା ଉଗ୍ରତପ

ପ୍ରଜାର ବୃଦ୍ଧି କାମବଳେ

ତପ ସାଧନେ ମନ ଦେଲେ

ନାରଦ ଆସି ତତକ୍ଷଣ

କହିଲେ ଅମୃତ ବଚନ

ହର୍ଯ୍ୟଶ୍ୱ ଶୁଣ ମୋ ଉତ୍ତର

କେମନ୍ତେ ପୂଜା ତୁମ୍ଭେ କର

ପୃଥ୍ୱୀର ପରିମାଣ କାହିଁ

କେବେହେଁ ଦେଖିଅଛ କାହିଁ

ତୁମ୍ଭେ ବାଳକ ବୁଦ୍ଧି କର

ସୃଷ୍ଟି ପାଳିବାକୁ ବିଚାର

ଏକଗୋଟି ଯେ ରାଜ୍ୟ ଅଛି

ଏକ ପୁରୁଷ ତହିଁ ଅଛି

ଗହ୍ୱର ଗୋଟିଏ ଅଛଇ

ତହିଁରୁ କେହି ନ ଆସଇ

ବହୁ ରୂପର ସ୍ତିରୀ ଏକ

ଅଛି ପୁଂଶ୍ଚଳୀ ପତି ଏକ

ଏକ ନଦୀ ଦୁଇ ସ୍ରୋତର

ଘର ପଚିଶ ପଦାର୍ଥର

ଚିତ୍ର ନଦୀ ଯେ ହଂସ ଅଛି

କ୍ଷୁର ବଳ ଯେ ବସ୍ତୁ ଅଛି

ତୁମ୍ଭେ ନ ଜାଣ ଏହା ସର୍ବ

କିପରି ସୃଷ୍ଟି ଯେ କରିବ

ହର୍ଯ୍ୟଶ୍ୱ ଶୁଣି ଏ ବଚନ

ବିଚାର କରେ ନିଜ ମନ

ଏ ସବୁ କଥାକୁ ବୁଝିଲେ

ସୃଷ୍ଟି ସର୍ଜନେ ମନ ଦେଲେ

ଶ୍ରୀ ଶୁକ ଉବାଚ

ଏମନ୍ତେ ମନେ ବିଚାରିଲେ

ହର୍ଯ୍ୟଶ୍ୱ ଏକ ଚିତ୍ତ ହେଲେ

ନାରଦ କରି ପ୍ରଦକ୍ଷିଣ

ଗଲେ ଅନିବର୍ତ୍ତ ପଥେଣ

ଅଚ୍ୟୁତ ବ୍ରହ୍ମା ହୃଷୀକେଶ

ଅଖିଳ ପ୍ରଭୁ ପୀତବାସ

ଅଭୟ ପଦ ପଙ୍କଜରେ

ଅଖଣ୍ତ ଚିତ୍ତ ହୋଇ ସ୍ଥିରେ

ଆନନ୍ଦ ହୋଇ ମୁନିବର

ଗମନ କଲେ ନିଜ ପୁର

ସୁତମାନଙ୍କ ନାଶ ବାଣୀ

ନାରଦଙ୍କ ପ୍ରମୁଖରୁ ଶୁଣି

ପୁତ୍ରଙ୍କ ଗୁଣ ସୁମରିଲେ

ଦକ୍ଷ ଅନେକ ତାପ କଲେ

ପୁଣିହିଁ ଅସିକରି ତହିଁ

ରାଜ୍ୟରେ ପରିଶାନ୍ତ ହୋଇ

ଦକ୍ଷ ଆଧାନ କଲେ ବୀର୍ଯ୍ୟ

ପୁତ୍ର ଜନ୍ମିଲେ ମହାତେଜ

ସହସ୍ର ପରିମିତ ହୋଇ

ସର୍ବେ ଜନ୍ମିଲେ ଦେହ ବହି

ପିତାର ଆଜ୍ଞାକୁ ଧଇଲେ

ପ୍ରଜା ସୃଜନେ ମନ ଦେଲେ

ଯେ ନାରାୟଣ ସରୋବର

ତହିଁକି ଗଲେ ଖରତର

ସେ ତୀର୍ଥ ସ୍ମରଣ ମାତ୍ରକେ

ଧଉତ ହୋଇଲେ ପାତକେ

ପରମ ବ୍ରହ୍ମ ଜପ କରି

ମହା ତପକୁ ସେ ଆଚରି

କେତେହେଁ ଦିନ ନିରାହାରେ

ବଞ୍ଚିଲେ ପବନ ଆହାରେ

ଏମନ୍ତ କରି ଆରାଧନ

ସ୍ମରଣ କଲେ ନାରାୟଣ

ଓଁ ନମୋ ପ୍ରଭୁ ନାରାୟଣ

ଅଶେଷ ପୁରୁଷ ପୁରାଣ

ବିଶୁଦ୍ଧ ତତ୍ତ୍ୱ ମହାହଂସ

ନମସ୍ତେ ପ୍ରଭୁ ହୃଷୀକେଶ

ଏମନ୍ତ ପ୍ରକାରେ ରାଜନ

ପ୍ରଜା ନିମନ୍ତେ ଦେଇ ମନ

ତପ ଯେ କରୁଥିଲେ ତହିଁ

ନାରଦ ମୁନି ତାଙ୍କୁ ଯାଇଁ

କପଟ କରିଣ ବଚନ

ବୋଇଲେ ଶୁଣ ଦକ୍ଷନାନ

ଉଦ୍ଦେଶ୍ୟ ଭାଇମାନଙ୍କର

କିମ୍ପାଇ ତୁମ୍ଭେ ଯେ ନ କର

ଭ୍ରାତୃବତ୍ସଳ ତୁମ୍ଭେମାନେ

ଏ କର୍ମ ନ କର କେସନେ

ଭାଇର ଦୁଃଖେ ଯେହୁ ଦୁଃଖୀ

ସେ ପ୍ରାଣୀ ସଦାକାଳେ ସୁଖୀ

ତାହାଙ୍କୁ ପୁଣ୍ୟବନ୍ତ କହି

ଦେବଙ୍କ ସଙ୍ଗେ ଯେହୁ ଥାଇ

ଏମନ୍ତ କହି ତାଙ୍କ ଆଗେ

ନାରଦ ଗଲେ ଶୂନ୍ୟମାର୍ଗେ

ସେ ପୁଣି ଭାଇମାନଙ୍କର

ଉଦ୍ଦେଶ୍ୟେ ଗଲେ ନୃପବର

ଭାଇର କ୍ଷୋଭେ ଯେତେ ଗଲେ

ଅଦ୍ୟାପି ନିବୃତ୍ତ ନୋହିଲେ

ପଶ୍ଚିମ ରାତ୍ର ପ୍ରାୟ ହୋଇ

ନିବୃତ୍ତ ଆଉ ତାଙ୍କ ନାହିଁ

ଅନେକ କାଳ ଗଲା ଯହୁଁ

ଦକ୍ଷ ଜାଣିଲେ ପୁଣି ତହୁଁ

ପୁତ୍ରମାନଙ୍କ ନାଶ ଶୁଣି

ନାରଦ କୃତ୍ୟ ବୋଲି ଜାଣି

ପୁତ୍ର ଶୋକରେ ମୋହି ହୋଇ

ନାରଦେ ଅତି କ୍ରୋଧ ବହି

ନାରଦ ନିକଟେ ମିଳିଲେ

ଦେଖି ନାରଦ ଭୟ କଲେ

କିମ୍ପାଇ କ୍ରୋଧରେ ଅଧୀର

ନାରଦେ ବୋଲନ୍ତି ଉତ୍ତର

ଦକ୍ଷ ଉବାଚ

ଆହୋ ଅସାଧୁ ସାଧୁଙ୍କର

କଷ୍ଟକୁ କରୁ ତୁ ପାମର

ଯେଣୁ ମୋ ବାଳକଙ୍କୁ ତୁହି

ଭିକ୍ଷୁକ ମାର୍ଗକୁ ଦେଖାଇ

ତିନି ଋଣରୁ ଯେ ଅମୁକ୍ତ

ନୋହିଛି କର୍ମ ସମାପତ

ଶ୍ରେୟ କାରଣେ ତାଙ୍କ ତପ

କମ୍ପା ତୁ ନଷ୍ଟ କଲୁ ପାପ

କେମନ୍ତ ଭକ୍ତ ବୋଲି ତୋତେ

ସକଳେ ବୋଲନ୍ତି ଜଗତେ

ଈଶ୍ୱର ପାରିଷଦ ହେଉ

ମନ୍ଦ କର୍ମରେ ନିତ୍ୟେ ଥାଉ

ଯେ ଜନ ବିଷ୍ଣୁ ଭକ୍ତ ହୁଏ

ପ୍ରାଣୀଙ୍କି କରନ୍ତି ସଦୟେ

ତୁ ମିତ୍ର ଦ୍ରୋହୀ ପାପୀ ଯହୁଁ

ଏ କର୍ମ କରିବୁ ବା କାହୁଁ

ନିର୍ବେର ଠାରେ ଶତ୍ରୁପଣ

କିମ୍ପାଇଁ କରୁ ଅକାରଣ

ଶତ୍ରୁଲୋକଙ୍କୁ କ୍ରୋଧଭର

ତୋ ତହୁଁ ନାହିଁ ନା ଅନ୍ୟର

ମୋହର ଯେଉଁ ସ୍ନେହ ପାଶ

ଛେଦିଣ କରୁ ତୁ ବିନାଶ

ବିଷୟ କର୍ମ ଯେଉଁ ଜନ

ନ ଜାଣିଥାଇ ଅନୁଦିନ

ଏମନ୍ତେ ଅଳ୍ପବୁଦ୍ଧି ମନେ

ହିତ ଅହିତକୁ ନ ଜାଣେ

ତୁ ଯେଉଁ କାରଣରୁ କରି

ସାଧୁଙ୍କ ଅପ୍ରିୟ ଆଚରି

ମୂଢ଼ ତୁ ଏ କାରଣୁ କରି

ଲୋକର ମଧ୍ୟରେ ବିହରି

ଭ୍ରମଣ କରୁଥିବୁ ତୁହି

ସ୍ଥିତି ନୋହିବ ତୋର କାହିଁ

ଶ୍ରୀ ଶୁକ ଉବାଚ

ଅସ୍ତୁ ବୋଲିଣ ଶାପ ଘେନି

ସାଧୁଜନ ନାରଦ ମୁନି

ଏଣୁକରି ସାଧୁ ଶବଦ

ସକଳେ ବୋଲନ୍ତି ନାରଦ

ବୋଲଇ ଦାସ ଜଗନ୍ନାଥ

ସଂସାର ଲୋକହିତେ ଗୀତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ନାରଦ ଶାପ କଥନେ

ନାମ ପଞ୍ଚମୋଽଧ୍ୟାୟଃ ।

•••

 

ଷଷ୍ଠ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

ଶୁଣ ରାଜନ ଏ ଅନ୍ତରେ

ଦକ୍ଷ ଯେ ବ୍ରହ୍ମାଙ୍କ ଆଜ୍ଞାରେ

ଭାର୍ଯ୍ୟା ଅସିକ୍ନୀଙ୍କର ତୁଲେ

ଷାଠିଏ କନ୍ୟା ଜନ୍ମାଇଲେ

ଧର୍ମକୁ ଦେଲେ କନ୍ୟା ଦଶ

କଶ୍ୟପେ ଦେଲେ ତ୍ରୟୋଦଶ

ସପ୍ତବିଂଶତି ଚନ୍ଦ୍ର କରେ

ପ୍ରଦାନ କଲେ ଆନନ୍ଦରେ

ଭୂତ ଅଙ୍ଗିରା କୃଶାଶ୍ୱଙ୍କୁ

ବେନି ବେନିଟି ଦେଲେ ତାଙ୍କୁ

ଅବଶିଷ୍ଟ ଚାରି କନ୍ୟାଙ୍କୁ

ଅର୍ପିଲେ ତାର୍କ୍ଷ୍ୟ କାଶ୍ୟପଙ୍କୁ

ପ୍ରଜାପତିଙ୍କ କନ୍ୟା ଯେତେ

ପୁତ୍ରବତୀ ହେଲେ ସମସ୍ତେ

ତାହାଙ୍କ ନାମ ଭିନ୍ନ ଭିନ୍ନ

କହିବା ଶୁଣ ହେ ରାଜନ

ଏହାଙ୍କ ପୁତ୍ର ପୌତ୍ରମାନେ

ପୂର୍ଣ୍ଣ ହୋଇଲେ ତ୍ରିଭୁବନେ

ଧର୍ମ ଯେ କନ୍ୟାଙ୍କୁ ଗ୍ରହଣ

କଲେ ତାହାଙ୍କ ନାମ ଶୁଣ

ମୁହୁର୍ତ୍ତା ବିଶ୍ୱା ମରୁତ୍ୱତୀ

ସଂକଳ୍ପା ଲମ୍ୱା କୁକୁଦ୍‌ବତୀ

ଯାମୀ ବସୁ ଯେ ଭାନୁ ସାଧ୍ୟା

ଏ ଦଶ ନାମରେ ପ୍ରସିଦ୍ଧା

ମୁହୂର୍ତ୍ତା ଗର୍ଭରୁ ଜନମ

ମୌହୂର୍ତ୍ତିକ ସେ ଦେବଗଣ

ଏମାନେ ପ୍ରାଣୀ ହିତ ଚିନ୍ତି

ସ୍ୱକାମ ଫଳକୁ ଦିଅନ୍ତି

ବିଶ୍ୱାର ବିଶ୍ୱ ଦେବଗଣ

ସୁତା ଯେ ହେଲେ ନିଃସନ୍ତାନ

ଜୟନ୍ତ ମରୁତ୍ୱାନ ଦୁଇ

ମରୁତ୍ୱତୀର ଗର୍ଭୁ ହୋଇ

ଜୟନ୍ତ ନାମେ ଯେଉଁ ସୁତ

ବାସୁଦେବର ଅଂଶେ ଜାତ

ଏ ଯୋଗୁ ସଂସାର ମଧ୍ୟର

ଉପେନ୍ଦ୍ର ନାମ ଖ୍ୟାତ ତାର

ସଂକଳ୍ପ ସଂକଳ୍ପାର ସୁତ

ତାଠାରୁ କାମ ହେଲା ଜାତ

ଲମ୍ୱାର ତନୟ ବିଦ୍ୟୋତ

ମେଘ ସକଳ ତାର ସୁତ

କୁକୁଦ ସନ୍ତାନ ସଙ୍କଟ

ତାହାର ପୁତ୍ର ଯେ କୀକଟ

ଦୁର୍ଗାଭିମାନୀ ଦେବଗଣ

ତା ଠାରୁ ହୋଇଲେ ଜନମ

ଯାମୀର ପୁତ୍ର ସ୍ୱର୍ଗ ନାମ

ତା ଠାରୁ ନନ୍ଦୀର ଜନମ

ଦେବର୍ଷଭ ଭାନୁ ନନ୍ଦନ

ତାହାର ପୁତ୍ର ଇନ୍ଦ୍ରସେନ

ସାଧ୍ୟାରୁ ସୁତ ସାଧ୍ୟଗଣ

ତା ତହୁଁ ଅର୍ଥ ସିଦ୍ଧ ଜନ୍ମ

ବସୁର ଅଷ୍ଟବସୁ ସୁତ

କହିବା ଶୁଣ ପରୀକ୍ଷିତ

ଧ୍ରୁବାର୍କ ଅଗ୍ନି ଦୋଷ ଦ୍ରୋଣ

ବାସ୍ତୁ ଯେ ବିଭାବସୁ ପ୍ରାଣ

ଧରଣୀ ଜାୟା ଯେ ଧ୍ରୁବର

ତା ଗର୍ଭୁ ଜାତ ନାନା ପୁର

ଅର୍କ ନାମକ ଯେ ବସୁର

ବାସନା ନାମେ ପତ୍ନୀ ତାର

ତା ତହୁଁ ତର୍ଷାଦି ତନୟ

ବହୁତ ହୋଇଲେ ଉଦୟ

ଅଗ୍ନିର ଭାର୍ଯ୍ୟା ଧାରା ହେଲେ

ବହୁ ପୁତ୍ର ସେ ପ୍ରସବିଲେ

ପୁଣି ତା ତହୁଁ ସ୍କନ୍ଦ ହେଲେ

କୃତ୍ତିକା ପୁତ୍ର ବୋଲାଇଲେ

ଶର୍ବରୀ ରମଣୀ ଦୋଷର

ତା ତହୁଁ ଜନ୍ମ ଶିଶୁମାର

ଯେ ଶିଶୁମାର ବିଷ୍ଣୁ ଅଂଶେ

ଜାତ ହୋଇଲେ ବସୁ ବଂଶେ

ଦ୍ରୋଣର ପତ୍ନୀ ଅଭିମତି

ତା ଗର୍ଭୁ ହୋଇଲେ ଉତ୍ପତ୍ତି

ହରଷ ଭୟ ଶୋକ ଆଦି

ଜନ୍ମିଲେ ଅଶେଷ ପ୍ରସିଦ୍ଧି

ବାସ୍ତୁ ବନିତା ଆଙ୍ଗୀରସୀ

ବିଶ୍ୱକର୍ମା ତହୁଁ ପ୍ରକାଶି

ଶିଳ୍ପ କାର୍ଯ୍ୟରେ ସେ ନିପୁଣ

ଲୋକରେ ହେଲେ ସେ ଭାଜନ

ସେ ବିଶ୍ୱକର୍ମା ବିର୍ଯ୍ୟୁ ଜାତ

ଚାକ୍ଷୁଷ ମନୁ ନାମେ ସୁତ

ଚାକ୍ଷୁଷ ପୁତ୍ର ବିଶ୍ୱଦେବ

ସାଧ୍ୟଗଣ ପୁଣି ଉଦ୍‌ଭବ

ବିଭାବସୁର ତିନି ସୁତ

ଉଷା ଗର୍ଭରୁ ହେଲେ ଜାତ

ତାହାଙ୍କ ନାମ ଶୁଣ ନୃପ

ବ୍ୟୁଷ୍ଟ ଯେ ରୋଚିଷ ଆତପ

ଏ ତିନି ପୁତ୍ରଙ୍କ ମଧ୍ୟର

ଆତପ ଅଟେ ନାମ ଯାର

ତା ଠାରୁ ଦିବସ ଜନମ

ଯାହାର ନାମ ପଞ୍ଚଯାମ

ଯା ହେତୁ ପ୍ରାଣୀ ଜାଗରିତ

ସ୍ୱକର୍ମେ ହ୍ୱନ୍ତି ଆତଯାତ

ପ୍ରାଣର ଉର୍ଜ୍ଜନ୍‌ସ୍ୱତୀ ନାମା

ପତ୍ନୀ ସେ ଅତି ମନୋରମା

ତା ଗର୍ଭୁ ଏ ତିନି ସମ୍ଭବ

ଆୟୁ ଯେ ସହ ଗୁରୋଜବ

ଯେ ଦୁଇ କନ୍ୟା ଭୂତ ତୁଲେ

ଦକ୍ଷ ସନ୍ତୋଷେ ସମର୍ପିଲେ

ଏବେ ସେ ଭୂତଙ୍କର ବଂଶ

କହିବା ଶୁଣ ନରଈଶ

ଯେ ପତ୍ନୀ ସ୍ୱରୂପା ନାମେଣ

ତା ଠାରୁ ଜାତ ରୁଦ୍ରଗଣ

ତାହାଙ୍କ ନାମ ଏକ ଏକ

କହିବା କର ହେ ବିବେକ

ରୈବତ ଅଜ ଭବ ଭୀମ

ବୃଷା କପି ଯେ ଉଗ୍ର ବାମ

ଅଜୈବ ପାଦ ଅହିବ୍ରଧ୍ନ

ମହାନ ବହୁରୂପ ନାମ

ଏ ଏକାଦଶ ରୁଦ୍ରଗଣ

ଜନମ ହେଲେ ପୃଥ୍ୱୀରେଣ

ଅନ୍ୟ ପତ୍ନୀର ଯେତେ ସୁତ

ପ୍ରେତ ଗଣରେ ହେଲେ ଖ୍ୟାତ

ଅଙ୍ଗୀରସ ପ୍ରଜାପତିର

ସୁଧାସତୀ ଭାର୍ଯ୍ୟା ତାଙ୍କର

ପୁତ୍ର ଭାବରେ ପିତୃଗଣ

ସୁଧା ଯେ କଲେକ ପାଳନ

ସତୀର ଅଥର୍ବଙ୍ଗୀରସ

ସୁତ ହୋଇଲେ ହେ ନରେଶ

କୃଶାଶ୍ୱ ନାମେ ପ୍ରଜାପତି

ଅର୍ଚ୍ଚି ଧୀଷଣା ତା ଯୁବତୀ

ଧୂମକେତୁ ଯେ ଅର୍ଚ୍ଚିସୁତ

ଧୀଷଣା ଠାରୁ ଚାରି ପୁତ୍ର

ବେଦଶୀରା ମନୁ ବୟୁନ

ଦେବଳ ଏ ଚାରି ନନ୍ଦନ

ତାକ୍ଷ୍ୟ ନାମରେ ଯେ କଶ୍ୟପ

ତା ପତ୍ନୀ ନାମ ଶୁଣ ନୃପ

ବିନତା ପତଙ୍ଗୀ ଯାମିନୀ

କଦ୍ରୂ ଏ ଚାରୋଟି କାମିନୀ

ବିନତା ଗରୁଡ ଅରୁଣ

ଦୁଇ ସନ୍ତାନ କଲେ ଜନ୍ମ

ଗରୂଡ ବିଷ୍ଣୁଙ୍କ ବାହନ

ସୂର୍ଯ୍ୟଙ୍କ ସାରଥି ଅରୁଣ

ପତଙ୍ଗୀଠାରୁ ପକ୍ଷୀ ଜାତ

ଶଲଭ ଯାମିନୀର ପୁତ୍ର

କଦ୍ରୁର ଗର୍ଭୁ ନାଗ ଯେତେ

ଉତ୍ପନ୍ନ ହୋଇଲେ ସମସ୍ତେ

କୃର୍ତ୍ତିକା ଆଦି ଯେତେ ଋକ୍ଷ

ଚନ୍ଦ୍ରଙ୍କ ପତ୍ନୀ ଏ ପ୍ରତ୍ୟକ୍ଷ

ନିତ୍ୟ କେବଳ ରୋହିଣୀର

ପ୍ରେମରେ ବଶ ଶଶଧର

ଦେଖନ୍ତେ କନ୍ୟାଙ୍କର ଦୁଃଖ

ଶାପ ବିହିଲେ କୋପେ ଦକ୍ଷ

ସେ ଶାପୁଁ କ୍ଷୟ ରୋଗେ ସୋମ

ଦିନକୁ ଦିନ ହେଲେ କ୍ଷୀଣ

ଦକ୍ଷକୁ ପ୍ରସନ୍ନ କରାଇ

କଳା ଲଭିଲେ ପୁଣି ସେହି

କୃଷ୍ଣ ଶୁକ୍ଳରେ ଏହି କଳା

କ୍ରମରେ କ୍ଷୟ ବୃଦ୍ଧି ହେଲା

କଶ୍ୟପ ପତ୍ନୀମାନଙ୍କର

କହିବା ନାମର ବିସ୍ତାର

ଯେଉଁମାନଙ୍କ ଗର୍ଭୁ ଜାତ

ହୋଇଲେ ସକଳେ ଜଗତ

ସେମାନେ ପ୍ରାଣୀମାନଙ୍କର

ମାତା ଅଟନ୍ତି ନୃପବର

କୀର୍ତ୍ତନ କଲେ ତାଙ୍କ ନାମ

ପ୍ରାଣୀ ଲଭନ୍ତି ସୁଖ ଧାମ

ତେଣୁ ମୁଁ ତୁମ୍ଭର ନିକଟେ

ଯାହାର ନାମକୁ ପ୍ରକଟେ

ଅଦିତି ଦିତି ଦନୁ କାଷ୍ଠା

ସୁରସା ତାମ୍ରା ଯେ ଅରିଷ୍ଠା

ସୁରଭୀ ଈଳା ତିମି ମୁନି

ସରମା କ୍ରୋଧବଶା ଘେନି

ଏହାଙ୍କର ଯେ ହେଲେ ସୁତ

କହିବା ଶୁଣ ପରୀକ୍ଷିତ

ଜଳ ଜନ୍ତୁଏ ତିମିଠାରୁ

ଶ୍ୱାପଦେ ସରମା ଗର୍ଭରୁ

ଗୋରୁ ମହିଷ ଆଦି ଯେତେ

ଦ୍ୱିଖୁର ପଶୁ ଏ ସମସ୍ତେ

ସୁରଭୀ ଠାରୁ ହେଲେ ଜାତ

କହିବା ଶୁଣ ତାମ୍ରସୁତ

ଶ୍ୱେନ ଗୃଧାଦି ବିହଙ୍ଗମ

ମୁନିର ଅପସରୀଗଣ

କ୍ରୋଧାବଶାର ଏ ତନୟ

ଦନ୍ଦଶୂକ ଯେ ସର୍ପଚୟ

ବୃକ୍ଷ ଲତାଦି ଈଳାତ୍ମଜ

ସୁରସା ସନ୍ତାନ ଦନୁଜ

ଗନ୍ଧର୍ବେ ଅରିଷ୍ଟାର ପୁତ୍ର

କାଷ୍ଠାର ଏକଖୁର ସୁତ

ଦନୁ ଗର୍ଭରୁ ହେଲେ ଜାତ

ଏକ ଅଧିକ ଷଷ୍ଠୀ ସୁତ

ପ୍ରଧାନ ପୁତ୍ର ଅଷ୍ଟାଦଶ

ତାଙ୍କ ନାମ ଶୁଣ ନରେଶ

ଦ୍ୱିମୂର୍ଦ୍ଧା ଅରିଷ୍ଟ ସମ୍ବର

ହୟଗ୍ରୀବ ଯେ ଶଙ୍କୁଶିର

ବିଭାବସୁ ସେ ଅୟୋମୁଖ

ଅନୁତାପନ ବିରୁପାକ୍ଷ

ସ୍ୱର୍ଭାନୁ କପିଳ ଅରୁଣ

ପୁଲୋମା ଏକଚକ୍ର ଜାଣ

ବୃଷପର୍ବା ଯେ ଧୂମକେଶ

ଦୁର୍ଜ୍ଜୟ ବିପ୍ରଚିତ୍ତ ଶେଷ

ସ୍ୱର୍ଭାନୁ ଦୁହିତା ସୁପ୍ରଭା

ନମୁଚି ତାକୁ ହେଲେ ବିଭା

ବୃଷପର୍ବାର କନ୍ୟା ଜାତ

ଶର୍ମିଷ୍ଠା ନାମରେ ବିଦିତ

ନହୁଷ ପୁତ୍ର ଯଯାତିଙ୍କୁ

ବିବାହ କଲେ ସେ କନ୍ୟାକୁ

ଦନୁର ପୁତ୍ର ବୈଶ୍ୱାନର

ଚାରୋଟି କନ୍ୟା ହେଲେ ତାର

ସେମାନେ ପରମାସୁନ୍ଦରୀ

କହିବା ନାମ ତାହାଙ୍କରି

ହୟଶିରୀ ଉପଦାନବୀ

କାଳକା ପୁଲୋମା ସମ୍ଭବି

ଉପଦାନବୀ ବିଭା ହେଲେ

ହିରଣାକ୍ଷ ଦାନବ ତୁଲେ

ହୟଶିରୀ ନାମେ ସୁନ୍ଦରୀ

କ୍ରତୁର ସେହି ହେଲା ନାରୀ

ବ୍ରହ୍ମାଙ୍କ ଆଦେଶରୁ କରି

କଶ୍ୟପ ବିଭା ବେନି ନାରୀ

କାଳକା ପୁଲୋମା ଏ ଦୁଇ

କଶ୍ୟପ ତାଙ୍କୁ ବିଭା ହୋଇ

ଏ ଦୁଇ କନ୍ୟାଙ୍କ ଗର୍ଭରୁ

ଦାନବେ କଶ୍ୟପ ବୀର୍ଯ୍ୟରୁ

ଷାଠିଏ ସହସ୍ର ସମ୍ଭୂତ

ସର୍ବେ ହୋଇଲେ ବଳବନ୍ତ

ଇନ୍ଦ୍ରର ଅପ୍ରିୟ କରନ୍ତି

ନିତ୍ୟେ କୁକର୍ମ ଆଚରନ୍ତି

ସର୍ବଦା ଯୁଦ୍ଧେ ରତ ହେଲେ

ଋଷିଙ୍କ ଯାଗ ବିନାଶିଲେ

ପିତୃର ପିତୃ ଯେ ତୁମ୍ଭର

ଅର୍ଜ୍ଜୁନ ନାମ ତାହାଙ୍କର

ସ୍ୱର୍ଗକୁ ଯାଇ କଲେ ନଷ୍ଟ

ଦାନବ ବଳବନ୍ତ ଦୁଷ୍ଟ

ଦାନବ ବିପ୍ରଚିତ୍ତି ନାରୀ

ସିଂହିକା ନାମଟି ତାହାରି

ଏକ ଅଧିକେ ଶତେ ସୁତ

ତା ଗର୍ଭୁ ହୋଇଲେ ସମ୍ଭୂତ

ରାହୁ ତା ପ୍ରଥମ ନନ୍ଦନ

ସର୍ବ କନିଷ୍ଠ କେତୁ ନାମ

ସେ ସର୍ବ ଗ୍ରହ ମାନଙ୍କରେ

ବିଖ୍ୟାତ ହୋଇଲେ ସଂସାରେ

ଏଥୁ ଅନ୍ତରେ ନୃପବର

ଅଦିତି ବଂଶର ବିସ୍ତାର

କହିବା ମନଦେଇ ଶୁଣ

ଆପଣା ଅଂଶେ ନାରାୟଣ

ଯେଉଁ ବଂଶରେ ଜାତ ହେଲେ

ତାହା କହିବା ଶୁଣ ଭଲେ

ଅର୍ଯ୍ୟମା ପୁଷ ବିବସ୍ୱାନ

ତ୍ୱଷ୍ଟା ସବିତା ଊରୁକ୍ରର୍ମ

ବରୁଣ ଧାତା ଭଗମିତ୍ର

ଶକ୍ର ଏ ଅଦିତିର ପୁତ୍ର

ବିବସ୍ୱାନଙ୍କ ଔରସରେ

ଯେ ଜାତ ସଂଜ୍ଞାଙ୍କ ଗର୍ଭରେ

ସେ ଶ୍ରାଦ୍ଧଦେବ ମନୁ ନାମେ

ଖ୍ୟାତ ହୋଇଲେ ଧରାଧାମେ

ଭାଗ୍ୟବତୀ ଯାମୀ ଏ ଦୁଇ

ଯମ ଯମୁନା ପ୍ରସବଇ

ଯେ ଯାମୀ ବଡବା ରୂପରେ

ବିଖ୍ୟାତ ହେଲେ ଅବନୀରେ

ତାଠାରୁ ଅଶ୍ୱିନୀ କୁମାର

ବେନି ଜନ୍ମିଲେ ନୃପବର

ଛାୟାରେ ଶନୈଶ୍ଚର ସୁତ

ବିବସ୍ୱାନର ବିର୍ଯ୍ୟୁ ଜାତ

ଏ ଅନନ୍ତରେ ତାର ତହିଁ

ସାବର୍ଣ୍ଣିମନୁ ଜାତ ହୋଇ

ପୁଣି କନ୍ୟାଏ ହେଲା ଜନ୍ମ

ତାହାର ପତି ସମ୍ଭରଣ

ମାତୃକା ପତ୍ନୀ ଅର୍ଯ୍ୟମାର

ବହୁତ ସୁତ ହେଲେ ତାର

ଏ ପୁତ୍ରମାନଙ୍କ ବୁଦ୍ଧିରେ

ଆତ୍ମାନୁସନ୍ଧାନ ବେଭାରେ

ଏ ସର୍ବମାନୁଷୀ ଜାତିର

କଳ୍ପନା କଲେ ବେଦବର

ପୂଷା ହୋଇଲା ଅନପତ୍ୟ

ପୁଣି ସେ ଅଟଇ ଅଦନ୍ତ

ଭକ୍ଷଇ ପିଷ୍ଟଦ୍ରବ୍ୟମାନ

କହିବା ତହିଁର କାରଣ

ପୂର୍ବକାଳରେ ଦକ୍ଷ ପ୍ରତି

କୁପିତ ହେଲେ ଉମାପତି

ତା ଦେଖି ପୂଷା ନିଜ ଦନ୍ତ

ଦେଖାଇ ହସିଲା ବହୁତ

ଏଣୁ ତା ଦନ୍ତ ଭଗ୍ନ ହୁଏ

ଏବେ କହିବା ଶୁଣ ରାୟେ

ଉଚନା ନାମେ ଦୈତ୍ୟାତ୍ମଜା

ସେ ତ୍ୱଷ୍ଟା ପ୍ରଜାପତି ଭାର୍ଯ୍ୟା

ଏହାଙ୍କ ସୁତ ଶୁଣ ନୃପ

ସନ୍ନିବେଶ ଯେ ବିଶ୍ୱରୂପ

ବିଶ୍ୱରୂପ ଯେ ବୀର୍ଯ୍ୟବନ୍ତ

ଦାନବ କୁଳର ଦୌହିତ୍ର

ତଥାପି ପୁରୋହିତ ପଣେ

ବରଣ କଲେ ଦେବଗଣେ

ଗୁରୁଙ୍କଠାରୁ ଦେବଗଣ

ଯେଣୁ ପାଇଲେ ଅପମାନ

ସେ କଥା ସୁଜ୍ଞଜନ ହିତେ

ଏ ଷଷ୍ଠସ୍କନ୍ଧ ଭାଗବତେ

ବୋଲଇ ବିପ୍ର ଜଗନ୍ନାଥ

ଦକ୍ଷଙ୍କ ସୃଷ୍ଟି ଏ ଜଗତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ଦକ୍ଷକନ୍ୟା ବଂଶ ବର୍ଣ୍ଣନେ

ନାମ ଷଷ୍ଠୋଽଧ୍ୟାୟଃ ।

•••

 

ସପ୍ତମ ଅଧ୍ୟାୟ

 

ରାଜୋବାଚ

ଶୁକ ଚରଣେ ପ୍ରଣମିତ

ହୋଇ କହନ୍ତି ପରୀକ୍ଷିତ

କେଉଁ ହେତୁରୁ ଆଙ୍ଗୀରସ

ଦେବଙ୍କୁ କଲେ ଅବିଶ୍ୱାସ

ନିଜର ଶିଷ୍ୟ ଦେବଗଣେ

ବର୍ଜିଲେ ତାଙ୍କୁ କି କାରଣେ

କି ଦୋଷ ଥିଲା ତାହାଙ୍କର

କହିବା ହେଉ ମୁନିବର

ବାଦରାୟଣିରୁବାଚ

ଶୁଣ କହିବା ଯା ପଚାର

ଯେ ହେତୁ ଛାଡିଲେ ଅମର

ଏକ କାଳରେ ପୁରୁହୁତ

ଐଶ୍ୱର୍ଯ୍ୟେ ହୋଇ ବିହ୍ୱଳିତ

ନିରତେ ଅସତ ମାର୍ଗରେ

ପ୍ରବୃତ୍ତ ହେଲେ ସେ ଗର୍ବରେ

ପବନ ବସୁ ରୁଦ୍ରଗଣ

ଆଦିତ୍ୟ ଯେତେ ସିଦ୍ଧମାନ

ବିଶ୍ୱଦେବାସୁର ସହିତେ

ଅଶ୍ୱିନୀ କୁମାର ବେଷ୍ଟିତେ

ସିଦ୍ଧ ଗନ୍ଧର୍ବ ଯେ ଚାରଣ

ବ୍ରହ୍ମା ଶଙ୍କର ମୁନିଗଣ

କୋଳରେ ବିଦ୍ୟାଧର ପୁଣ

ସେବିତ ଅପସରାମାନ

ପତଙ୍ଗ ଉରଗ ଯେ ଆଦି

ସେବନ୍ତି ଯେ ଯାହା ପ୍ରସିଦ୍ଧି

ସ୍ତୁତି କରନ୍ତି ବନ୍ଦିଗଣ

ଆସ୍ଥାନେ ବସି ମଘବାନ

ଲଳିତେ କେହୁ ଗୀତ ଗାଇ

ଚାମର ଧରି କେ ବିଞ୍ଚଇ

ଅନ୍ୟ ଯେ ପାରିଷଦଗଣ

ବିଞ୍ଚନ୍ତି ଘେନି ସେବାମାନ

ଶଚୀ ସଙ୍ଗତେ ଦେବରାୟେ

ରତ୍ନ ଆସନରେ ବିଜୟେ

ଏମନ୍ତ ସମୟେ ରାଜନ

କହିବା ଶୁଣ ଦେଇ ମନ

ପରମ ଗୁରୁ ଦେବଙ୍କର

ପ୍ରବେଶ ହୋଇଲେ ସଭାର

ପୂଜିତ ମୁନିମାନଙ୍କର

ସକଳ ଜ୍ଞାନେ ତତପର

ଏମନ୍ତ ମୁନିଙ୍କୁ ଦେଖିଲେ

ଇନ୍ଦ୍ର ଆସନୁ ନ ଉଠିଲେ

ସେଠାରୁ ଶୀଘ୍ର ଆଙ୍ଗୀରସ

ମନ୍ଦିରେ ହୋଇଲେ ପ୍ରବେଶ

ଶ୍ରୀମଦେ ଇନ୍ଦ୍ରିୟ ବିକ୍ରିୟା

ମନେ ଜାଣିଲେ ଗୁରୁ ଏହା

ଯେଣୁ ଏ ସର୍ବଜ୍ଞ ପଣ୍ଡିତ

ଜାଣି ପାରିଲେ ଇନ୍ଦ୍ରଚିତ୍ତ

ତକ୍ଷଣେ ଇନ୍ଦ୍ର ଜାଣିକରି

ଗୁରୁ ଅପରାଧ ବିଚାରି

ଆତ୍ମାକୁ ଇନ୍ଦ୍ର ନିନ୍ଦାକଲା

ଅନେକ ସନ୍ତାପ ପାଇଲା

ବଡ଼ ଅସାଧୁ କର୍ମ କଲି

ମୁଁ ଅଳ୍ପ ବୁଦ୍ଧିକୁ ପାଇଲି

ଗୁରୁ ଆଚାର୍ଯ୍ୟଙ୍କୁ ସଭାରେ

ନିନ୍ଦିଲି ଐଶ୍ୱର୍ଯ୍ୟ ମଦରେ

ମୁଁ ଦେବମାନଙ୍କ ଈଶ୍ୱର

କଲି ଅସୁରଙ୍କ ବେଭାର

ଧର୍ମ କର୍ମରେ ଯେଉଁମାନେ

ସାଧୁ ସଙ୍ଗତେ ଥାନ୍ତି ଜନେ

ଏହାକୁ ନିନ୍ଦା ଯେ କରନ୍ତି

ସେମାନେ ଧର୍ମ ନ ଜାଣନ୍ତି

କୁପଥ ଦେଖାନ୍ତି ଯେ ଜନ

ନରକେ ପଡ଼ନ୍ତି ବହନ

ତାହାଙ୍କ ବୋଲ ଯେ କରନ୍ତି

ପାଷଣ ଭେଳା ପ୍ରାୟ ହ୍ୱନ୍ତି

ସେ କଥା ଯେ କରେ ପ୍ରମାଣ

ତାହାର ଆଶ୍ରୟ ମରଣ

ମୁଁ ମୁଢ ସେହି ବ୍ରାହ୍ମଣର

ପୟରେ ମଣ୍ଡିବି ମୋ ଶିର

ତାକୁ କରାଇଲେ ପ୍ରସନ୍ନ

ମୋ ଦୁଃଖ ହୋଇବ ଦହନ

ଏମନ୍ତେ ମନେ ଚିନ୍ତା କରି

ଗୁରୁ ଭବନେ ଆଗସରି

ଗୁରୁ ତା ଆଗମନ ଦେଖି

ଗୃହକୁ ଗଲେ ସେ ଉପେକ୍ଷି

ଗୁରୁ ଦରଶନ ନ ପାଇ

ଭୟ ଶୋକରେ ସେ ବୁଡ଼ଇ

ଆତ୍ମାର ଅକୁଶଳ ଜାଣି

ଚିନ୍ତିତ ହେଲେ ବଜ୍ରପାଣି

ଏହା ଜାଣି ଅସୁରମାନେ

ଶୁକ୍ର ମନ୍ତ୍ରୀଙ୍କର ବଚନେ

ଦେବଙ୍କ ନାଶ ବିଚାରନ୍ତି

ସ୍ୱଭାବେ ଦ୍ରୋହୀ ସେ ଅଟନ୍ତି

ଦେବତା ହୋଇଲେ ଅଜ୍ଞାନ

ତାହାର ଦେହ ହେଲା ଜୀର୍ଣ୍ଣ

ବ୍ରହ୍ମା ଛାମୁକୁ ଦେବେ ଗଲେ

ସେ ସବୁ କଥା ନିବେଦିଲେ

ତତକ୍ଷଣରେ ଦେବଗଣେ

ନମିଲେ ବ୍ରହ୍ମାଙ୍କ ଚରଣେ

ଦେବଙ୍କୁ ଦେଖନ୍ତେ ଦୁଃଖିତ

ଭାଷନ୍ତି ସ୍ନେହେ ଚଉମାଥ

ପରମ କୃପାଯୁକ୍ତ ହୋଇ

କିଛି କହିଲେ ସ୍ନେହବହି

ବ୍ରହ୍ମୋବାଚ

ହେ ଦେବ ଶୁଣ କହୁ ଆମ୍ଭେ

ଅତ୍ୟନ୍ତ ମନ୍ଦ କଲ ତୁମ୍ଭେ

ବ୍ରହ୍ମନିଷ୍ଠ ଯେ ଏ ବ୍ରାହ୍ମଣ

ଏହାଙ୍କୁ ଦେଲ ଅପମାନ

ତୁମ୍ଭେ ଯେ ପାପର କାରଣ

ତେଣୁ ଜିଣିଲେ ଶତ୍ରୁଗଣ

ତୁମ୍ଭଙ୍କୁ ନ ଜିଣନ୍ତା ବାଦେ

ତେଣୁ ଜିଣିଲେ ଅପ୍ରମାଦେ

ହେ ଇନ୍ଦ୍ର ଶୁଣ ସାବଧାନ

ଗୁରୁଙ୍କୁ ଦେଇ ଅପମାନ

ଶୁକ୍ରଙ୍କୁ ଆରାଧି ଅସୁରେ

ଐଶ୍ୱର୍ଯ୍ୟ ଲଭିଲେ ସ୍ୱର୍ଗରେ

ଆଶ୍ଚର୍ଯ୍ୟ ଭଜି ଦୈତ୍ୟଗଣ

ଲଭିଲେ ଆମ୍ଭର ଭୁବନ

ବିପ୍ରବର ଯେ ସୁରନର

ଅପରେ ଯେତେ ଦେବଙ୍କର

ଅଶେଷ ପ୍ରାଣୀଙ୍କ ଈଶ୍ୱର

ଶୁଭେ କରିବେ ଚକ୍ରଧର

ବିଶ୍ୱରୂପକୁ ବେଗେ ଭଜ

ତୁମ୍ଭର କରିବେ ସେ କାର୍ଯ୍ୟ

ସେ ବିପ୍ର ପ୍ରସନ୍ନ ହୋଇଲେ

ତୁମ୍ଭର କାର୍ଯ୍ୟ ହେବ ଭଲେ

ଶ୍ରୀ ଶୁକ ଉବାଚ

ଶୁଣି ଦେବତାଏ ହରଷ

ବ୍ରହ୍ମାଙ୍କ ଏହି ଉପଦେଶ

ଋଷିଙ୍କଠାରୁ ବେଗେ ଗଲେ

ହରଷେ ଆଲିଙ୍ଗନ କଲେ

ଶ୍ରାଦ୍ଧ କର୍ମରେ ଯୁକ୍ତ ହୋଇ

ଦେବେ ଯେ କହିଲେକ ଧ୍ୟାୟି

ଦେବାଉଚୁଃ

ଆମ୍ଭେ ଅତିଥି ହେଲୁ ଯହୁଁ

ତୁମ୍ଭ ଆଶ୍ରୟେ ଶୁଭ ହେଉ

ପିତୃମାନଙ୍କ କାର୍ଯ୍ୟ ପୂର୍ଣ୍ଣ

କରିବ ଯଥୋଚିତ ଧର୍ମ

ଉତ୍ତମ ପୁତ୍ରଙ୍କର ଧର୍ମ

ଯେ ପିତୃ ଗଣେ ଭକ୍ତି କର୍ମ

ଗୃହସ୍ଥ ଜନଙ୍କ ଯେ ଧର୍ମ

ନ ତୁଲ୍ୟ ବ୍ରହ୍ମଚାରୀ କର୍ମ

ଆଚାର୍ଯ୍ୟ ଦେବର ମୂରତି

ପିତା ପ୍ରତ୍ୟକ୍ଷ ପ୍ରଜାପତି

ଭ୍ରାତା ମୂରତି ପତି ଭାବି

ମାତା ସାକ୍ଷାତେ ପୃଥ୍ୱୀଦେବୀ

ଭଗିନୀ ଦୟାର ମୁରତି

ଧର୍ମର ମୂରତି ଅତିଥି

ଅଗ୍ନି ମୂରତି ଅଭ୍ୟାଗତ

ଆତ୍ମା ମୂରତି ସର୍ବଭୂତ

ସତ୍ୟର ଠାରୁ ପରାଭବ

ସେ ପୁଣି ସୁଜନଙ୍କ ଲାଭ

ତୁ ଏ କାରଣୁ ମୁନିବର

ତପସ୍ୟା ସିଦ୍ଧି ଏବେ କର

ଗୁରୁ ତୁମ୍ଭଙ୍କୁ କଲୁ ଜାଣ

ଯେଣୁ ବ୍ରହ୍ମଣ୍ୟ ତୁମ୍ଭ ଗୁଣ

ତୁମ୍ଭଙ୍କୁ କରି ଗୁରୁ ସତ୍ୟ

ଶତ୍ରୁଙ୍କୁ ଜିଣିବୁ ତୁରିତ

କାର୍ଯ୍ୟର ପ୍ରୟୋଜନ ପାଇଁ

କନିଷ୍ଠ ପୂଜା ନିନ୍ଦା ନୋହି

ବେଦରେ ଯାର ଜ୍ଞାନ ନାହିଁ

ଜ୍ୟେଷ୍ଠରେ ଯୋଗ୍ୟ ସେହୁ ନୋହି

ଶ୍ରୀ ଶୁକ ଉବାଚ

ତାହାଙ୍କୁ ପୁରୋହିତ ପଣେ

ବରଣ କଲେ ଦେବଗଣେ

ମୁନି ବିଶ୍ୱରୂପ ଧଇଲେ

ଦେବତାମାନଙ୍କୁ କହିଲେ

ବିଶ୍ୱରୂପ ଉବାଚ

ହେ ଦେବଗଣ କହେ ଶୁଣ

ଆଚାର୍ଯ୍ୟ କାର୍ଯ୍ୟର ଯେ ଗୁଣ

ଧାର୍ମିକ ଲୋକ ଯେ ନିନ୍ଦନ୍ତି

ଅଧର୍ମ ହେତୁ ସେ ଜାଣନ୍ତି

ତଥାପି ତୁମ୍ଭର କଥାରେ

ଏହା କେ ଅସ୍ୱୀକାର କରେ

ହେ ଅଧୀଶ୍ୱରଗଣ ଶୁଣ

ଦରିଦ୍ର ବ୍ୟକ୍ତି ପରି ଜାଣ

କ୍ଷେତ୍ରରୁ ଧାନ୍ୟାଦି ଗ୍ରହଣ

କରି ବଞ୍ଚଇ ମୁହିଁ ଦିନ

ମୁଁ କିମ୍ପା ପୁରୋହିତ କାର୍ଯ୍ୟ

କରି ହୋଇବି ନିନ୍ଦା ଯୋଗ୍ୟ

ଅଜ୍ଞାନୀ ଲୋକ ଏହି କର୍ମ

ପାଇ ହୁଅନ୍ତି ମହାପ୍ରେମ

କିନ୍ତୁ ତୁମ୍ଭେ ଯେ ମୋର ଗୁରୁ

ଆମ୍ଭେ ଯେ ଅବଜ୍ଞା ନ କରୁ

ତୁମ୍ଭର ପାର୍ଥିତ ବିଷୟ

କରିବି ଜାଣ ହେ ନିଶ୍ଚୟ

ବାଦରାୟଣିରୁବାଚ

ଏ ଅନନ୍ତରେ ବିଶ୍ୱରୂପ

ବରଣ ହୋଇ ପରିତାପ

ଶ୍ରୀକୃଷ୍ଣ ବୋଲିଣ ସୁମରି

ପରମ ସମାଧିରେ କରି

ଶୁକ୍ରର ବିଦ୍ୟାବଳୁ କରି

ଅସୁରଙ୍କର ଯଶ ଶିରୀ

ନିଶ୍ଚୟ ଏ କରିବେ ତୋଷ

ଶୁଣ ରାଜନ ଇତିହାସ

ବିଷ୍ଣୁ ସ୍ୱରୂପ ମହାମାୟା

ଇନ୍ଦ୍ର ପାଳିତ ପାଇ ତାହା

ଇନ୍ଦ୍ରଙ୍କୁ ଆଣି ତାହା ଦେଲେ

ଯାହାକୁ ଅସୁରେ ଶଙ୍କିଲେ

ଯେ ବିଦ୍ୟା ପ୍ରଭାବରୁ ଇନ୍ଦ୍ର

ଜାଣିଲା ଦାନବଙ୍କ ଭେଦ

ଦେଲେ ଇନ୍ଦ୍ରଙ୍କୁ ଦୀର୍ଘ ଶର

ମହତ ବିଶ୍ୱରୂପଧର

ଇନ୍ଦ୍ରଙ୍କ ଗୁରୁଦ୍ରୋହ ଦୋଷ

କହିଲେ ଜଗନ୍ନାଥ ଦାସ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ଇନ୍ଦ୍ର ଅପରାଧ କଥନେ

ନାମ ସପ୍ତମୋଽଧ୍ୟାୟଃ ।

•••

 

ଅଷ୍ଟମ ଅଧ୍ୟାୟ

 

ରାଜୋବାଚ

ଶୁଣ ହେ ମୁନି ତପୋଧନ

ଯେ ତୁମ୍ଭେ କହିଲ ବିଧାନ

ଯେଣେ ରକ୍ଷା ଇନ୍ଦ୍ର ହୁଅଇ

ସ୍ୱର୍ଗେ ଇନ୍ଦ୍ର ଭୋଗ କରଇ

ଜଗତ ରଙ୍ଗ ରିପୁବଳେ

କଳା ମାତ୍ରକେ ଏ ଶୟଳେ

ତୁଲ୍ୟ କେ ଅଶେଷ ସମ୍ପଦେ

ଭୁଞ୍ଜୁ ଅଛନ୍ତି ଅପ୍ରମାଦେ

ଭୋ ସ୍ୱାମୀ ମୋରେ ଯେବେ ଦୟା

ବିସ୍ତାରି କହ କି ନା ତାହା

କେମନ୍ତ ବେଳେ ନାରାୟଣ

ଇନ୍ଦ୍ରର ରକ୍ଷଣ କାରଣ

ଯେ କର୍ମବଳେ ଶତ୍ରୁ ଜିଣି

ସ୍ୱର୍ଗେ ନିର୍ଭୟେ ବଜ୍ରପାଣି

ବାଦରାୟଣିରୁବାଚ

ଇନ୍ଦ୍ର ନିମନ୍ତେ ହୋଇ କୃତ

ପ୍ରସନ୍ନ ହୋଇ ପୁରୋହିତ

ସେ କର୍ମ ନାମ ନାରାୟଣ

କହିବା ଏକମନେ ଶୁଣ

ବିଶ୍ୱରୂପ ଉବାଚ

ମୋର ଚରଣେ ଯେବେ ଧ୍ୟାୟି

ପରମ ବ୍ରହ୍ମ ସୁଖ ହୋଇ

ମନ୍ତ୍ରରେ କରି ଅଙ୍ଗନ୍ୟାସ

ମଉନ ଶୁଚି ହୋଇ ତୋଷ

ଏମନ୍ତ କର୍ମ ନାରାୟଣ

ରାଜନ ସାବଧାନେ ଶୁଣ

ନିକଟେ ଭୟ ଯେତେବେଳେ

ଉଦୟ ହୃଦୟ କମଳେ

ଚରଣ ଜାନୁ ବକ୍ଷସ୍ଥଳେ

ମନ୍ତ୍ରକୁ ନ୍ୟାସିବେ ଚପଳେ

ଓଁ କାର ଆଦି ନାରାୟଣ

ଉଚ୍ଚାର କରିବ ତକ୍ଷଣ

କରିବ କର ଅଙ୍ଗନ୍ୟାସ

ସେ ବିଦ୍ୟା ଅଛଇ ଦ୍ୱାଦଶ

ପ୍ରଣବ ଆଦିକରି ଯେତେ

କରିବ ବିଶୁଦ୍ଧି ନିମନ୍ତେ

ତର୍ଜ୍ଜନୀ ଆଦି ଅଙ୍ଗୁଳିରେ

ନ୍ୟାସିବ ମନ୍ତ୍ରକୁ କ୍ରମରେ

ହୃଦରେ ଦେଇଣ ଓଁ କାର

ମସ୍ତକେ ନ୍ୟାସିବ ବକାର

ସକାର ଭୂରୁଯୁଗେ ଦେଇ

ଣକାର ଶିଖାରେ ବସାଇ

ବକାର ନୟନ ମଧ୍ୟରେ

ନକାର ମକାର ସନ୍ଧିରେ

ଓଁ କାର କରିବ ସ୍ମରଣ

ମନ୍ତ୍ର ସ୍ୱରୂପ ହୋଇ ଜନ୍ମ

ବିଷ୍ଣୁର ନାମ ଉଚ୍ଚାରିବ

ଓଁ କାର ତାର ଅଦ୍ୟେଦେବ

ପରମ ଆତ୍ମା ଯେଉଁମାନେ

ଧ୍ୟାନ କରିବ ଏ ବିଧାନେ

ଷଟ ଶକତି ଆଦି ଯୁକ୍ତ

ଅନାଦି ଦିବ୍ୟ ଶୁଦ୍ଧ ଚିତ୍ତ

ଯେ ହରି ଗରୁଡ଼ ପୃଷ୍ଠରେ

ପାଦ ପଦ୍ମ ଦେଇଛି ଶିରେ

ଯା ଅଷ୍ଟ ବାହୁରେଣ କରି

ଚକ୍ର ଅସି ଗଦାଦି ଧରି

ବିଷୟ ପାପକୁ ଯେ ହରେ

ରଖନ୍ତୁ ସେ ସର୍ବକାଳରେ

ଯେ ଜଳେ ମତ୍ସ୍ୟରୂପ ହୋଇ

ସେ ପ୍ରଭୁ ରକ୍ଷାକରୁ ଦେହି

ଜଳଜନ୍ତୁଙ୍କ ସକାଶରୁ

ରଖିବେ ବରୁଣ ଆଗରୁ

ମାୟା ବାମନ ରୂପ ଜଳେ

ସେ ରକ୍ଷାକରୁ ଅବହେଳେ

ତ୍ରିବିକ୍ରମ ରଖୁ ଭୂମିରେ

ଏ ବିଶ୍ୱରୂପ ଆକାଶରେ

ଦୁର୍ଗମ ଗ୍ରାମ ଆଦିକରି

ସେ ସ୍ଥଳରୁ ମୋତେ ଉଦ୍ଧରି

ଅସୁର ଯୂଥର ବଇରୀ

ନୃସିଂହ ମୋତେ ସେ ଉଦ୍ଧରି

ଯାହାର ଉଟ୍ଟହାସ ଶୁଣି

କମ୍ପନ୍ତି ଦିଗ ଯେ ଧରଣୀ

ସେ ପ୍ରଭୁ ଯୁଦ୍ଧ ଆଦି ସ୍ଥଳେ

ମୋତେ ରଖନ୍ତୁ ଅବହେଳେ

ପଥେ ରଖନ୍ତୁ ଯଜ୍ଞକଳ୍ପ

ଅଖିଳଧାରୀ ବିଶ୍ୱରୂପ

ଶ୍ରୀରାମ ଲକ୍ଷ୍ମଣ ସହିତେ

ପ୍ରବାସେ ରଖନ୍ତୁ ସେ ମୋତେ

ନାନାଦି ଅନ୍ୟାୟରୁ ଜାଣ

ମୋତେ ରଖନ୍ତୁ ନାରାୟଣ

ଆଉ ସେ ନରରୂପୀ ହରି

ରଖନ୍ତୁ ଗର୍ବରୁ ଉଦ୍ଧରି

ଯୋଗଭ୍ରଷ୍ଟରୁ ଦତ୍ତାତ୍ରେୟ

ରଖନ୍ତୁ ହୋଇ ସେ ସଦୟ

କପିଳରୂପୀ ଦେବ ହରି

ରଖନ୍ତୁ କର୍ମ ବନ୍ଧ ହରି

କାମତାପୁଁ କରି ଉଦ୍ଧାର

ରଖନ୍ତୁ ସନତ କୁମାର

ଦେବହେଳନାଦି ଦୋଷରୁ

ହୟଗ୍ରୀବ ମୂର୍ତ୍ତି ଉଦ୍ଧରୁ

ଅନ୍ୟଦେବ ସେବା ଦୋଷରୁ

ନାରଦରୁପୀ ରକ୍ଷା କରୁ

ଅପଥ୍ୟାଦି ରୋଗ ତାପରୁ

ଧନ୍ୱନ୍ତରୀ ମୁର୍ତ୍ତି ଉଦ୍ଧରୁ

ନାଶି ଦୁଃଖ ଶୋକାଦି ଭୟ

ଋଷଭ କରନ୍ତୁ ଅଭୟ

ଜନାପବାଦରୁ ତୁରିତେ

ତାରନ୍ତୁ ଯଜ୍ଞମୂର୍ତ୍ତି ମୋତେ

ଜଳ ନିମିତ୍ତ ଉତପାତ

ନାଶି ରଖନ୍ତୁ ହଳହସ୍ତ

ସର୍ପଙ୍କ ପ୍ରତାପରୁ ମୋତେ

ଶେଷରୂପୀ ରଖୁ ଯୁକତେ

କଳିର ପାପ ନାଶ କରି

ରଖନ୍ତୁ କଳ୍‌କୀ ରୂପଧାରୀ

ହେ ଦେବ ଇନ୍ଦ୍ର ଏ ବିଧିରେ

ଧ୍ୟାୟିବା ଦିବା ରଜନୀରେ

ପ୍ରାତଃକାଳରେ କୃପା କରି

ମୋର ସକଳ ରିଷ୍ଟ ହରି

ରଖନ୍ତୁ ନାରାୟଣ ମୋତେ

ଗଦା ଶକ୍ତି ଧରିଣ ହସ୍ତେ

ରଖିବେ ବିଷ୍ଣୁ ଚକ୍ରଧର

ଦିବସ ମଧ୍ୟମ ଭାଗର

ରଖନ୍ତୁ ସାୟଂକାଳେ ମୋତେ

ତ୍ରିଧାମ ମାଧବ ତୁରିତେ

ଅପରାହ୍ନରେ ମଧୁଅରି

ରଖିବେ କରେ ଧନୁ ଧରି

ପ୍ରଦୋଷେ ରଖୁ ହୃଷୀକେଶ

ଅଶେଷ ବ୍ରହ୍ମାଣ୍ଡର ଈଶ

ଅର୍ଦ୍ଧରାତ୍ର ତଥା ନିଶୀଥେ

ରଖିବେ ପଦ୍ମନାଭ ମୋତେ

ଶ୍ରୀବତ୍ସ ଧାମ ମଧ୍ୟଗତେ

ଖଡ୍‌ଗ ଆୟୁଧ ଧରି ହସ୍ତେ

ଅନୁସନ୍ଧ୍ୟାରେ ଦାମୋଦର

ରାତ୍ର ପ୍ରଭାତେ ବିଶ୍ୱେଶ୍ୱର

କାଳ ମୂରତି ଭଗବାନ

ରଖନ୍ତୁ ମୋହର ଜୀବନ

ଯୁଗାନ୍ତ ଅନଳ ପରାୟେ

ଯାର ନେମିର ତେଜ ହୋଏ

କୃଷ୍ଣରେ ନିଯୋଜିତ ହୋଇ

ନିର୍ଭୟେ ଜଗତେ ଭ୍ରମଇ

ସେ ଚକ୍ର ମୋର ଅରି ସୈନ୍ୟ

ଦହନ କରିବେ ବହନ

ପବନ ସହ ହୁତାଶନ

ଦହଇ ଯେହ୍ନେ ଶୁଷ୍କ ତୃଣ

ସେ ଗଦା ବକ୍ର ପ୍ରାୟ ହୋଇ

ସ୍ପୁଲିଙ୍ଗ ତୁମ୍ଭର ବାଧଇ

ତୁମ୍ଭେ ଅଖିଳନାଥ ପ୍ରିୟା

ମୁଁ ତାଙ୍କ ଦାସ କର ଦୟା

କୁଷ୍ମାଣ୍ଡ ବିନାୟକ ଯକ୍ଷ

ଗୁହ୍ୟକଗଣ ଭୂତ ରକ୍ଷ

ପିଶାଚ ପ୍ରେତ ଗ୍ରହଗଣ

ଶୀଘ୍ରେ କରନ୍ତୁ ପ୍ରମନ୍ଥନ

ହେ ପାଞ୍ଚଜନ୍ୟ ଦରସାର

ସେ ଭୀମନାଦରେ ତୋହର

ଶତ୍ରୁଙ୍କ ହୃଦୟ କମ୍ପଇ

ଦ୍ରବାଅ ମହାଭୟ ଦେଇ

ହତ ହୋଇବେ ଯାଦୁଧାନେ

ସ୍ୱର୍ଗ ଲଭିବେ ଦେବଗଣେ

ତେଜ ଗୁଣ ଯେତେ ଆୟୁଧ

ପୁଣିହିଁ ଲଭିବ ସମ୍ପଦ

ମୋର ଭକତ ଲୋକଙ୍କର

ହିଂସା ନୋହିବ ପୁନର୍ବାର

ପୁଣି କହନ୍ତି ବିଶ୍ୱରୂପ

କହିବା ଶୁଣ ସାଧୁନୃପ

ତୁମ୍ଭର ଖଡ୍‌ଗେ ତୀକ୍ଷ୍‌ଣ ଧାର

ଅଶେଷ ରିପୁବଳ ମାର

କୃଷ୍ଣରେ ତୋର ପ୍ରୟୋଜିତ

ଛେଦନ କର ଅବିରତ

ସେ ଶତଚନ୍ଦ୍ର ତୁମ୍ଭେ ଶୁଣ

ଯେତେ ଅଛନ୍ତି ରିପୁଗଣ

ଏହାଙ୍କ ଲୋଚନ ଆଚ୍ଛାଦ

ଈକ୍ଷଣ ହେଉ ତାଙ୍କ ଭେଦ

ଯେ ମୋହ ଭୟ ଜାତ ହୋଇ

ଗ୍ରହମାନଙ୍କେ କେତୁ ତୁହି

ଯେ ନର ସରୀସୃପ ଆଦି

ହିଂସ୍ର ଜନ୍ତୁ ଭୂତ ପ୍ରେତାଦି

ଅନ୍ୟ ଯେ ଆମ୍ଭ ମନ୍ଦ ଚିନ୍ତି

ଶ୍ରେୟରେ ବ୍ୟାଘାତ କରନ୍ତି

ଶ୍ରୀକୃଷ୍ଣ ଅସ୍ତ୍ରରୂପ ନାମ

ଯେଣୁ ମୁଁ କଲି ସଂକୀର୍ତ୍ତନ

ତେଣୁ ଏ ଦୁଷ୍ଟମାନେ ସର୍ବେ

କ୍ଷୟକୁ ପ୍ରାପତ ହୋଇବେ

ଯେ ମୋର ଶ୍ରେଷ୍ଠ ତା ଚରଣେ

ହିଂସା କରନ୍ତି ଦୁଷ୍ଟପଣେ

ଆତ୍ମାର ଅଂଶେ ପ୍ରାଣୀଙ୍କର

ସକଳ ଶରୀରୁ ବାହାର

ଭଗବାନ ଗରୁଡ ମୋତେ

ରକ୍ଷା କରିବେ ଅନୁବ୍ରତେ

ରଖିବେ ବିଶ୍ୱରୂପ ହରି

ଅଶେଷ କଷ୍ଟୁ ମୋତେ ତାରି

ବିଷ୍ଣୁର ନାମରୂପ ଯାନ

ଆବର ଆୟୁଧ ବାହନ

ଏମାନେ ହୋଇ ପରସନ୍ନ

ଆପଦୁଁ କରିବେ ମୋଚନ

ପ୍ରଭୁ ନିକଟେ ଯେତେ ଜନ

ଅପରେ ଛନ୍ତି ଭୃତ୍ୟଗଣ

ବୁଦ୍ଧି ଇନ୍ଦ୍ରିୟ ମୋର ମନ

ସେ ସର୍ବେ ରଖନ୍ତୁ ମୋ ପ୍ରାଣ

ଏମନ୍ତ ପ୍ରଭୁ ଭଗବାନ

ଅବ୍ୟୟ ସତ୍ୟର କାରଣ

ଏହି ସତ୍ୟରେ ମୋର ସର୍ବ

ନଷ୍ଟ ହୁଅନ୍ତୁ ଉପଦ୍ରବ

ଏମନ୍ତେ ପରମ ଈଶ୍ୱର

ରକ୍ଷା କରିବେ ମୋ ଶରୀର

ଭୂଷଣ ଆଉ ଶସ୍ତ୍ରମାନ

ମାୟାରେ ହ୍ୱନ୍ତି ଭଗବାନ

ସର୍ବଜ୍ଞ ଭଗବାନ ହରି

ସଦା ସର୍ବଦା ଦୟାକରି

ଦିଗ ବିଦିଗ ଅଧ ଉର୍ଦ୍ଧ୍ବ

ରଖନ୍ତୁ ନରସିଂହ ଦେବ

ସ୍ୱନରେ ଲୋକ ଭୟ ଧ୍ୱଂସେ

ସ୍ୱତେଜେ ସର୍ବ ତେଜ ନାଶେ

ଭୋ ଇନ୍ଦ୍ର ଶୁଣ ମୋ ବଚନ

କହିଲି ଧର୍ମ ପରାୟଣ

ତୁମ୍ଭେ ଏ ବର୍ମକୁ ଧାରଣ

ଶରୀରେ କର ଦେବଗଣ

ଅସୁର ଯୂଥପତି ଯୁଦ୍ଧେ

ଜୟ କରିବ ଅପ୍ରମାଦେ

ଏ ବିଦ୍ୟା ଯାର ଯହିଁ ଥାଇ

ସେ ଜନ ଯାହାକୁ ଦେଖଇ

ପାଦେ ବା ସ୍ପରଶ କରଇ

ତା ଗାତ୍ରେ ଭୟ ନ ରହଇ

ଏ ବିଦ୍ୟା ଯେହୁ ଧରିଥାଇ

ଭୟ ତାହାର କିଛି ନାହିଁ

ଚୋର ତସ୍କର ଗ୍ରହ ଆଦି

ରାଜଭୟ ଯେ ନାନା ବ୍ୟାଧି

ଏ ବିଦ୍ୟା ପୂର୍ବେ ବିପ୍ର ଏକ

ଧରିଣ ଥିଲା କଉଶିକ

ମରୁଭୂମିରେ ବସି ସେହି

ଯୋଗ ଧାରଣେ ନିଜ ଦେହୀ

ତେଜିଲା ତହିଁ ଦ୍ୱିଜବର

ଶୁଣ କହିବା ସୁନାଶୀର

ଗନ୍ଧର୍ବପତି ଏକଦିନେ

ତାହାର ଉପରେ ବିମାନେ

ଯାଉଣ ଥିଲା ଚିତ୍ରରଥ

ଅମର କନ୍ୟାରେ ବେଷ୍ଟିତ

ବ୍ରାହ୍ମଣ ଯହିଁ ମରିଥିଲା

ତାହାଙ୍କ ଉର୍ଦ୍ଧ୍ୱେ ଯହୁଁ ଗଲା

ଗଗନୁ ପଡିଲା ତକ୍ଷଣେ

ବିମାନ ଗଲା ତାର କେଣେ

ପଡିଲା ଅଧୋମୁଖ ହୋଇ

ସଭୟେ ଚକିତେ ଅନାଇ

ବାଳଖିଲ୍ୟାର ବାକ୍ୟ ଶୁଣି

ତକ୍ଷଣେ ବିପ୍ର ଅସ୍ଥି ଆଣି

ନଦୀରେ ନେଇ ପକାଇଲା

ମନରେ ବିସ୍ମୟ ହୋଇଲା

ସରସ୍ୱତୀରେ କରି ସ୍ନାନ

ଶୀଘ୍ରେ ସେ କଲାକ ଭୋଜନ

ପୁଣି ବିମାନେ ଆରୋହିଲା

ସୁଖେ ସେ ନିଜ ପୁରେ ଗଲା

ଶ୍ରୀ ଶୁକ ଉବାଚ

ଯେ ଏହା ଶ୍ରବଣରେ ଶୁଣି

ଆଦର କରି ଧରେ ପ୍ରାଣୀ

ସେ ସର୍ବ ପାପୁଁ ହୁଏ ପାର

ସର୍ବେ କରନ୍ତି ନମସ୍କାର

ଇନ୍ଦ୍ର ବିଶ୍ୱରୂପରେ ତହିଁ

ଏ ମହାବିଦ୍ୟା ଶିକ୍ଷା ପାଇ

ସଂଗ୍ରାମେ ଦୈତ୍ୟଙ୍କୁ ଜିଣିଲେ

ତ୍ରୈଲୋକ୍ୟେ ଲକ୍ଷ୍ମୀ ଭୋଗକଲେ

ଦ୍ୱିଜ ଜଗନ୍ନାଥ ବୋଲଇ

ନାମ ଶ୍ରବଣେ ସିଦ୍ଧ ହୋଇ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ନାରାୟଣ ଧର୍ମୋପଦେଶ କଥନେ

ନାମ ଅଷ୍ଟମୋଽଧ୍ୟାୟଃ ।

•••

 

ନବମ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

ଶୁଣ ହେ ସେ ବିଶ୍ୱରୂପର

ତ୍ରିଶିର ଥିଲା ନୃପବର

ଏକ ମୁଖରେ ସୋମପାନ

କରଇ ସେହୁ ପ୍ରତିଦିନ

ଦ୍ୱିତୀୟେ ସୁରାପାନ କରେ

ଅନ୍ନ ଭକ୍ଷଇ ତୃତୀୟରେ

ସେ ବିଶ୍ୱରୂପ ବିନୟରେ

ଦେବଗଣଙ୍କୁ ଉଚ୍ଚ ସ୍ୱରେ

ଡାକି ଦିଅଇ ହବିର୍ଭାଗ

ଯେଣୁ ସେମାନେ ପିତୃବର୍ଗ

ପୁଣି ସେ ମାତୃ ସ୍ନେହବଶ

ହୋଇଣ ଅର୍ଜିଲା ଅଯଶ

ଦେଲା ଅସୁର ମାନଙ୍କରେ

ଯଜ୍ଞ ଭାଗକୁ ପରୋକ୍ଷରେ

ମାତୃପକ୍ଷରେ ସ୍ନେହ କରି

ଏମନ୍ତ କର୍ମ ସେ ଆଚରି

ଏମନ୍ତେ ଦେବଙ୍କ ହେଳନ

ଦେଖି ତାହାଙ୍କୁ ଭଗବାନ

ଭୟେ ହୋଇଣ ଖରତର

ରୋଷେ ଛେଦିଲେ ତାର ଶିର

ଯେ ମୁଖେ କରେ ସୋମ ପାନ

ତାହାକୁ କରନ୍ତେ ଛେଦନ

ଜନ୍ମିଲା ହୋଇ ପକ୍ଷୀ ଏକ

ନାମ ତା ହୋଇଲା ଚାତକ

ସୁରାପାୟୀ ଯେଉଁ ମସ୍ତକ

ଛେଦନ୍ତେ ସେ ହେଲା ଚଟକ

ଅନ୍ନଭୋଜୀ ମସ୍ତକ ତାର

ହୋଇଲା ତିତ୍ତିରୀ ଆକାର

ଏମନ୍ତ ସେ ବିଶ୍ୱରୂପର

ଇନ୍ଦ୍ର ଛେଦିଲେ ତହୁଁ ଶିର

ଏ ପାପୁ ଲୋକେ କଲେ ନିନ୍ଦା

ଇନ୍ଦ୍ର ପାଇଲେ ମନେ ବାଧା

ଆତ୍ମାର ବିଶୁଦ୍ଧି ନିମନ୍ତେ

ବିଭାଗ କରି ଏହି ମତେ

ସ୍ତ୍ରୀ ଭୂ ଜଳ ଦ୍ରୁମ ଠାବରେ

ଅର୍ପିଲେ ଏମନ୍ତ ପ୍ରକାରେ

ଭୂମି ଘେନିଲେ ଭାଗ ଚାରି

ଖ୍ୟାତ ପୂରଣ ବର ବରି

ସେ ପାପୁଁ ଉଷର ଭାବରେ

ଦୃଷ୍ଟି ହୁଅଇ ଏ ଭୂମିରେ

ଦ୍ରୁମ ଘେନିଲେ ଚାରି ଭାଗ

ବରେକ ହେଲେ ମହାଭାଗ

ଛେଦନ କରନ୍ତେ ଏ ଦ୍ରୁମ

ପୁଣି ଅଙ୍କୁର ହେଉ ଜନ୍ମ

ନିର୍ଯ୍ୟାସ ରୂପେ ଏହାଙ୍କର

ପାପ ଦିଶଇ ନୃପବର

କାମ ବଶରେ ସ୍ତିରୀଜନ

ସମ୍ଭୋଗ କରୁ ପ୍ରତିଦିନ

ସେ ନାରୀ ଏ ବର ପାଇଣ

ଚାରିଭାଗ କଲା ଗ୍ରହଣ

ରଜ ରୂପରେ ପ୍ରତି ମାସ

ଏବେହେଁ ପାପେ ହ୍ୱନ୍ତ ଦୃଶ୍ୟ

ପାପର ଶେଷ ଚାରି ଅଂଶ

ଜଳକୁ ଦେଇ ଦେବ ଈଶ

ପୁଣି ସେ ଦେଲେ ତାକୁ ବରେ

ମିଶ୍ରିତ କ୍ଷୀରାଦି ଦ୍ରବ୍ୟରେ

ସେ ପାପ ବୁଦ୍‌ବୁଦ୍‌ ଆକାରେ

ଅଦ୍ୟାପି ଦିଶଇ ସଂସାରେ

ସେହି ଫେଣକୁ ପକାଇଲେ

ଜଳର ପାପ ନାଶେ ଭଲ

ଏମନ୍ତ ପ୍ରକାରେ ହେ ନୃପ

ହରି କଳ୍ପିତେ ହେଲା ପାପ

ସେ ଅନନ୍ତରେ ସେ ତ୍ୱଷ୍ଟାର

ହତ ହେଲା ଯେଣୁ କୁମର

ପୁତ୍ର ଶୋକରେ ଦୁଃଖୀ ହୋଇ

ଇନ୍ଦ୍ରର ଶତ୍ରୁ ବୃଦ୍ଧି ପାଇଁ

ହୋମ ଆରମ୍ଭକୁ ବିଚାରି

ବୋଇଲେ ଅତି କ୍ରୋଧ କରି

ଇନ୍ଦ୍ରର ଶତ୍ରୁ ହୋଇ ଜାତ

ବେଗେ ଇନ୍ଦ୍ରକୁ କରୁ ହତ

ଏମନ୍ତ ବୋଲି ସେ ବଚନ

କେତେ ଆହୁତି କଲା ଦାନ

ପୁରୁଷେ ତହିଁରୁ ବାହାର

ରୂପ ତା ଅତି ଭୟଙ୍କର

ଯୁଗ ଅନ୍ତ କାଳେ ଯେମନ୍ତ

ପ୍ରାଣୀଙ୍କି ଯେସନେ କୃତାନ୍ତ

ଦିନକୁ ଦିନ ଅତି ଘୋର

ସଞ୍ଚଇ ଆତ୍ମାରୂପ ତାର

ଦଗଧ ଗିରି ପ୍ରାୟ ହୋଇ

ତାହାର ଶରୀର ଦିଶଇ

କାନ୍ତି ତାହାର ବିରାଜଇ

ସନ୍ଧ୍ୟାରେ ମେଘମୟ ହୋଇ

ତପତ ତାମ୍ର ପ୍ରାୟ ହୋଇ

ତା କେଶ ଶ୍ମଶ୍ରୁ ବିରାଜଇ

ମଧ୍ୟାହ୍ନ ରବି ପ୍ରାୟ ହୋଇ

ବେନି ଲୋଚନ ବିରାଜଇ

ଅନଳ ତେଜ ପ୍ରାୟେ ତାର

ଏମନ୍ତ ଶୂଳ ଧରି କର

ବୁଲାଇ ଅତି ଖରତର

ଶବଦ କରେ ମହା ଘୋର

ନୃତ୍ୟ କରଇ ମତ୍ତ ହୋଇ

ପାଦେ କମ୍ପଇ ମହାମହୀ

ଗିରି ଗୃହ ପ୍ରାୟେ ବଦନ

ତେଣୁ କି ଗ୍ରାସିବ ଗଗନ

ଜିହ୍ୱା ବୁଲାଉଛି ଏସନ

ଗିଳିବ କିବା ତ୍ରିଭୁବନ

ଦନ୍ତ ଅତି ଉଗ୍ର ଦିଶଇ

ପ୍ରାଣୀଙ୍କି ପୁଣି ହି ହିଂସଇ

ଭୀତ ହୋଇଣ ସର୍ବଜନ

ଗଲେ ସେ ଜୀବନ ଘେନିଣ

ତ୍ୱଷ୍ଟାର ପୁତ୍ର ଏ ସେ ପାପ

ଲୋକେ ପାଇଲେ ବହୁ ତାପ

ଦାରୁଣ ଏ ବୃତ୍ର ଅସୁର

ଏ ରୂପେ ଜନମ ତାହାର

ଅମରେ ଇନ୍ଦ୍ରଙ୍କ ସହିତେ

ମିଳିଲେ ତାହାର ଅଗ୍ରତେ

ଯେ ଯାହା ଶସ୍ତ୍ର ଧରି କରେ

ପିଟିଲେ ବୃତ୍ରର ଉପରେ

ଶସ୍ତ୍ରଟି ଯେତେ ଦେବଙ୍କର

ସବୁ ଗିଳିଲା ସେ ଅସୁର

ଏ ଅନନ୍ତରେ ଦେବଗଣ

ବିସ୍ମୟ ହୋଇ ହତଜ୍ଞାନ

କୃଷ୍ଣରେ ମନ ସ୍ଥିର କଲେ

ମହାପୁରୁଷ ଆରାଧିଲେ

ଦେବାଉଚୁଃ

ପବନ ଆକାଶ ଯେ ଅଗ୍ନି

ଜଳର ସହିତେ ଅବନୀ

ଏ ମହାଭୂତେ ହୋଇ ଏକ

ନିର୍ମିତ ହୋଇଛି ତ୍ରିଲୋକ

ବ୍ରହ୍ମାଦି କରି ଆମ୍ଭେମାନେ

ଉଦ୍‌ବେଗ ପାଉଅଛୁ ମନେ

ଯାହାକୁ ବଳି ଆମ୍ଭେମାନେ

ଦେଉ ଯେ ଅଛୁଁ ଅବିଚ୍ଛିନ୍ନେ

ଯେ କାଳଅନ୍ତକ ବୋଲାଇ

ସେ ଯାହାଠାରୁ ଭୟ ପାଇ

ସେ ପ୍ରଭୁ ଆମ୍ଭର ଶରଣ

ହୁଅନ୍ତୁ ଅଖିଳ କାରଣ

ସେ ଅବିସ୍ମିତ ପୂର୍ଣ୍ଣକାମ

ପ୍ରଶାନ୍ତି ସର୍ବଭୂତେ ସମ

ଏମନ୍ତ ଯେ ପରମେଶ୍ୱର

ତାହାକୁ ତେଜି ଯେଉଁ ନର

ଅନ୍ୟରେ ପଶଇ ଶରଣ

ମୂର୍ଖ ବୋଲିଣ ତାକୁ ଜାଣ

ଶ୍ୱାନ ପୁଚ୍ଛକୁ ଧରି କରେ

ଅଗମ୍ୟ ସିନ୍ଧୁ କେହୁ ତରେ

ନଉକାମତେ ଏ ସଂସାରେ

ଶୃଙ୍ଗରେ ବାନ୍ଧି ନିରାକାରେ

ଭାସୁଅଛନ୍ତି ଦୁର୍ଗମରୁ

ପ୍ରଭୁ ତାରିବେ ସଙ୍କଟରୁ

ଏମନ୍ତ ଯେହୁ ମହାବାହୁ

ତାରିବେ ବୃତ୍ରାସୁର ତହୁଁ

ଯେ ଏକ ଇଶ୍ୱର ଅଟଇ

ମାୟାରେ ଆମ୍ଭଙ୍କୁ ସୃଜଇ

କରୁଛି ଜଗତ ପାଳନେ

ଯାର ପ୍ରସାଦୁ ଆମ୍ଭେମାନେ

ଯାର ମହିମା ଯେ ପ୍ରସିଦ୍ଧି

ଆମ୍ଭେ ନ ଜାଣୁ ମନ ବୁଦ୍ଧି

ଆମ୍ଭେ ଇଶ୍ୱର ବୋଲି ମାନି

ମୋହରେ ଯେସନେ ଅଜ୍ଞାନୀ

ଶତ୍ରୁରଠାରୁ ଆମ୍ଭେମାନେ

ଦୁଃଖ ପାଇଲୁ ଅନୁକ୍ଷଣେ

ଋଷି ମନୁଷ୍ୟ ପଶୁଆଦି

ସଂସାରେ ଯେତେକ ପ୍ରସିଦ୍ଧି

ଆମ୍ଭେ ଏ ସର୍ବେ ଅରକ୍ଷିତ

ରଖିବା ପ୍ରଭୁ ଲକ୍ଷ୍ମୀକାନ୍ତ

ଯେ ପ୍ରଭୁ ଧରି ଅବତାର

ଖଣ୍ଡଇ ଦୁଃଖକୁ ଆମ୍ଭର

ସେ ଯୁଗେ ଯୁଗେ ରକ୍ଷାକରୁ

ତାଙ୍କ ମହିମା ମହାମେରୁ

ପ୍ରଧାନ ପରମ ପୁରୁଷ

ଅଶେଷ ସଂସାରରେ ଈଶ

ଅଖିଳ ଜନ୍ତୁଙ୍କ ଶରଣ

ଏମନ୍ତ ଯେଉଁ ନାରାୟଣ

ଆମ୍ଭେ ତାହାଙ୍କର ଶରଣ

ଆମ୍ଭଙ୍କୁ କରନ୍ତୁ କାରଣ

ଶ୍ରୀ ଶୁକ ଉବାଚ

ଦେବଙ୍କ ସ୍ତୁତି ଏ ବଚନ

ଶୁଣି ସନ୍ତୋଷ ଭଗବାନ

ପୂର୍ବ ଦିଗରେ ହେ ରାଜନ

ହୋଇଲେ ଆସି ସୁପ୍ରସନ୍ନ

ଶଙ୍ଖ ଚକ୍ର ଗଦା କମଳ

ଧରିଣ ପ୍ରଭୁ ଆଦିମୂଳ

ସେବାରେ ଛନ୍ତି ଅନୁକ୍ଷଣ

ଆତ୍ମାର ତୁଲ୍ୟ ଷୋଳଜଣ

ଶ୍ରୀବତ୍ସ କଉସ୍ତୁର ଭିନ୍ନେ

ପୂର୍ଣ୍ଣ ହୋଇଣ ସର୍ବଗୁଣେ

ବିକଚ କମଳ ଲୋଚନ

ଦେବେ ଦେଖିଣ ହୃଷ୍ଟମନ

ଇନ୍ଦ୍ରାଦିଦେବେ ଯେତେବେଳେ

ପ୍ରଭୁଙ୍କୁ ନମିଲେ ସକଳେ

ଦଣ୍ତବତ ପ୍ରାୟ ରାଜନ

ସ୍ତୁତି କରନ୍ତି ଏ ବଚନ

ଦେବାଉଚୁଃ

ତୁମ୍ଭେ ଯେ ସର୍ବ ଯଜ୍ଞବର

ତୁମ୍ଭଙ୍କୁ କରୁ ନମସ୍କାର

ସକଳ ବୟୋଧିଽକ ତୁମ୍ଭେ

ତୁମ୍ଭ ଚରଣେ ନମୁଁ ଆମ୍ଭେ

ଅଖିଲ ଈଶ୍ୱର ଯେ ତୁହି

ନମସ୍ତେ ପ୍ରଭୁ ଭାବଗ୍ରାହୀ

ନମସ୍ତେ ପ୍ରଭୁ ଚକ୍ରଧର

ତୁ ଗୁରୁଶ୍ରେଷ୍ଠ ହିତକର

ବ୍ୟାପିଛି ଆଦିତ୍ୟ ବ୍ରହ୍ମର

ତୁମ ଗତି କ୍ରୀଡ଼ା ବିହାର

ଏହା ସଂଖ୍ୟା କରିବା ପାଇଁ

ବିଧାତା ସମର୍ଥ ନୁହଇ

ହେ ଭଗବାନ ବାସୁଦେବ

ନାରାୟଣ ମହାନୁଭବ

ଆଦି ପୁରୁଷ ସର୍ବେଶ୍ୱର

କେବଳ ଜଗତ ଆଧାର

ପରମହଂସ ଲକ୍ଷ୍ମୀନାଥ

ଜଗତ ଜନ ଅନୁଗତ

ତୋହର ମହିମା ବିହାର

ବ୍ରହ୍ମାର ନୁହଇ ଗୋଚର

ପରମ କଲ୍ୟାଣର ମୂଳ

ଭୋ ନାଥ ପରମ ମଙ୍ଗଳ

ହେ ସର୍ବ ପରମ କାରଣ

ଅଖିଳ ଜନ୍ତୁଙ୍କ ଭାବନ

ପରମ ଯୋଗ ସମାଧିରେ

ଭଜନ୍ତି ବିବିଧ ପ୍ରକାରେ

ପରମହଂସ ମୁନିଜନେ

ସେବନ୍ତି ଯାହାର ଚରଣେ

ପରମହଂସ ମଧ୍ୟେ କରି

ପ୍ରଭାବ ଯାହାରେ ବିହରି

ଏମନ୍ତେ ଆତ୍ମା ଲୋକେ କରି

ଅଜ୍ଞାନ ଦୂରେ ପରିହରି

ଏମନ୍ତ ପ୍ରଭୁ ତୁ ଇଶ୍ୱର

ନମସ୍ତେ ବ୍ରହ୍ମାଣ୍ତ ଠାକୁର

ଏ ମାୟା ଅଖିଳ ସଂସାରେ

ଭୋ ପ୍ରଭୁ ଶରଣ ତୋହରେ

ତ୍ରିଗୁଣ ଘେନି ପ୍ରଭୁ ତୁହି

ସଂସାର ପାଳୁ ଭାବଗ୍ରାହୀ

ଭୋ ଦେବ ଏ ମାୟା ସଂସାରେ

ତ୍ରିଗୁଣେ ଜଡି ଯେଉଁ ନରେ

ପର କର୍ମରେ ବଶ ହୋଇ

ଶୁଭ ଅଶୁଭ ନ ଜାଣଇ

ତାହାର ଶୁଭାଶୁଭ ଫଳ

ତୁମ୍ଭର ତହିଁ ଆଦିମୂଳ

ଭୋ ସ୍ୱାମୀ ତୁମ୍ଭେ ଆତ୍ମାରାମ

ସକଳ କଳ୍ପେ ଉପଶମ

ତୁ ସର୍ବ ବସ୍ତୁର ବାହାର

ଏମନ୍ତ ମଣୁ ଚକ୍ରଧର

ତୋତେ ବିରୋଧ ନାହିଁ ପୁଣ

ଅପରିଚ୍ଛିନ୍ନ ତୋର ଗୁଣ

ସଂଖ୍ୟା ନୁହଇ ତୋ ମହିମା

ତୋହର କେ କହିବ ସୀମା

ବିତର୍କ କୁତର୍କ ବିଚାରେ

ପ୍ରମାଣ ନ ଜାଣି ଯାହାରେ

ନାନା ବିଚାରେ ଶାସ୍ତ୍ର ଆଦି

ସଂସାରେ ଯେତେକ ପ୍ରସିଦ୍ଧି

ଏହା ବିଚାରି ସାଧୁଜନେ

ଚିନ୍ତନ୍ତି ତୋତେ ଦିବ୍ୟଜ୍ଞାନେ

କ୍ଷଣକେ ମତି ତାହାଙ୍କର

ଭ୍ରମ କରାଉ ଚକ୍ରଧର

ସମୟେ ମାୟାମୟ ହେଉ

ନଟର ପ୍ରାୟ ତୁ ଦେଖାଉ

ଯଦ୍ୟପି ଏକରୂପ ହୁଅ

ନାନା ରୂପକୁ ତୁମ୍ଭେ ବହ

ବିଷମ ରୂପ ଯେ ତୁମର

ପ୍ରବେଶ ହୋଇଛି ମନର

ରଜ୍ଜୁରେ ସର୍ପବୁଦ୍ଧି ଯେହ୍ନେ

ଏକଇ ଦିଶେ ଭିନ୍ନେ ଭିନ୍ନେ

ବିଚାରେ ଏକବସ୍ତୁ ତୁହି

ସର୍ବ ଈଶ୍ୱର ତୁ ଗୋସାଇଁ

ସକଳ ଜନ୍ତୁଙ୍କ କାରଣ

ଶୋଭା ପାଉଛି ସର୍ବଗୁଣ

ତକ୍ଷଣେ ଆତ୍ମାରୂପ ଧରି

ରକ୍ଷିତ ହେଉ ନରହରି

ଯେବେ ତୁ ପରମ ପୁରୁଷ

ସକଳଠାରୁ ଅବଶେଷ

ଭୋ ପ୍ରଭୁ ମହିମା ତୁମ୍ଭର

ଅମୃତ ରସର ସାଗର

ତାହା ଆସ୍ୱାଦ କରି ମନେ

ଏକାନ୍ତ ଭକ୍ତ ଯେଉଁ ଜନେ

ବିଷୟା ସୁଖ ରସ ଛାଡି

ନିଗୂଢେ ଥାନ୍ତି ରସେ ବୁଡି

ସର୍ବଜ୍ଞ ଆତ୍ମାଭୁତ ପ୍ରାୟେ

ଭଗବାନ ସ୍ୱରୂପ ହୁଏ

ଏ ସର୍ବଗୁଣେ ପୂର୍ଣ୍ଣ ହୋଇ

କେ ତୋତେ ଜାଣେ ଭାବଗ୍ରାହୀ

ଅନୁବ୍ରତରେ ସ୍ଥିର ମନ

ତୁଣ୍ଡରେ ଭଜି ଭଗବାନ

ହେ ମଧୁମନ୍ଥନ ଈଶାନ

ଆତ୍ମା କୁଶଳେ ସାଧୁଜନ

କମଳ ଚରଣେ ତୁମ୍ଭର

ସେବୁ ଅଛନ୍ତି ନିରନ୍ତର

ସେ ପାଦେ ପଙ୍କଜରେ ମନ

ସଂସାରେ ଗତାଗତ ଜନ

ହୁଅଇ ଯାହାର ପ୍ରସାଦେ

ଗତି ଲଭଇ ଅପ୍ରମାଦେ

ତ୍ରୈଲୋକ୍ୟ ପ୍ରଭୁ ଭଗବାନ

ହେତୁ ବିକ୍ରମ ଯେଉଁ ଜନ

ତ୍ରୈଲୋକ୍ୟେ ଈଶ୍ୱର ଯେ ହରି

ଅନୁଭବ ରୂପ ଯାହାରି

ତୁମ୍ଭ ପ୍ରକୃତିରୁ ଉଦିତ

ଏମନ୍ତ ଯେତେକ ଦଇତ

ଏହାର ଯେତେ କର୍ମଫଳ

ଅନ୍ତ କରିବ ଆଦିମୂଳ

ମୃଗ ସହିତେ ଜଳଚରେ

ଆତ୍ମାର ଭୟେ ସୁର ନରେ

ଏ ଆଦି ଯେତେକ ଅସୁର

ଯଥା ଅସାଧ୍ୟେ ଦଣ୍ଡଧର

ଏମନ୍ତେ ତୁମ୍ଭେ ଯେ ଈଶ୍ୱର

ବୃତ୍ରକୁ ଭୋ ନାଥ ସଂହାର

କହିଲୁ ପ୍ରଭୁ ଭବଗ୍ରାହୀ

ଯେବେ ତୁମ୍ଭର ଇଚ୍ଛା ହୋଇ

ତୁମ୍ଭ ତନୟ ଆମ୍ଭେ ହୋଇ

ଭୋ ନାଥ ଆମ୍ଭ ପିତା ତୁହି

ତୋହର ଚରଣ ମୂଳେଣ

ମଜ୍ଜି ରହିଛି ଆମ୍ଭ ମନ

ରକ୍ଷା ପାଇବୁ ଭଗବାନ

ଆମ୍ଭ ବିନୟ ଏବେ ଘେନ

ଆମ୍ଭଙ୍କୁ ଅନୁଗ୍ରହ କରି

ଦୟା କରିବେ ନରହରି

ବିଶୁଦ୍ଧ ହାସ ମନୋହର

ବଦନ ଈକ୍ଷଣ ତୋହର

ସବୁ ଯେ ଥାଇ ମଧୁରସ

ଅମୃତ ସ୍ମିତ ମନ୍ଦହାସ

ଆମ୍ଭର ତ୍ରାସ ଦୂର କର

ଭୋ ନାଥ ଶରଣ ତୁମ୍ଭର

ଉତ୍ପତ୍ତି ସ୍ଥିତି ଯେ ପ୍ରଳୟ

ଏହା କାରଣେ ତୁମ୍ଭେ ହୁଅ

ସକଳ ଜୀବଠାରେ ତୁହି

ଅକ୍ଷର ବ୍ରହ୍ମରୂପ ହୋଇ

ତୁ ସର୍ବ ମାୟାଧର ରୂପ

ଅଶେଷ ପ୍ରଧାନ ସ୍ୱରୂପ

ତୁ ଦେଶ କାଳ ପାତ୍ର ହୋଇ

ସକଳଠାରେ ଅଛୁ ତୁହି

ସକଳ ବ୍ୟାପୀ ଚକ୍ରଧର

ଆାକାଶ ଶରୀର ତୁମ୍ଭର

ପରମବ୍ରହ୍ମ ରୂପ ତୁହି

ତୋ ତହୁଁ ଆମ୍ଭରୂପ ମୋହି

ଆମ୍ଭେ ଅଗ୍ନିରେ ତୃଣ ପ୍ରାୟେ

କିସ କରିବୁ ଦେବରାୟେ

ଆମ୍ଭ ପରମ ରୂପ ତୁହି

ତୋ ପାଦ ଶତଦଳ ଦୁଇ

ବିବିଧ ସତକର୍ମ ହୋଇ

ସଂସାରେ ପରିଶ୍ରମ ନାହିଁ

ଛେଦଇ ଯେ କଳୁଷ ଜଳ

ତୋର ମାୟାରେ ଆଦିମୂଳ

ଆଶ୍ରୟ କରି ଆମ୍ଭ ମନ

ଅକ୍ଷୟ ହେଉ ଭଗବାନ

ଆମ୍ଭର କାର୍ଯ୍ୟ ଆଦିମୂଳ

ଭୋ ନାଥ କର ତୁ ମଙ୍ଗଳ

ଗ୍ରାସିଛି ବୃତ୍ର ତ୍ରିଭୁବନ

ଏହା ସଂହାର ଭଗବାନ

ତେଜ ଆୟୁଧ ଯେ ଆମ୍ଭର

ନାଶୁଛି ପାପୀ ବୃତ୍ରାସୁର

ନମସ୍ତେ ପ୍ରଭୁ ଶୁଦ୍ଧରସ

ନିରାକାର ତୁ ପୀତବାସ

ନମସ୍ତେ କୃଷ୍ଣ ଅଟୁ ତୁହି

ବ୍ରହ୍ମାଣ୍ଡେ ତୋର ନାଶ ନାହିଁ

ଭବ ସାଗର ପଥଶ୍ରମ

ତୁ ନାଥ ଶୁଭ ଭଗବାନ

ପରମ ଗତି ଶ୍ରେଷ୍ଠତର

ନମସ୍ତେ ପରମ ଈଶ୍ୱର

ଶ୍ରୀ ଶୁକ ଉବାଚ

ଏଥୁ ଅନ୍ତରେ ହେ ରାଜନ

ସ୍ତୁତି ଯେ କଲେ ଦେବଗଣ

ସାଦରେ ସ୍ତୁତି ଶୁଣି ହରି

ସନ୍ତୋଷ ହେଲେ ଦଇତାରି

ଆନନ୍ଦ ହୋଇ ଭଗବାନ

ଦେବଙ୍କୁ କହନ୍ତି ବଚନ

ଭଗବାନୁବାଚ

ଏ ତୁମ୍ଭ ବିଦ୍ୟାର ସ୍ତୁତିରେ

ସନ୍ତୋଷ ହେଲୁ ଦେବବରେ

ମୁଁ ଯେବେ ହୁଅଇ ସନ୍ତୋଷ

କି ବାଞ୍ଛା କର ଯେ ପୁରୁଷ

ଏ ଯେଉଁ ବିଦ୍ୟାର ପ୍ରସାଦେ

ଦୃଢ ଭକତି ମୋର ପାଦେ

ଏହାଙ୍କୁ ଏକାନ୍ତେ ଯେ ମତି

ମୋ ତହୁଁ ଅନ୍ୟ ନ ବାଞ୍ଛନ୍ତି

ଗୁଣବନ୍ତକୁ ଯେ ଦେଖନ୍ତି

ଏମନ୍ତେ କୃପଣ ଯେ ଛନ୍ତି

ସେ ଆତ୍ମାଶ୍ରେୟ ନ ଜାଣନ୍ତି

ସଂସାରେ ମୋହେ ଯେ ପଡ଼ନ୍ତି

ହେ ଇନ୍ଦ୍ର ଯାଅ ହରଷେଣ

ତୁମ୍ଭର ହେଉ ଯେ କଲ୍ୟାଣ

ଅଥର୍ବଣ ସେ ଋଷି ବର

ମାଗ ତାହାଙ୍କର ଶରୀର

ବିଦ୍ୟାପୂରିତ ଯେ ତାହାର

ପବିତ୍ର ଇଚ୍ଛି ଯେ ଶରୀର

ଯାଞ୍ଚଞ୍ଜା ତୁମ୍ଭେମାନେ କଲେ

ଧର୍ମିଷ୍ଠ ଅଙ୍ଗ ଦେବେ ଭଲେ

ଅସ୍ଥି ତାହାଙ୍କର ଆଣିବୁ

ଆୟୁଧମାନ ଗଢାଇବୁ

ବିଶ୍ୱକର୍ମା ନିର୍ମିତ କରି

ବଧ୍ୟକୁ ବଧ ଧରି କରି

ସେ ବଜ୍ର ଧରିଣ ଅସୁର

ଛେଦିଣ ଶୁଣ ପୁରନ୍ଦର

ମୋହର ତେଜ ଚକ୍ର ହୋଇ

ସେ ତାକୁ ନାଶିବ ଯେ ଯାଇ

ହତ ହୋଇବେ ଦୈତ୍ୟମାନେ

ସ୍ୱର୍ଗ ଲଭିବ ଦେବଗଣେ

ତେଜ ଗୁଣେ ଯେତେ ଆୟୁଧ

ପୁଣିହିଁ ଲଭିବେ ସମ୍ପଦ

ମୋର ଭକତ ଲୋକଙ୍କର

ହିଂସା ନୋହିବ ପୁନର୍ବାର

ବୋଲଇ ବିପ୍ର ଜଗନ୍ନାଥ

ଇନ୍ଦ୍ରଙ୍କୁ କୃଷ୍ଣ କୃପା ଚିତ୍ତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ଭଗବଦୁପଦେଶା

ନାମ ନବମୋଽଧ୍ୟାୟଃ ।

•••

 

Unknown

ଦଶମ ଅଧ୍ୟାୟ

 

ବାଦରାୟଣିରୁବାଚ

ଏ ଭାବେ ଇନ୍ଦ୍ରଙ୍କୁ କହିଣ

ତକ୍ଷଣେ ଗଲେ ନାରାୟଣ

ଦେବତାମାନେ ଦେଖୁଥିଲେ

ତକ୍ଷଣେ ଅନ୍ତର୍ଦ୍ଧାନ ହେଲେ

ଶ୍ରୀକୃଷ୍ଣ ଆଜ୍ଞା ପରମାଣେ

ମାଗିଲେ ଯାଇ ଦେବଗଣେ

ମହତ ଋଷି ଆଥର୍ବଣ

ବୋଇଲେ ଶୁଣ ଦେବଗଣ

ଜନ୍ତୁଙ୍କ ପ୍ରାଣ ପରିତ୍ୟାଗ

ଦୁଃସହ ଦୁଃଖ ଯେତେ ଭୋଗ

ତୁମ୍ଭେ ସ୍ୱଭାବେ ଦେବଗଣ

ମରଣ ଦୁଃଖକୁ ନ ଜାଣ

ଜୀବନ ପାଇଁ ପ୍ରାଣୀଙ୍କର

ସୁତ କଳତ୍ର ଏ ସଂସାର

ଏମନ୍ତ ପ୍ରାଣୀ ଅବା କାହିଁ

ଜୀବନ ମାଗିଲେ ସେ ଦେଇ

ଯେବେ ମାଗିବେ ନାରାୟଣ

ତେବେ ବା କେ ଦେବ ଜୀବନ

ଦେବାଉଚୁଃ

ଯେ ପ୍ରାଣୀ ସବଭୂତ ପରେ

ଆତ୍ମାର ପ୍ରାୟ ଦୟା କରେ

ଈଷତ ମାତ୍ରେ ଦେଇ ପ୍ରାଣ

କରଇ ପ୍ରାଣୀ ପରିତ୍ରାଣ

ତୁମ୍ଭର ପ୍ରାୟ ପୁଣ୍ୟଶ୍ଳୋକେ

ଯେ ଅବା ପୁଣ୍ୟବନ୍ତ ଲୋକେ

ତାହାର ଏମନ୍ତ ବିଚାର

ସେ ନ ଜାଣଇ ପରାପର

ଅଜ୍ଞାନୀ ପାପୀ ଯେଉଁମାନେ

ପରର କଷ୍ଟକୁ ନ ଜାଣେ

ଯାଚଞ୍ଜା ଶ୍ରେଷ୍ଠ ଲୋକଙ୍କର

କେବେ ହେଁ ନୋହେ ହତାଦର

ଋଷି ଉବାଚ

ଋଦ୍ରଙ୍କୁ ଆଦି ଦେବବୃନ୍ଦେ

ଧର୍ମ କହିଲେ ଯେ ସନ୍ନିଧେ

ଏ ଯେ ମୋହର ନିଜ ଦେହ

ଛାଡିବି ନ କର ସନ୍ଦେହ

ଦେହକୁ ଧରି ଯେଉଁ ଜନ

ନ କରେ ଯାଗ ପୁଣ୍ୟ ଧର୍ମ

ତାହାଙ୍କୁ ଆତ୍ମଘାତୀ କହି

ସ୍ୱଲୋକେ ଆଗୋଚର ସେହି

ଯେ ପ୍ରାଣୀ ପରଦୁଃଖେ ଦୁଃଖୀ

ପର ସୁଖରେ ଅତି ସୁଖୀ

ଅବ୍ୟୟ ଅକ୍ଷୟ ଯେ ଧର୍ମ

କହନ୍ତି ପୁଣ୍ୟ ଶ୍ଲୋକମାନ

ଏ ବଡ଼ ଆଶ୍ଚର୍ଯ୍ୟ ଲୋକରେ

କ୍ଷଣଭଙ୍ଗୁର ଦେହେ ନରେ

କରନ୍ତି ଆତ୍ମା ସ୍ୱାର୍ଥଭେଦ

ଇହ ଲୋକରେ ଅପବାଦ

ବାଦରାୟଣିରୁବାଚ

ଏମନ୍ତ କହି ଅଥର୍ବଣ

ନିଶ୍ଚଳ କରି ଆତ୍ମା ମନ

ପରମ ପଦେ ନିବେଶିଲା

ସଂଯମେ ଶରୀର ଛାଡିଲା

ମନ ବୁଦ୍ଧି ବ୍ରହ୍ମେ ନିବେଶି

ଯାହା ଯୋଗରୁ କରି ଋଷି

ତେଜିଣ ଗଲା ସେ ଶରୀର

ଜାଣିଲେ ଦେବ ପୁରନ୍ଦର

ଏ ଅନନ୍ତରେ ଦେବରାଜ

ବିଶ୍ୱକର୍ମା ନିର୍ମିତ ବଜ୍ର

ମୁନି ଅସ୍ଥିରେ ହୋଇ ଯୁକ୍ତ

ଶ୍ରୀକୃଷ୍ଣ ତେଜରେ ମିଶ୍ରିତ

ଆରୋହି ନାଗ ଐରାବତ

ଦେବଗଣରେ ସେ ବେଷ୍ଟିତ

ମୁନିଗଣରେ ସ୍ତୁତି ହୋଇ

ତ୍ରୈଲୋକ୍ୟ ହରଷ କରାଇ

ବୃତ୍ରାସୁରକୁ ଦେବରାଜ

ସୈନ୍ୟ ସହିତେ ହୋଇ ସଜ

ଅଶେଷ ବଳ ସଙ୍ଗେ ନେଇ

ଅନ୍ଧକେ ଯେହ୍ନେ ରୁଦ୍ର ଧାଇଁ

ଏ ଅନନ୍ତରେ ହେ ରାଜନ

କହିବା ଶୁଣ ଏକ ମନ

ସୁର ଅସୁରଙ୍କର ରଣ

ଅତ୍ୟନ୍ତ ପରମ ଦାରୁଣ

ତ୍ରେତୟା ଯୁଗର ଆଦ୍ୟରେ

ହୋଇଲା ନର୍ମଦା ତୀରରେ

ରୁଦ୍ରବସୁ ପିତୃ ଆଦିତ୍ୟେ

ବ୍ରହ୍ମଋଷି ଅଶ୍ୱିନୀ ସୁତେ

ସିଦ୍ଧ ବିଶ୍ୱଦେବ ମରୁତ

ଇନ୍ଦ୍ର ଦେବଗଣେ ବେଷ୍ଟିତ

ବିରାଜମାନ ସମ୍ପତ୍ତିରେ

ବଜ୍ରକୁ ଧରି ନିଜ କରେ

ଏ ଭାବେ ଇନ୍ଦ୍ରକୁ ଦେଖିଲା

କ୍ରୋଧେ ବୃତ୍ତ୍ରାସୁର ଧାଇଁଲା

ନମୁଚି ଦ୍ୱିମୁର୍ଦ୍ଧା ସମ୍ବର

ନିର୍ବାଋଷଭ ଶଙ୍କୁଶିର

ହୟଗ୍ରୀବ ଏ ବିପ୍ରଚିତ୍ତି

ଅୟୋମୁଖ ପୁଲୋମା ହେତି

ଉତ୍କଳ ବୃଷପର୍ବାସୁର

ପ୍ରହେତି ଆଦି ଦୈତ୍ୟ ବୀର

ଦାନବ ଦୈତ୍ୟଗଣ ଯକ୍ଷ

ଅସଂଖ୍ୟ ନାମେଣ ଯେ ଋକ୍ଷ

ସୁମାଳି ମାଳି ଆଦି ଯେତେ

କାର୍ତ୍ତଶ୍ୱର ରାଜା ସହିତେ

ଇନ୍ଦ୍ରଙ୍କ ସେନାର ସମୂହ

କାଳହୁଁ ଅତି ଦୁରାଶୟ

ନିଃଶଙ୍କେ ଦେଇ ସିଂହନାଦ

ପୂରିଲେ ଦାନବ ଦୁର୍ମ୍ମଦ

ଗଦା ପରିଘ ବାଣ ପାଶ

ମୁଦ୍‌ଗର ତୋମର ଅଶେଷ

ଶୂଳ ପରିଘାଦି ଖଡ଼ଗ

ଶତଘ୍ନୀ ଭୂଷଣ୍ଡୀ ଆୟୁଧ

ଏ ଆଦି ଯେତେ ଶସ୍ତ୍ରମାନ

ଦେବଙ୍କୁ କଲେ ପ୍ରହାରଣ

ଅସୁର ଶର ବରଷଣେ

ଦୃଶ୍ୟ ନୁହନ୍ତି ଦେବଗଣେ

ପୁଣି ପୁଣିହିଁ ପଡିବାରେ

ନକ୍ଷତ୍ର ଯେସନେ ଶୂନ୍ୟରେ

ଶସ୍ତ୍ର ହିଁ ଯେତେ ଦାନବର

କିଛି ନ କଲେ ଦେବଙ୍କର

ଯେତେ ଅସୁରଙ୍କ ଆୟୁଧ

ସକଳ ଦେବେ କଲେ ଛେଦ

ଏ ଅନନ୍ତରେ ଶୂନ୍ୟହସ୍ତ

ଦାନବେ ଅତ୍ୟନ୍ତ କୁପିତ

ଶିଳାର ସଙ୍ଗେ ଦ୍ରୁମମାନ

ଦେବଙ୍କୁ କଲେ ବରଷଣ

ପୁଣି ହିଁ ଇନ୍ଦ୍ର ସୈନ୍ୟଗଣ

ତକ୍ଷଣେ ତାହା କଲେ ଚ୍ଛିନ୍ନ

ପ୍ରତାପ ଦେଖି ଦେବଙ୍କର

କୋପେ ଦାନବ ଖରତର

ପୁଣି ପଥର ଦ୍ରୁମ କରେ

ପିଟିଲେ ଦେବଙ୍କ ଉପରେ

ବିବିଧ ଗିରି ଶୃଙ୍ଗମାନ

ଦେବଙ୍କୁ କଲେ ପ୍ରହାରଣ

ଦୈତ୍ୟ ନିଷ୍ଫଳ କାର୍ଯ୍ୟହୋଇ

ଆତ୍ମା ଦେହକୁ ନିନ୍ଦା ବହି

ଯାହାକୁ ରଖନ୍ତି ଈଶ୍ୱର

ଅସୁରେ କେତେକ ମାତର

ନିଜ ଉଦ୍ୟମ ଯହୁଁ ହତ

ଦେଖି ଅସୁର ଭୟ ଚିତ୍ତ

ସ୍ୱଭାବେ ବିଷ୍ଣୁରେ ବିମୁଖ

ରଣେ ଲଭିଲେ ଅତି ଦୁଃଖ

ସ୍ୱାମୀକୁ ଛାଡି ସଂଗ୍ରାମରେ

ପଳାଇ ଯାନ୍ତି ପ୍ରାଣ ଡରେ

ବୃତ୍ତ୍ର ଅସୁର ଚୂଡାମଣି

ସୈନ୍ୟ ପଳାନ୍ତି ବୋଲି ଜାଣି

ଆପଦ ଦେଖି ବୃତ୍ତ୍ରାସୁର

କହଇ ବଚନ ମଧୁର

ଅତି ଭୟରେ ରଣ ଛାଡି

ପଳାନ୍ତି ପଡ଼ି ପଥ ହୁଡ଼ି

ଏହା ଦେଖିଣ ବୃତ୍ତ୍ରାସୁର

ସୈନ୍ୟଙ୍କୁ ବୋଲଇ ଉତ୍ତର

ବିପ୍ରଚିତ୍ତି ବୃଷ ପର୍ବଣ

ନମୂଚି ପୁଲୋମ ହେ ଶୁଣ

ଜାତ ଯେ ହୁଅଇ ସଂସାର

ମରଣ ଧ୍ରୁବଟି ତାହାର

ମୃତ୍ୟୁ ଯେ ଦ୍ୱିତୀୟ ପ୍ରକାର

ସଂସାରେ ବୋଲାଇ ଏ ସାର

ବ୍ରହ୍ମ ଭାବରେ ଦେଇ ଚିତ୍ତ

ଯେ ପ୍ରାଣୀ ପ୍ରାଣେ ହୁଏ ହତ

ଯେ ରଣ ଅଗ୍ରେ ପ୍ରାଣ ଦେଇ

ବୀର ଶଯ୍ୟାରେ ଶୋଇ ରହି

ବିପ୍ର ଜଗନ୍ନାଥ ବୋଲଇ

ଇନ୍ଦ୍ର ଅସୁର ଯୁଦ୍ଧ ହୋଇ

ସୁଜନେ ଏଣେ କର ଲୟ

ହରି ଚରିତ ସୁଧାମୟ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ବୃତ୍ତ୍ରାସୁର ଯୁଦ୍ଧେ

ନାମ ଦଶୁମୋଽଧ୍ୟାୟଃ

•••

 

ଏକାଦଶ ଅଧ୍ୟାୟ

 

ଋଷି ଉବାଚ

କହଇ ଶୁକ ବ୍ରହ୍ମବେତ୍ତା

ଇନ୍ଦ୍ର ବୃତ୍ତ୍ରାର ଯୁଦ୍ଧ କଥା

ସ୍ୱାମୀ କଥିତ ଧର୍ମ ଭୃତ୍ୟେ

ଆରତ ନ ଘେନିଲେ ଚିତ୍ତେ

ପୁଣି ସମସ୍ତେ ପଳାଇଲେ

ସଭୟେ ସଂଗ୍ରାମ ଛାଡିଲେ

କାଳାନୁକୂଳ ଦେବଗଣ

ଅସୁର ସୈନ୍ୟ କାଳହୀନ

ଗରୁଡ ପନ୍ନଗ କି ଧରି

ତେସନେ ଦେବ ଦୈତ୍ୟେମାରି

ସମସ୍ତେ କାକୁସ୍ତ ଯେ ହୋଇ

ଜୀବନ ଭୟରେ ପଳାଇ

ଏମନ୍ତେ ଦେଖି ଆତ୍ମାଭୂତ

ଅସୁର ଅତ୍ୟନ୍ତ କୁପିତ

ତାହାଙ୍କୁ ଆବୋରି ଆପଣ

ଭର୍ତ୍ସନା କରନ୍ତି ବହନ

ପଳାଉ ପଳାଉ ପଛରେ

ଦୈତ୍ୟକୁ କହେ ଶାସ୍ତ୍ର ଗିରେ

ଭୟ ନ କର ତୁମ୍ଭେ ଋଣେ

ବଧହିଁ ଭଲ ପ୍ରାଣୀ ମଣେ

ଏ ବଳବନ୍ତ ପ୍ରାଣୀଙ୍କର

ସ୍ୱର୍ଗ ପ୍ରାପତ ହିଁ ଦୁସ୍ତର

ଏତେ ବୋଲିଣ ତାଙ୍କୁ କହି

ଦେବଗଣଙ୍କୁ କ୍ରୋଧ ବହି

ଆତ୍ମ ଶରୀର ପ୍ରକାଶିଲା

ଦେବଙ୍କୁ ଭୟ ଦେଖାଇଲା

ଅସୁର କଲା ଘୋରନାଦ

ବ୍ରହ୍ମାଣ୍ଡେ ଶୁଭିଲା ଶବଦ

ଲୋକେ ହୋଇଲେ ହତଜ୍ଞାନ

ଦେବେ ଶୁଣିଲେ ତାର ସ୍ୱନ

ସେ ନାଦ ଶୁଣି ଦେବଗଣେ

ମୂର୍ଚ୍ଛିତ ହୋଇ ହତଜ୍ଞାନେ

ସକଳେ ପଡିଲେ ଭୂମିରେ

ବଜ୍ର ପଡିଲା ଯେହ୍ନେ ଶିରେ

ଚକ୍ଷୁ ବୁଜିଲେ ଦେବଗଣେ

ପଡି ଅଛନ୍ତି ଯେହୁ ରଣେ

ଦୁର୍ମଦ ରଣରଙ୍କ ବୀର

ପାଦେ ମର୍ଦ୍ଦଇ ବୃତ୍ତ୍ରାସୁର

ଅବନୀ କମ୍ପାଇ ଅସୁର

ଶୂଳ ଘେନିଣ ନିଜ କର

ଭ୍ରମଇ ସଂଗ୍ରାମ ଭୂମିରେ

ଯେସନେ ମତ୍ତ କରୀବରେ

ତାହାକୁ ଦେଖି ବଜ୍ରଧର

କୋପେ କମ୍ପଇ ଥରହର

ଗଦା ଧରିଣ ବଜ୍ରଧର

ତକ୍ଷଣ କଲେ ସେ ପ୍ରହାର

ଦୁଃସହ ଗଦା ଆସିବାରେ

ଦେଖି ଧରିଲା ବାମ କରେ

ଇନ୍ଦ୍ରର ଗଦା ଧରି କର

ସେହି ଗଦାରେ ବୃତ୍ତ୍ରାସୁର

ଅଇରାବତ କୁମ୍ଭ ସ୍ଥଳେ

ଦାନବ ପ୍ରହାରିଲା ବଳେ

ତାହାର ଏ କର୍ମ ଦେଖିଣ

ସମସ୍ତ କଲେ ଧନ୍ୟ ଧନ୍ୟ

ବୃତ୍ତ୍ର ଗଦାରେ ଐରାବତ

ବଜ୍ରରେ ଯେହ୍ନେ ଗିରିହତ

ରଣେ ଭଗ୍ନମୁଖ ହୋଇଲା

ଇନ୍ଦ୍ରକୁ ଘେନି ବାହୁଡିଲା

ଅତ୍ୟନ୍ତ ହୋଇଣ ଆରତ

ବାହୁଡି ଗଲେ ଧନୁଶତ

ଚକିତେ ହୋଇ ଛନ୍ନ ଚିତ୍ତ

ଏମନ୍ତେ ଦେବ ପୁରୁହୁତ

ବୃତ୍ତ୍ରା ଅସୁର ପୁନର୍ବାର

ଇନ୍ଦ୍ରଙ୍କୁ ନ କଲା ପ୍ରହାର

ଅମୃତ ସ୍ରାବୀ ଇନ୍ଦ୍ରକର

ଦେଇଣ ହସ୍ତୀ କୁମ୍ଭସ୍ଥଳ

ଆଶ୍ୱାସ କରି ଦେବବର

ରହିଲେ ବୃତ୍ତ୍ରର ଆଗର

ସଂଗ୍ରାମ କରିବାର ଆଶେ

ଇନ୍ଦ୍ରଙ୍କୁ ଦେଖି ଆତ୍ମ ପାଶେ

ଭାଇର ହନ୍ତା ବଜ୍ରାୟୁଧ

ଦେଖି ଅସୁର କଲା କ୍ରୋଧ

ସ୍ମରଣ କଲା ଭ୍ରାତୃ ନାଶ

ଶୋକ ମୋହେ ହୋଇ ବିରସ

ବୋଲଇ ଇନ୍ଦ୍ର ମୋ ବଚନ

ଶୁଣ ହେ ହୋଇ ସାବଧାନ

ବୃତ୍ତ୍ରାସୁର ଉବାଚ

ଭାଗ୍ୟକୁ ବରି ମୋ ଆଗର

ସଂଗ୍ରାମେ ଅଛୁ ଦୁରାଚାର

ମୋହର ଭ୍ରାତୃନାଶକାରୀ

ଆଜ ନାଶିବି ତୋର ଶିରୀ

ମୋର ଶସ୍ତ୍ରରେ ହୃଦ ତୋର

ନିଶ୍ଚୟ କରିବି ବିଦାର

ଯେଉଁ କାରଣୁ ମୋ ଅଗ୍ରଜ

ଅପାପୀ ଆତ୍ମଜ୍ଞାନୀ ଦ୍ୱିଜ

ଖଡ଼ଗେ ଧରି ତାର ଶିର

ଛେଦିଲୁ ତୁହି ଦୁରାଚାର

ପଶୁଙ୍କ ପ୍ରାୟ ତୁ ମାଇଲୁ

ସ୍ୱର୍ଗ ଭୋଗକୁ ଇଚ୍ଛା କଲୁ

ଲଜ୍ଜା ସମ୍ପଦ ଦୟା କୀର୍ତ୍ତି

ସର୍ବ ଛାଡିଲୁ ମୂଢ଼ମତି

ମୋର ତ୍ରିଶୂଳେ ତୋର ଶିର

ନାଶ ହୋଇବ ଦୁରାଚାର

ଅଗ୍ନି ନ କରିବ ଦହନ

ଖାଇବେ ଗୃଧ୍ର କୃମି ଶ୍ୱାନ

ଯେ ତୋର ସଙ୍ଗେ ଦୁଷ୍ଟପଣେ

ଗୃହୀତ ଶସ୍ତ୍ର ହୋଇ ରଣେ

ସେ ମୋତେ ପ୍ରହାର କରିଲେ

ତାହାଙ୍କୁ ଛାଡ଼ିବି କି ଭଲେ

ଖଡ଼ଗ ତ୍ରିଶୂଳ ପ୍ରହାରେ

କନ୍ଧ ଛେଦିବି ଏହି କରେ

ଏ ଅନନ୍ତରେ ପାଇ ଜ୍ଞାନ

ଇନ୍ଦ୍ରକୁ ବୋଲଇ ବଚନ

ଭୋ ଇନ୍ଦ୍ର ଦେବଙ୍କ ଠାକୁର

କୁଳିଶେ ମୋର ଶିର ହର

ଆତ୍ମାକୁ ବଳି ମୁହିଁ ଦେବି

ଶ୍ରୀକୃଷ୍ଣ ଚରଣ ଭଜିବି

ଭୋ ଦେବ ଦେବଙ୍କ ଈଶ୍ୱର

ବଜ୍ର କିମ୍ପାଇଁ ନ ପ୍ରହାର

ଅଗ୍ରେ ଯେ ଅଛି ଉଭା ହୋଇ

ସଂଶୟ କର କିସ ପାଇଁ

ଗଦା ପ୍ରାୟେ ବଜ୍ର ନ ମଣ

ବଜ୍ର ମୋ ମରଣ କାରଣ

ଆପଣା ତେଜେ ବଜ୍ର ଧର

ଦେବଙ୍କ ଅଇରି ସଂହାର

ବିଷ୍ଣୁ ଯନ୍ତ୍ରିତ ଦେବବର

ବିଜୟ ହୋଇବ ତୁମ୍ଭର

ଶ୍ରୀକୃଷ୍ଣ ପାଦ ପଙ୍କଜରେ

ମନ ନିବେଶିବି ମୁଁ ସ୍ଥିରେ

ତୁମ୍ଭର ବଜ୍ରରେ ମୋହର

ହୋଇବ ମହାପାପ ଦୂର

ତିନି ଭୁବନ ପ୍ରାଣୀଙ୍କର

ବହୁତ ସମ୍ପଦ ଯାହାର

ଉଦ୍‌‌ବେଗ ଉଦ୍ୟମେ ତାହାର

କଳତ୍ର ସ୍ନେହ ଯେ ଅପାର

ତ୍ରିବର୍ଗ ଦୁଃଖ ଯେତେ ମୋର

ନାଶିବେ ପ୍ରଭୁ ଚକ୍ରଧର

ଦୁର୍ଲ୍ଲଭ ଯେ ପ୍ରଭୁ ପ୍ରସାଦେ

ଭୃତ୍ୟ ମୁଁ ହୋଇ ଅପ୍ରମାଦେ

ହୋଇବି ଏ ମୋହର ମନ

ସେବିବି ମୁହଁ ଅନୁକ୍ଷଣ

ଯେ ପୁଣ କର୍ମଟି ତୁମ୍ଭର

ତାହା କରିବାରେ ଶରୀର

ସୃଷ୍ଟିଲୋକ ବ୍ରହ୍ମଲୋକରେ

ମହାରାଜାଙ୍କ ସମ୍ପତ୍ତିରେ

ପାତାଳେ ଅଧିପତି ସେହି

ଏଣେ ମୋହର କାର୍ଯ୍ୟ ନାହିଁ

ଯୋଗୀ ସିଦ୍ଧ ଯେ ପୁଣ୍ୟନର

କାର୍ଯ୍ୟ ମୋ ନାହିଁ ଏହାଙ୍କର

ଏକାନ୍ତ ଭକ୍ତି ତୁମ୍ଭ ପାଦ

ବାଞ୍ଛା କରଇ ଚକ୍ରାୟୁଧ

ଅଜାତପକ୍ଷ ଖଗ ଯେହ୍ନେ

ମାତା ଲୋଡ଼ଇ ଅନୁକ୍ଷଣେ

କ୍ଷୁଧାର୍ତ୍ତ ହୋଇଣ ବାଛୁରୀ

ମାତା ସ୍ତନକୁ ଲୋଡ଼ା କରି

ସ୍ୱାମୀକୁ ପ୍ରିୟା ଭଜେ ଯେହ୍ନେ

ମୋ ମନ ତୋ ପାଦେ ତେସନେ

ମୋ ପ୍ରଭୁ କମଳ ଲୋଚନ

ତା ପାଦେ ରହୁ ମୋର ମନ

ଆପଣା କର୍ମବନ୍ଧେ ଜଡି

ସଂସାର ବକ୍ରେ ଅଛି ପଡି

ଏମନ୍ତ ପାପୀ ମୁହିଁ ଯହୁଁ

ଉତ୍ତମ ଲୋକ ସଙ୍ଗ ହେଉ

ଦାରା ତନୟ ଗୃହ ମୋର

ଭୋ ନାଥ ମନ ମୋ ନ କର

ବୋଲଇ ବିପ୍ର ଜଗନ୍ନାଥ

ଇନ୍ଦ୍ର ବୃତ୍ତ୍ରାସୁର ଚରିତ୍ର

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ବୃତ୍ତ୍ରବାକ୍ୟେ ନାମ

ଏକାଦଶୋଽଧ୍ୟାୟଃ

•••

 

ଦ୍ୱାଦଶ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

ଏମନ୍ତ ସଂଗ୍ରାମେ ଶରୀର

ଛାଡିବ ବୋଲି ସେ ଅସୁର

ଜୟରୁ ଭଲ ମୋ ମରଣ

ମନରେ କଲା ହେ ରାଜନ

ଶୂଳକୁ ଧରି ବୃତ୍ତ୍ରାସୁର

ଧାଇଁଲା ଇନ୍ଦ୍ରର ଉପର

ଯେମନ୍ତେ କଇଟଭ ବୀର

ବିଷ୍ଣୁଙ୍କୁ ଧଇଲା ଜଳର

ଯୁଗାନ୍ତ ଅଗ୍ନି ପ୍ରାୟ ତେଜ

ସେ ଶୂଳ ଅତ୍ୟନ୍ତ ବିରାଜ

ବୃତ୍ତ୍ର ଅସୁର ଚୂଡାମଣି

ଇନ୍ଦ୍ରଙ୍କୁ ପ୍ରହାରିଲା ଆଣି

ଘୋର ଶବଦ ରୋଷେକଲା

ପାପିଷ୍ଠ ମଲୁଟି ବୋଇଲା

ଆକାଶୁ ଗ୍ରହ ଉଲ୍‌କାମାନ

ଖସି ପଡିଲେ ତତକ୍ଷଣ

ଦୁଃସହ ଦେଖିଣ ଅସୁର

ଭୟେ ବିକଳ ପୁରନ୍ଦର

ବଜ୍ରରେ କରି ଦେବରାଜ

ଛେଦିଲେ ତାର ଏକଭୂଜ

ପରିଘ ଘେନି ଆରକର

ଧାଇଁଲା ଇନ୍ଦ୍ରର ଉପର

ଦେବରାଜ ନିକଟେ ଯାଇ

ସମ୍ମୁଖେ ପ୍ରହାରିଲା ନେଇ

ଇନ୍ଦ୍ର ହାତୁଁ ବଜ୍ର ଖସିଲା

ଅଧୋଭୂମିରେ ସେ ପଡିଲା

ବୃତ୍ତ୍ରାସୁରର ଦେଖି କର୍ମ

ସୁରଗଣଙ୍କ ହେଲା ଭ୍ରମ

ସକଳେ କଲେ ଧନ୍ୟ ଧନ୍ୟ

ଇନ୍ଦ୍ର ସଙ୍କଟେ ମନ ଛନ୍ନ

ଯେତେକ ସେନା ଇନ୍ଦ୍ରଙ୍କର

ସକଳେ କଲେ ହାହାକାର

ଲଜ୍ୟାର ବୃତ୍ତ୍ରର ଅଗ୍ରତେ

ବଜ୍ର ନ ଦେଲେ ଇନ୍ଦ୍ର ହସ୍ତେ

ଇନ୍ଦ୍ରଙ୍କୁ ଚାହିଁ ବୃତ୍ତ୍ରାସୁର

ବଚନ କହଇ ମଧୁର

ମନରେ ବିଷାଦ ନକର

ବ୍ରଜ ଧରିଣ ବେଗେମାର

ଯୁଦ୍ଧେ ଇଚ୍ଛଇ ଯେଉଁ ଶୂର

ଜୟର ହସ୍ତଟି ତାହାର

ଯେ ଜନ ରଣେ ଭୀତ ହୋଇ

ଜୟରେ ଲେଶ ତାର ନାହିଁ

ଉତ୍ପତ୍ତି ପାଳନ ସଂହାର

ଯେ ପ୍ରଭୁ ଏହାଙ୍କ ଈଶ୍ୱର

ସର୍ବଜ୍ଞ ଆଦି ସନାତନ

ଅଖିଳ ପୁରୁଷ ପୁରାଣ

ସର୍ଜିଲେ ଜୟ ବା ଅଜୟ

କାହାର ବୋଲେ ହୁଏ କହ

ଯେ ପ୍ରଭୁ ଅଖିଳର ଈଶ

ଅଖିଳ ଯାର ନିଜ ବାସ

କାଳ ସ୍ୱରୂପେ ଏ ଶରୀର

ମୃତ୍ୟୁ ଅମୃତ୍ୟୁ ଅଗୋଚର

ସକଳ ହେତୁ ସେ ଅଟଇ

ତାହାକୁ ଅଜ୍ଞନ ଜାଣଇ

କାଷ୍ଠର ପିତୁଳି ଯେସନ

ଜଗତ ତାହାର ଭିଆଣ

ଏମନ୍ତ ସତ୍ୟମୟ ମୃଗ

ପ୍ରାଣୀ ତେମନ୍ତ ମହାଭାଗ

ପୁରୁଷ ପ୍ରକୃତି ଯେ ଦୁଇ

ତା ବିନୁ ଜଡ ପ୍ରାୟ ହୋଇ

ସୃଷ୍ଟିର କର୍ତ୍ତା ଅବା କେହି

ତା ବିନା ଯେତେକ ଅଛଇ

ଏମନ୍ତେ ଆତ୍ମା ରୂପ ହୋଇ

ଅଜ୍ଞାନୀ ଜାଣିବ ତା କାହିଁ

ସେହି ପ୍ରାଣୀଙ୍କୁ ସୃଷ୍ଟି କରି

ପ୍ରତିପାଳନକୁ ଆଚରି

ଗ୍ରାସଇ କାଳରୂପୀ ହୋଇ

ଧର୍ମ ଅଧର୍ମ ରୂପ ସେହି

ପ୍ରାଣୀର ପ୍ରାଣ ହୋନ୍ତି ଚିତ୍ତେ

ଯଶ ଅଯଶ କୀର୍ତ୍ତି ଯେତେ

ସେ ଯାକୁ ପ୍ରସନ୍ନ ହୁଅଇ

ଅଷ୍ଟ ଐଶ୍ୱର୍ଯ୍ୟ ତାକୁ ଦେଇ

ଏହାର ସାକ୍ଷୀ ଯେଉଁ ଜନ

ସେ ଯାକୁ ହୁଅଇ ପ୍ରସନ୍ନ

ସଂସାରେ ବଦ୍ଧ ସେ ନ ହୋଇ

ସକଳ ପାପୁଁ ସେ ତରଇ

ଜୟ ଅଜୟରୁ ବାହାର

ତୁମ୍ଭେ କି ନ ଜାଣ ଈଶ୍ୱର

ଶ୍ରୀ ଶୁକ ଉବାଚ

ଶୁଣ କହିବା ନୃପମଣି

ବୃତ୍ତ୍ରର ବାକ୍ୟ ଇନ୍ଦ୍ର ଶୁଣି

ବୃତ୍ତ୍ରକୁ ଧନ୍ୟ ଧନ୍ୟ କରି

ହସି ଡ଼ାକିଲେ ବଜ୍ରଧାରୀ

ଆହେ ଦାନବ ସାଧୁ ତୁହି

ତୁ ଯେଣୁ ଶୁଦ୍ଧମତି ହୋଇ

ସକଳ ଆତ୍ମାର ଈଶ୍ୱର

ଭଜିଲୁ ଚରଣ ତାଙ୍କର

ଜଗମୋହନ ବିଷ୍ଣୁ ମାୟା

ଦାନବ ଛେଦିଲୁ ତୁ ତାହା

ଅଇରି ଭବ କଲୁ ଦୂର

କଲୁତୁ ସ୍ୱର୍ଲୋକ ଆଚାର

ଏ ଅଇଶ୍ଚର୍ଯ୍ୟ ବଡ଼ ମୋର

ସ୍ୱଭାବେ ରଜୋଗୁଣ ତୋର

ଅଖିଳ ବ୍ରହ୍ମାଣ୍ତର ପତି

ତା ତହିଁ ତୋର ଦୃଢ଼ମତି

ପରମ ବ୍ରହ୍ମ ହରି ଯେହି

ତା ତହିଁ ଯାର ଭକ୍ତି ହୋଇ

ଅମୃତ ସିନ୍ଧୁରେ ଯେସନେ

କ୍ରୀଡା କରନ୍ତି ଅନୁକ୍ଷଣେ

କି କାର୍ଯ୍ୟ କୂପ ଜଳେ ତାର

ସ୍ୱଭାବେ ତୁଚ୍ଛ ସେ ଅସାର

ବାଦରାୟଣିରୁବାଚ

ଅନ୍ୟୋନ୍ୟେ ଧର୍ମକୁ କହିଲେ

ପୁଣିହିଁ ଯୁଦ୍ଧ ଆରମ୍ଭିଲେ

ସମ୍ମୁଖେ ବୀର ଦୁଇ ଜଣ

କରି ଲାଗନ୍ତେ ଘୋର ରଣ

ବୃତ୍ତ୍ରା ପରିଘ କରେ ନେଇ

ଇନ୍ଦ୍ରକୁ ପ୍ରହାରିଲା ଯାଇଁ

ପରିଘ ଘେନି ବାମ କରେ

ଶବଦ କଲା ମହାଘୋରେ

କର ପରିଘ ଏକାବେଳେ

ଇନ୍ଦ୍ର ଛେଦିଲେ ଅବହେଳେ

ବୃତ୍ତ୍ରର ଗଲା ଦୁଇ କର

ରକତେ ହେଲା ଜର ଜର

ବଜ୍ରରେ ଯେସନେ ପର୍ବତ

ତେହ୍ନେ ହୋଇଲା କ୍ଷୀଣହସ୍ତ

ଅଧର ହନୁ ଭୂମି ପରେ

ଉତ୍ତର ହନୁ ସ୍ୱର୍ଗପୁରେ

ଆକାଶ ଗର୍ଭର ମୁଖରେ

ଲେହଇ କଠୋର ଜିହ୍ୱାରେ

କାଳର ପ୍ରାୟ ଦନ୍ତମୂନ

ଗ୍ରାସିବ ଯେହ୍ନେ ତ୍ରିଭୁବନ

ଅତ୍ୟନ୍ତ ଶରୀର ବିସ୍ତାରି

ଯେହ୍ନେ ପଡ଼ଇ ମହାଗିରି

ଇନ୍ଦ୍ରକୁ ଗଜେନ୍ଦ୍ର ସହିତ

ଗିଳିଲା ବୃତ୍ର ମହାଦୈତ୍ୟ

ପାଦେ ଅବନୀ କମ୍ପାଇଲା

ଇନ୍ଦ୍ରର ନିକଟେ ମିଳିଲା

ସ୍ୱଭାବେ ଅଟଇ ଅସୁର

ଦିଗ ରୁନ୍ଧିଲା ଦୈତ୍ୟବାର

ଦେଖିଲେ ଇନ୍ଦ୍ର ଗିଳିବାରେ

ବ୍ରହ୍ମାଦି ଯେତେ ସୁର ନରେ

ସକଳେ କଲେ ହାହାକାର

ଇନ୍ଦ୍ରକୁ ଗିଳିଲା ଅସୁର

ଅସୁର ଉଦରରେ ଥାଇ

ଭସ୍ମ ନୋହିଲା ସୁରସାଇଁ

ମହାପୁରୁଷ ଧ୍ୟାନ କରି

ଯୋଗ ମାୟାବଳେ ଆଚରି

ବଜ୍ରେ ଛେଦିଲା ପେଟ ତାର

ଗର୍ଭରୁ ହୋଇଲା ବାହାର

ଆପଣା ହସ୍ତେ ଦେବବର

ବଜ୍ରେ ଛେଦିଲା ତା ଶରୀର

ବଜ୍ରହୁଁ ଅତି ବେଗେ ଗଲା

କନ୍ଧରୁ ଶିର ତା କାଟିଲା

ଇନ୍ଦ୍ର ଆଜ୍ଞାରେ ଅବହେଳେ

ତକ୍ଷଣେ ପକାଇଲା ତଳେ

ଆକାଶେ ଦୁନ୍ଦୁଭି ତକ୍ଷଣେ

ବାଦ୍ୟ ଯେ କଲେ ଦେବଗଣେ

ଆନନ୍ଦେ ହରଷିତ ମନ

ଗନ୍ଧର୍ବ ବେଦ ଋଷିଗଣ

ବୃତ୍ତ୍ର ଶତ୍ରୁକୁ ସ୍ତୁତି କଲେ

ହରଷେ ପୁଷ୍ପ ବରଷିଲେ

ବୃତ୍ତ୍ରର ତହୁଁ ଜ୍ୟୋତି ରୂପ

ବାହାର ହୋଇଲା ହେ ନୃପ

ସକଳେ ଦେଖୁଥିଲେ ରହି

ସ୍ୱଲୋକ ପାଇଲା ସେ ତହିଁ

ବୋଲଇ ବିପ୍ର ଜଗନ୍ନାଥ

ଇନ୍ଦ୍ର ବୃତ୍ତ୍ର ଯୁଦ୍ଧ ଚରିତ

ଏହା ପଢଇ ଯେଉଁ ପ୍ରାଣୀ

ତରଇ ଭବ ତରଙ୍ଗିଣୀ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ବୃତ୍ତ୍ରାସୁର ବଧେ

ନାମ ଦ୍ୱାଦଶୋଽଧ୍ୟାୟଃ

•••

 

ତ୍ରୟୋଦଶ ଅଧ୍ୟାୟ

 

ବାଦରାୟଣିରୁବାଚ

ବୃତ୍ତ୍ର ହୋଇଲା ଯହୁଁ ହତ

ଶୁଣି ହରଷ ତ୍ରିଜଗତ

ଯେତେ ଏ ଦିଗପାଳମାନେ

ବିହ୍ୱଳ ହେଲେ ତତକ୍ଷଣେ

ଇନ୍ଦ୍ର ଭୁବନ ଜନମାନେ

ହରଷ ହୋଇଲେ ତକ୍ଷଣେ

ଶମନ ଆଦି ଯକ୍ଷଗଣ

ପିତୃ ଦୈବତ ଯେ ଚାରଣ

ବ୍ରହ୍ମା ଶଙ୍କର ବଜ୍ରଧର

ଗଲେ ସେ ଯେ ଯାହା ମନ୍ଦିର

ରାଜୋବାଚ

ଭୋ ମୁନି ହୁଅ ସାବଧାନ

ଏହା ଶୁଣିବି ମୋର ମନ

କିମ୍ପାଇଁ ସୁଖୀ ଦେବଗଣ

ଇନ୍ଦ୍ର କି କଲେ ମନ୍ଦ କର୍ମ

କିମ୍ପାଇ ତାଙ୍କ ଦୁଃଖ ମନ

କହିବ ମୋତେ ତପୋଧନ

ବାଦରାୟଣିରୁବାଚ

ବୃତ୍ତ୍ର ବିକ୍ରମ ଦେଖି ଦେବେ

ମହତ ଋଷି ଆଦି ସର୍ବେ

ଭୟେ ଉଦ୍‌ବେଗ ମନ ହୋଇ

ଇନ୍ଦ୍ରଙ୍କୁ କହିଲେ ସେ ଯାଇ

ଭୋ ଦେବ ଦେବଙ୍କ ଈଶ୍ୱର

ବୃତ୍ତ୍ର ଅସୁରକୁ ସଂହାର

ବୃତ୍ତ୍ର ବ୍ରହ୍ମବଧ ପାପରେ

ଇନ୍ଦ୍ର ତା କଲେ ସୀଉକାରେ

ଇନ୍ଦ୍ର ଉବାଚ

ସ୍ତ୍ରୀ ଜଳ ଗିରି ଦ୍ରୁମମାନେ

ପାପ ଘେନିଲେ ବିଦ୍ୟମାନେ

ବିଶ୍ୱରୂପ ବଧଇ ଯେହୁ

ବୃତ୍ତ୍ରକୁ ମାରି କେହୁ ସହୁ

ଇନ୍ଦ୍ର ଦେବତା ଋଷିଗଣେ

ଶୁଣିଣ କହନ୍ତି ବଚନେ

ଅଶ୍ୱମେଧ ଯଜ୍ଞକୁ କରି

ଏ ପାପ ନାଶିବ ତୁମରି

ହୟମେଧୁ ପୁରୁଷ ବର

ଅଖିଳ ଜନଙ୍କ ଈଶ୍ୱର

ଯେ ଦେବ ପ୍ରଭୁ ଭଗବାନ

ଯଜ୍ଞରେ କରାଅ ପ୍ରସନ୍ନ

ବୃତ୍ତ୍ରରେ ବଧ ପାପ ଘୋର

ଅବହେଳରେ ହେବ ପାର

ମହାଯଜ୍ଞକୁ କରି ତୁହି

ଜପିବୁ ପ୍ରଭୁ ଭାବଗ୍ରାହୀ

ତାଙ୍କ ସ୍ମରଣେ ଦେବବର

ଦୁରିତ କେତେକ ମାତର

ଶୁକ ଉବାଚ

ଶୁଣିଣ ଋଷିଙ୍କ ବଚନ

ଶତ୍ରୁ ମାଇଲେ ମଘବାନ

ତକ୍ଷଣେ ବ୍ରହ୍ମହତ୍ୟା ଗଲା

ଇନ୍ଦ୍ର ଦେବଙ୍କୁ ଆଶ୍ରା କଲା

ତାହାଙ୍କୁ ଦେଖି ଦୁଃଖ ପାଇ

ଦେବଇନ୍ଦ୍ର ଗଲେ ପଳାଇ

ଚାଣ୍ଡାଳ ରୂପକୁ ଧଇଲା

ଇନ୍ଦ୍ରର ପଛେ ଗୋଡାଇଲା

ବୃଦ୍ଧ ରୂପକୁ ଧରି ସେହି

ଯକ୍ଷ୍ମା ରୋଗରେ ଗ୍ରସ୍ତ ହୋଇ

ଶୋଣିତ ପ୍ରାୟ ଜଟା ତାର

ବିବର୍ଣ୍ଣ କେଶ ମସ୍ତକର

ରହ ବୋଲିଣ ଡାକ ଦେଇ

ଆମିଷ ଗନ୍ଧ ତାର ଦେହୀ

ଆକାଶେ ସକଳ ଦିଗରେ

ଇନ୍ଦ୍ର ପଳାନ୍ତି ଖରତରେ

ଉତ୍ତର ଦିଗକୁ ସେ ଗଲେ

ମାନ ସରୋବରେ ମିଳିଲେ

ପୁଷ୍କର ତୀର୍ଥେ ଦେବବର

ଚଞ୍ଚଳ ମନ କରି ସ୍ଥିର

ସହସ୍ର ସମ୍ଭତ୍ସର ତହିଁ

ବ୍ରହ୍ମ ଭଜନେ ମନ ଦେଇ

ବ୍ରହ୍ମ ବଧରୁ ମୋକ୍ଷ ପାଇ

ରହିଲେ ନିରାହାର ହୋଇ

ତାବତ ନହୁଷ ରାଜନ

ସ୍ୱର୍ଗ କହେ ପ୍ରତିପାଳନ

ବିଦ୍ୟା ଯୋଗବଳରୁ କରି

ସର୍ବ ସମ୍ପଦ ଭୋଗକରି

ସମ୍ପଦ ଐଶ୍ୱର୍ଯ୍ୟ ମଦରେ

ନହୁଷ ମଦାନ୍ଧ ବୁଦ୍ଧିରେ

ଇନ୍ଦ୍ର ପତ୍ନୀକି ଇଚ୍ଛା କଲା

ସ୍ୱର୍ଗରୁ ଚ୍ୟୁତ ସେ ହୋଇଲା

ନହୁଷ ସ୍ୱର୍ଗେ ଇନ୍ଦ୍ର ହୋଇ

ବାରତା ଇନ୍ଦ୍ରାଣୀକି ଦେଇ

ଇନ୍ଦ୍ର ମୁଁ ସ୍ୱର୍ଗ ଭୁବନରେ

ମୋତେ ତୁମ୍ଭେ ଭଜ ବିଧିରେ

ଇନ୍ଦ୍ରାଣୀ ଗୁରୁଙ୍କୁ କହିଲେ

ପ୍ରତି ଉତ୍ତର ଗୁରୁ ଦେଲେ

ଗୁରୁ ଏମନ୍ତେ ବିଚାରିଲେ

ଅତି ଅସମ୍ଭବ ବୋଇଲେ

ଅନେକ ତପସ୍ୟାର ବଳେ

ମନୁଷ୍ୟ ହୋଇ ଦେବ ପାଳେ

ବ୍ରାହ୍ମଣ କୋପ ଶାପୁଁ କରି

ହତ ହୋଇବ ଏହା ଶିରୀ

ନହୁଷେ ଏମନ୍ତ କହିବ

ଋଷିଙ୍କ କନ୍ଧେ ଦୋଳାଥିବ

ତୁମ୍ଭେ ଦୋଳାରେ ବସିଥିବ

ଆମ୍ଭର ପୁରକୁ ଆସିବ

ତେବେ ଯେ ତୁମ୍ଭଙ୍କୁ ଭଜିବୁ

ସ୍ୱର୍ଗେ ଇନ୍ଦ୍ର ବୋଲି ଜାଣିବୁ

ଏମନ୍ତ ଗୁରୁ ଆଜ୍ଞା ଶୁଣି

ନହୁଷେ କହନ୍ତେ ଇନ୍ଦ୍ରାଣୀ

ଋଷିମାନଙ୍କୁ ଆଣିକରି

ଋଷିଙ୍କ କନ୍ଧେ ଦୋଳା ଧରି

ସେ ଦୋଳା ଉପରେ ନହୁଷ

ଆସୁ ଯେ ଅଛଇ ହରଷ

ଦୋଳା ମନ୍ଦ ମନ୍ଦ ଗମନ

ନହୁଷ କ୍ରୋଧିତ ବଚନ

ସର୍ପ ସର୍ପ ବୋଲି ବୋଇଲା

ପାଦେ ଅଗସ୍ତିଙ୍କୁ ମାଇଲା

ଅଗସ୍ତି କ୍ରୋଧ ମନ ହୋଇ

ନହୁଷକୁ ଯେ ଶାପ ଦେଇ

ତୁ ସର୍ପ ହୁଅ ବେଗ ହୋଇ

ଯେଣୁ ସଙ୍କଟ କଲୁ ତୁହି

ଏଣୁ ଏ ଋଷିଙ୍କ ଶାପରୁ

ଚ୍ୟୁତ ହୋଇଲା ସ୍ୱର୍ଗପୁରୁ

ପରମେଶ୍ୱର ଧ୍ୟାନ କରି

ବ୍ରହ୍ମହତ୍ୟା ଦୋଷରୁ ତରି

ସ୍ୱର୍ଗରେ ଇନ୍ଦ୍ର ପୁନର୍ବାର

ଦେବଙ୍କୁ ଘେନି ସେ ବିହାର

ଇନ୍ଦ୍ରଙ୍କୁ ଦେବଋଷିମାନେ

ଅଶ୍ୱମେଧ ଯଜ୍ଞ ବିଧାନେ

ମହାପୁରୁଷ ଆରାଧନ

ଦୀକ୍ଷା କରାଇଲେ ରାଜନ

ଏ ଅନନ୍ତରେ ଦେବମୟ

ଆତ୍ମା ପୁରୁଷ ସେ ଅବ୍ୟୟ

ଇନ୍ଦ୍ର ବ୍ରହ୍ମଋଷି ସହିତେ

ଆରାଧି ଅଶ୍ୱମେଧ ମତେ

ବ୍ରହ୍ମବଧ ପାପ ସମୂହ

ଯଜ୍ଞ ହେତୁରୁ ହେଲା କ୍ଷୟ

ରବି କିରଣେ ତମପ୍ରାୟ

ସକଳ ପାପ ହେଲା କ୍ଷୟ

ଅଶ୍ୱମେଧରେ ବରି ଇନ୍ଦ୍ର

ମରୀଚି ଆଦି ମୁନିବୃନ୍ଦ

ଆରାଧି ପୁରୁଷ ପୁରାଣ

ସ୍ୱର୍ଗେ ହୋଇଲେ ସେ ରାଜନ

ଯଜ୍ଞର ପ୍ରସାଦରୁ କରି

ନିଷ୍ପାପୀ ହୋଇ ସେ ବିହରି

ଅଶେଷ ପ୍ରାଣୀମାନଙ୍କର

ପାପକୁ କରଇ ସେ ଦୂର

ଏ ମହାସୁଖ ଜ୍ଞାନମୟୀ

ଯେ ଜନ ଶ୍ରଦ୍ଧାରେ ଶୁଣଇ

ଗାୟନ କରି ପ୍ରତିଦିନ

ସର୍ବ ଶୁଭ ଲଭେ ସେ ଜନ

ଶତ୍ରୁକୁ ଜୟ ଧନ ଯଶ

ପାପ ମୋଚନ ଦୀର୍ଘାୟୁଷ

ସର୍ବ କଲ୍ୟାଣ ତାର ହୋଇ

ସେ ଶୁଦ୍ଧ ମନରେ ଶୁଣଇ

ବୋଲଇ ଦାସ ଜଗନ୍ନାଥ

ଷଷ୍ଠ ସ୍କନ୍ଧେ ଯେ ଭାଗବତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା

ସଂହିତାୟାଂ ବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ଇନ୍ଦ୍ରବିଜୟ କଥନେ ନାମ

ତ୍ରୟୋଦଶୋଽଧ୍ୟାୟଃ

•••

 

ଚତୁର୍ଦ୍ଦଶ ଅଧ୍ୟାୟ

 

ରଜୋବାଚ

ଶୁକ ଚରଣ ଧରି ରାଜା

ସାନନ୍ଦ ମନେ କଲେ ପୂଜା

ଭୋ ମୁନି ଅସମ୍ଭବ କଥା

ବୃତ୍ତ୍ର ଅସୁରର ବ୍ୟବସ୍ଥା

ରଜ ତାମସ ଭାବ ତାର

ପାପୀ ଅଟଇ ବୃତ୍ତ୍ରାସୁର

ଅଖିଳ ହେତୁ ଭଗବାନ

ତାହାର ମତି ବା କେସନ

ସତ୍ତ୍ୱ ପ୍ରଧାନ ଦେବଗଣ

ନିର୍ମଳ ମୁନିଜନ ମନ

ମୁକୁନ୍ଦ ପାଦ ପଙ୍କଜରେ

ଯାହାଙ୍କ ଚିତ୍ତ ରହେ ସ୍ଥିରେ

ରଜଗୁଣରେ ଯୁକ୍ତ ହୋଇ

ସଂସାରେ ଯେତେକ ଅଛଇ

ଏହାଙ୍କ ମଧ୍ୟେ ଯେଉଁ ଜନ

ଶ୍ରେୟ କରଇ ଆଚରଣ

ମୋକ୍ଷକୁ ବାଞ୍ଛି ଏ ସଂସାରେ

ସିଦ୍ଧେ ଯେ ଅଛନ୍ତି ଅପାରେ

ଏହାଙ୍କ ମଧ୍ୟେ ଯେଉଁ ଜନ

କଷ୍ଟେ ଲଭଇ ଭଗବାନ

ଦୁର୍ଲ୍ଲଭ ମୁନିମାନଙ୍କର

ବିଷ୍ଣୁଭକତ ଯେଉଁ ନର

କୋଟିକେ ଗୋଟିଏ ଯେ ଥାଇ

ଶୁଣିବା ସାବଧାନ ହୋଇ

ସ୍ୱଭାବେ ବୃତ୍ତ୍ର ଅତି ପାପ

ଲୋକଙ୍କୁ ଦେଲା ଅତି ତାପ

କେମନ୍ତେ ମହାଘୋର ରଣେ

ମତି ହୋଇଲା ନାରାୟଣେ

ଏଣେ ସଂଶୟ ମୋର ମନ

କହିବା ମୋତେ ତପୋଧନ

 

 

 

 

ସୂତ ଉବାଚ

ଯେ ବୃତ୍ତ୍ର ଘୋର ସଂଗ୍ରାମରେ

ବଳେ ତୋଷିଲା ବଜ୍ରଧରେ

ସନ୍ତୋଷେ ରାଜା ପ୍ରଶ୍ନ ଶୁଣି

ଆନନ୍ଦେ ସେ ବାଦରାୟଣି

ହରଷ ହୋଇ ମୁନିବର

ବଚନ କହନ୍ତି ମଧୁର

ଶ୍ରୀ ଶୁକ ଉବାଚ

ଶୁଣ ରାଜନ ଏକମନେ

ଏ ଇତିହାସର ବଚନେ

ବେଦବ୍ୟାସଙ୍କ ବାକ୍ୟେ ମୁହିଁ

ନାରଦ ମୁଖୁଁ ଶୁଣିଲଇଁ

ପୂର୍ବେ ସୁରସେନ ନଗ୍ରରେ

ଥିଲା ଯେ ଏକ ନୃପବରେ

ଚିତ୍ରକେତୁ ନାମ ତାହାର

କାମଧେନୁ ପୃଥ୍ୱୀ ଯାହାର

ଦଶ ନିୟୁତ ପତ୍ନୀ ତାର

ରୂପେ କି ଦେବା ପଟାନ୍ତର

ଯେତେ ଅଛନ୍ତି ତାର ନାରୀ

ପୁତ୍ର ଯେ ନୋହିଲା କାହାରି

ରୂପେ ସୁନ୍ଦର ମନୋହର

ବିଦ୍ୟା ସମ୍ପଦ ମତି ଧୀର

ଏ ସର୍ବ ଗୁଣ ଅଛି ତାର

ସୁତ ନୋହିଲା ନୃପବର

ଅମାତ୍ୟ ସମ୍ପଦ ସହିତେ

ପଟ୍ଟମହିଷୀ ତାର ଯେତେ

ସେ ସାର୍ବଭୌମ ଭୁଞ୍ଜେ ମହୀ

ସୁଖ ନୋହିଲା ତାର ତହିଁ

ଶୁଣ ରାଜନ ଏକଦିନେ

ଚିତ୍ରକେତୁ ରାଜ ଭବନେ

ଅଙ୍ଗିରା ଋଷି ଆଦି ଯେତେ

ମିଳିଲେ ରାଜାର ଅଗ୍ରତେ

ସ୍ୱଇଚ୍ଛା ଲୋକରେ ବିହରେ

ମିଳିଲେ ଚିତ୍ରକେତୁ ଘରେ

ତାହାଙ୍କୁ ଦେଖି ସେ ରାଜନ

ତକ୍ଷଣେ ତେଜିଲା ଆସନ

ଉତ୍ତମ ଆସନେ ବସାଇ

ପୂଜିଲେ ପାଦ୍ୟ ଅର୍ଘ୍ୟ ଦେଇ

ସୁଖେ ଆସନେ ଋଷି ବସି

ଚିତ୍ରକେତୁକୁ ପରଶଂସି

ଭକତି ଦେଖିଣ ତାହାର

ଆନନ୍ଦ ହୋଇ ଋଷିବର

ରାଜାଙ୍କୁ କରି ଆରାଧନ

କହନ୍ତି ମଧୁର ବଚନ

ଅଙ୍ଗିରା ଉବାଚ

ଭୋ ନୃପ ଚିତ୍ରକେତୁ ଶୁଣ

ତୁମ୍ଭର ପରମ କଲ୍ୟାଣ

ତୁମ୍ଭର ମହୀ ଅଛି ଯେତେ

କୁଶଳଟି କିଏ ସମସ୍ତେ

ପୁରରେ ଜନ ଆଦି ଯେତେ

ଅମାତ୍ୟଗଣଙ୍କ ସଙ୍ଗତେ

ଦାରା ଅପତ୍ୟ ବନ୍ଧୁ ଯେତେ

ସମ୍ଭୁତ ରାଜ୍ୟର ସହିତେ

ଯାହାର ଆତ୍ମାରାମ ବଶ

ତାହାର ବେଶ ଏ ଅଶେଷ

ଯାହାର ଆତ୍ମା ବଶ ହୋଇ

ସର୍ବତ୍ର ପୂଜ୍ୟ ସେ ଅଟଇ

ଆତ୍ମା ଆତ୍ମ ସମ୍ପଦ ଯେତେ

ଅମାତ୍ୟ ପୁରସ୍ଥା ସହିତେ

ଏ ତୁମ୍ଭ ପ୍ରିୟ ନୋହେ କେହି

ଏମନ୍ତ ପ୍ରାୟ ମୁଁ ମଣଇ

ଚିନ୍ତାରେ ମଳିନ ଅଧର

ଅଲବ୍‌ଧ କାମ ନୃପବର

ରାଜା ଏମନ୍ତ ବାକ୍ୟ ଶୁଣି

ଶୁଣ ପରୀକ୍ଷ ନୃପମଣି

ହୃଦରେ ପୁତ୍ର କାମୀ ହୋଇ

ବିରସେ ମୁନିଙ୍କୁ କହଇ

ରାଜୋବାଚ

ଭୋ ମୁନି ତୁମ୍ଭ ଅଗୋଚରେ

କେ ଅବା ଅଛି ଏ ସଂସାରେ

ପ୍ରାଣୀର ଅନ୍ତର ବାହାରେ

ଦେଖ ତପସ୍ୟା ପ୍ରଭାବରେ

ତୁମ୍ଭର ଆଜ୍ଞା ପରମାଣେ

କହିବି ଶୁଣ ସାବଧାନେ

ହୃଦରେ ଚିନ୍ତିତ ମୋହର

ପ୍ରଶ୍ନ ଯେ କଲ ମୁନିବର

ମୁନିମାନଙ୍କୁ ଯେ ଦୁର୍ଲ୍ଲଭ

ଏ ଆଦି ଐଶ୍ୱର୍ଯ୍ୟ ସମ୍ପଦ

ପୁତ୍ର ବିହୀନେ ମୋର ଦେହୀ

ସୁଖ ନୁହଇ ସର୍ବେ କେହି

କ୍ଷୁଧା ତୃଷାରେ ଯେହ୍ନେ ଜନ

ଦିନକୁ ଦିନ ହୋନ୍ତି କ୍ଷୀଣ

ଭୋ ମହାଭାଗ ମୁନିବର

ଯେମନ୍ତେ ତରଇ ସଂସାର

ପିତୃଋଣରୁ ମୋତେ ପାର

କରିବା ହେଉ ମୁନିବର

ପୁତ୍ରରେ କରି ଯେବେ ମୁହଁ

ଦୁସ୍ତର ମାୟାରୁ ତରଇ

ଶ୍ରୀ ଶୁକ ଉବାଚ

ରାଜାର ଶୁଣି ଏ ବଚନ

କୃପା କଲେ ବ୍ରହ୍ମା ନନ୍ଦନ

ଯଜ୍ଞକୁ କରି ମୁନିବର

ଆରାଧି ଜଗତ ଈଶ୍ୱର

ରାଜାର ଜ୍ୟେଷ୍ଠ ଯେଉଁ ନାରୀ

କୃତଦ୍ୟୁତି ନାମ ତାହାରି

ଚରୁ ତାହାକୁ ନେଇ ଦେଲେ

ରାଜାଙ୍କୁ ଏମନ୍ତ କହିଲେ

ଭୋ ଚିତ୍ରକେତୁ ନୃପବର

ହେଉ ଏକ କୁମର ତୋର

ସତ୍ୟ କହିଲୁ ରାଜା ତୋରେ

କହିଣ ଗଲେ ମୁନିବରେ

ଚିତ୍ରକେତୁର ତହୁଁ ସେହି

କୃତଦ୍ୟୁତି ଯେ ମହାଦେଈ

ଚରୁ ଭୋଜନର ମାତ୍ରକେ

ଗର୍ଭ ଧଇଲା ସେହୁ ସୁଖେ

ଚରୁ ଭୋଜନର ମାତ୍ରକେ

ଗର୍ଭ ଧଇଲା ସେହୁ ସୁଖେ

ଅଗ୍ନିର କୁମାର ଯେମନ୍ତେ

ଗର୍ଭେ ଧଇଲା ସେହି ମତେ

ତାହାର ଗର୍ଭ ପ୍ରତିଦିନେ

ଶୁକ୍ଳ ପକ୍ଷରେ ଚନ୍ଦ୍ର ଯେହ୍ନେ

ଚିତ୍ରକେତୁ ହରଷ ମନ

ଗର୍ଭ ବଢ଼ିଲା ଦିନୁ ଦିନ

ଏମନ୍ତେ ସଂପୂର୍ଣ୍ଣ ବତ୍ସରେ

ଜନ୍ମିଲା ତାହର କୁମରେ

ଚିତ୍ରକେତୁର ଯେତେ ଲୋକ

ହରଷ ହୋଇଲେ ଅନେକ

ହରଷ ହୋଇ ସେ ରାଜନ

ତକ୍ଷଣେ କଲାକ ସ୍ନାହାନ

ସନ୍ତୋଷ ମନେ ନୃପବର

ଭୂଷିତ ହୋଇ ଅଳଙ୍କାର

ବ୍ରାହ୍ମଣେ ଆଣି ବେଦ ଧର୍ମ

କଲା ସେ ପୁତ୍ରଜାତ କର୍ମ

ବ୍ରାହ୍ମଣେ ସୁବର୍ଣ୍ଣ ଜଗତ

ଦେଲା ଧେନୁ ଶତ ଅୟୁତ

ପୃଥିବୀ ହୟ ଗଜଗଣ

ଦେଲା ସେ ବିବିଧ ବସନ

ଯେ ଯେତେ ଲୋକବାଞ୍ଚା କଲେ

ମନ ସନ୍ତୋଷେ ସେ ଲଭିଲେ

ପ୍ରାଣୀ ସନ୍ତୋଷେ ମଘବାନ

ବରଷା କରଇ ଯେସନ

ପୁତ୍ର ଆୟୁଶ ଯଶ ଧନ

ବିବୃଦ୍ଧି ଅର୍ଥେ ଦେଲା ଦାନ

କଷ୍ଟରେ ଲଭିଲା ସେ ସୁତ

ପୁତ୍ରରେ ସ୍ନେହ ତା ବହୁତ

ଦରିଦ୍ର ଯେହ୍ନେ ଧନ ପାଇ

ତେସନେ ହରଷ ହୁଅଇ

ମାତାର ଅତି ସ୍ନେହ ଭରେ

ମୋହ ହୋଇଲା ପୁତ୍ରଠାରେ

କୃତଦ୍ୟୁତି ସପତ୍ନୀମାନେ

ଦୁଃଖିତ ସନ୍ତତି କାରଣେ

ଚିତ୍ରକେତୁ ଯେ ସ୍ନେହ ବହି

କୃତଦ୍ୟୁତିର ପୁତ୍ର ତହିଁ

ଅନ୍ୟ ଯେ ପତ୍ନୀମାନେ ଛନ୍ତି

ସେ ଭାବେ ନାହିଁ ସ୍ନେହମତି

ଅପୁତ୍ର ଦୁଃଖ ତାହାଙ୍କର

ରାଜାର ତେଣୁ ଅନାଦର

ସେମାନେ ମନେ ଦୁଃଖ କରି

ଆତ୍ମାର ନିନ୍ଦାକୁ ଆଚରି

ପାପିଷ୍ଠ ଏଯେ କୃତଦ୍ୟୁତି

ଧିକ ଏହାର ଦୁଷ୍ଟ ମତି

ଗୃହ ସମ୍ପଦ ଯେ ସ୍ୱାମୀର

ଏ ଧିକ ହେଉ ଦୁରାଚାର

ଏ ସପତଣୀର ଚରଣେ

ଦାସୀ ହୋଇଲୁ ଅକାରଣେ

ଦାସୀର କି ଅବା ସନ୍ତାପ

ସେ ଯେବେ ସ୍ୱାମୀର ସମୀପ

ମାନ ନଲଭୁ ଆମ୍ଭେକ୍ଷଣେ

ଦାସୀର ଦାସୀ ହୋଇ ଯେହ୍ନେ

ସକଳେ ଏକଚିତ ହେଲେ

ରାଜାର ହିଂସା ଆଚରିଲେ

ଦାରୁଣ ଚିତ୍ତ ସ୍ତିରୀଜନ

କ୍ରୋଧେ ହୋଇଲେ ହତଜ୍ଞାନ

ସ୍ୱାମୀକୁ ଅତି କ୍ରୋଧ କଲେ

ଗରଳ କୁମରକୁ ଦେଲେ

ଏହା ନ ଜାଣେ କୃତଦ୍ୟୁତି

ସପତ୍ନୀ ମାତାଙ୍କର ଗତି

ପୁତ୍ର ଶୁଆଇଥିଲା ଘରେ

ଗଲା ଯେ ଅନ୍ୟାନ୍ୟ ବେଭାରେ

ଅନେକ ବେଳ ଶୋଇଥିଲା

ପୁତ୍ର ଆଣିବା ଅର୍ଥେ ଗଲା

ଭୋ ସଖି ଆଣ ପୁତ୍ର ମୋର

ଧାଈ କି ବୋଇଲା ଉତ୍ତର

ତାହାର ଆଜ୍ଞା ପାଇ ଧାଈ

ବାଳକ ନିକଟେ ମିଳଇ

ଦେଖିଲା ପୁତ୍ର ଅଛି ଶୋଇ

ନିବୃତ୍ତ ନେତ୍ର ତାର ହୋଇ

ଶରୀରେ ପ୍ରାଣ ନାହିଁ ତାର

ଦେଖି ପଡିଲା ସେ ଭୂମିର

ହତ ଦେଖିଣ ତାର ଧାଈ

ପଡ଼ିଲା ଅଚେତନ ହୋଇ

ବେନି କରରେ ହୃଦ ତାଡି

ଆରତେ ଛାଡ଼ୁ ଅଛି ରଡି

ତା ଦେଖି ପାଟ ମହାଦେଈ

ଧାଇଁଲା ଅସମ୍ଭାଳ ହୋଇ

ପୁତ୍ରର ନିକଟେ ମିଳିଲା

ମୃତ ପୁତ୍ରକୁ ସେ ଦେଖିଲା

ମହାକ୍ରୋଧରେ ଶୋକଭରେ

ଭୂମିରେ ପଡ଼ିଲା ନିର୍ଭରେ

ତକ୍ଷଣେ ମୋହକୁ ପାଇଲା

କେଶ ବସନ ଖସିଗଲା

ରାଜାର ଅନ୍ତଃପୁର ଜନ

ସ୍ତିରୀ ପୁରୁଷ ହେ ରାଜନ

ରୋଦନ ଶୁଣି ସେ ଧାଇଁଲେ

ତୁଲ୍ୟେ ଶୋକକୁ ସେ ଧଇଲେ

କହିବା ଶୁଣ ନୃପବର

ଯେତେକ ସପତ୍ନୀ ତାହାର

ଅନ୍ତରେ ସୁଖ ସେ ଆଚରି

ବାହ୍ୟେ କପଟ ଶୋକ କରି

ପୁତ୍ର ମରଣ ରାଜା ଶୁଣି

ମୃତ୍ୟୁର କାରଣ ନ ଜାଣି

ଶୋକରେ ନ ଦିଶଇ ପଥ

ମୋହରେ ହୋଇ ଜ୍ଞାନ ହତ

ସ୍ନେହ ହେତୁରୁ ଶୋକ ବଢ଼ି

ମୂର୍ଚ୍ଛିତ ହୋଇ ଗାଢେ ପଡ଼ି

ଅମାତ୍ୟ ଆଦି ଯେତେ ଜନ

ଦେଖୁ ଅଛନ୍ତି ହେ ରାଜନ

ମୃତ ବାଳକ ପାଦତଳେ

ପଡ଼ିଲା ଯାଇ ଜ୍ଞାନ ଭୋଳେ

ଖସିଣ ପଡିଅଛି କେଶ

ବିଚିତ୍ର ପରିଧାନ ବାସ

ଦୀର୍ଘ ନିଃଶ୍ୱାସ ସେ ଛାଡ଼ଇ

ନୟନୁ ଅଶ୍ରୁଜଳ ବହି

ନିରୋଧ କଣ୍ଠଦ୍ୱାର ହୋଇ

ବଚନ ନ ପାରଇ କହି

ପତିର ଦେଖି ଶୋକଭର

ମୃତ୍ୟୁକୁ ଦେଖିଣ ପୁତ୍ରର

ବିଚିତ୍ର ବିଳାପ କରଇ

କୃତଦ୍ୟୁତି ସେ ମହାଦେଈ

ସ୍ତନ ଯୁଗଳରେ ତାହାର

ମଣ୍ଡିତ କୁଙ୍କୁମ ପୟର

ଅଞ୍ଜନ ସହିତେ ଲୋତକ

ସେ ସ୍ତନ ଯୁଗଳ ଧଉତ

କେଶ ହୋଇଲା ଅସମ୍ଭାଳ

ଖସି ପଡ଼ିଲା ଫୁଲମାଳ

କୁରରୀ ପ୍ରାୟ ସେ ବିକଳ

ନୟନୁ ବହେ ଅଶ୍ରୁଜଳ

ହେ ବିଧି ତୋ ମତି ଦାରୁଣ

ବାଳକ ପ୍ରାୟ ଆଚରଣ

ଆପଣେ କରିଣ ରଚନ

କ୍ଷଣକେ କରି ଭଗ୍ନମାନ

କେ ଅବା ଅଛି କେବା ନାହିଁ

ଏହାର ନିଦାନ ନ ଥାଇ

ଯେବା ସଂସାର ପ୍ରାଣୀଙ୍କର

ପ୍ରାକର୍ମ ଜନ୍ମ ମରଣର

ସେନେହ ପାଶ ବଢ଼ାଇଣ

ଆପଣେ ସୃଷ୍ଟି ଭିଆଇଣ

ଛେଦନ କଲା ଅକାରଣ

ଅଜ୍ଞାନ ପ୍ରାଣୀଏ ଯେସନ

ହେ ତାତ ତନୟ ମୋହର

ଦେଖୁନାହୁଁ ତୋ ପିଅର

ଛାଡ଼ି ନ ଯାଅ ବାବୁ ତୁହି

ଶୋକସାଗରେ ମୋତେ ଥୋଇ

ମୁଁ ଯେ ପାପିଷ୍ଠ ଦୁଃଖୀ ହୋଇ

ମୋତେ ଛାଡ଼ିଣ ନ ଯା ତୁହି

ତୋହର କରି ବାବୁ ମୁହିଁ

ଦୁସ୍ତର ତମରୁ ତରଇ

ଦାରୁଣ ଯମ ବଶ ହୋଇ

ଛାଡ଼ି ନ ଯାଅ ମୋତେ ତୁହି

ଉଠ ହେ ନୃପତି ନନ୍ଦନ

ଆନନ୍ଦେ କର ସ୍ତନ୍ୟ ପାନ

ସମବୟସୀୟ କୁମରେ

ଡାକୁ ଅଛନ୍ତି ବାବୁ ତୋରେ

ବାଳକ ସଙ୍ଗତେ ବିହର

ବହୁତ ନିଦ୍ରା ଦୂର କର

ମୋହର ଶୋକ ତୁ ନିବାର

ରୋଦନ୍ତି ପିଅର ତୋହର

ହରଷ ଆନନ୍ଦ ପଙ୍କଜ

ମୁଖ ତୋ ନ ଦେଖି ତନୁଜ

ଦାରୁଣ ଯମକି ତୋହରେ

ଘେନାଇ ଗଲା ନିଜ ପୁରେ

ତେଣୁ ମୋ କୋମଳ ବଚନ

ଶୁଣିଲୁ ନାହିଁରେ ନନ୍ଦନ

ଶ୍ରୀ ଶୁକ ଉବାଚ

ମୃତ ପୁତ୍ରଠାରେ ତାହାର

ବିଳାପ ଶୁଣି ନୃପବର

ଚିତ୍ରକେତୁ ମଗ୍ନ ଶୋକରେ

ରୋଦନ କରେ ଉଚ୍ଚ ସ୍ୱରେ

ବିଳପେ ପତ୍ନୀର ସହିତେ

ନୃପକୁ ଦେଖିଣ ସମସ୍ତେ

ଯେତେ ଅମାତ୍ୟ ଆଦି ତାର

ରୋଦନ କଲେ ଉଚ୍ଚ ସ୍ୱର

ସ୍ତିରୀ ପୁରୁଷ ଯେତେ ଜନ

ସକଳେ ହେଲେ ଅଚେତନ

ଏମନ୍ତେ ଶୁଣ ନୃପବର

ସକଳେ ଅତି ଦୁଃଖତର

ଦୁଃଖ ରାଜାର ଦେଖି ମୁନି

ଅଙ୍ଗିରା ନାରଦଙ୍କୁ ଘେନି

ଶୀଘ୍ରରେ ଘେନି ଋଷି ଗଲେ

ରାଜାର ପୁରରେ ମିଳିଲେ

ବୋଲଇ ବିପ୍ର ଜଗନ୍ନାଥ

ଚିତ୍ରକେତୁ ରାଜା ଚରିତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ଚିତ୍ରକେତୁ ରାଜା ଚରିତେ

ନାମ ଚତୁର୍ଦ୍ଦଶୋଽଧ୍ୟାୟଃ

•••

 

Unknown

ପଞ୍ଚଦଶ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

ଶୋକରେ ଜ୍ଞାନ ଭ୍ରଷ୍ଟ ହୋଇ

ଚିତ୍ରକେତୁ ପଡି ଅଛଇ

ଯେମନ୍ତେ ଶବ ପଡ଼ିଥାଇ

ଏ ବେନି ତାର ପାଶେ ଯାଇ

ଉତ୍ତମ ବାକ୍ୟମାନଙ୍କରେ

ବୋଧୁ ଅଛନ୍ତି ନୃପବରେ

ଭୋ ଚିତ୍ରକେତୁ ନୃପବର

ତୁମ୍ଭେ ଯା ପାଇଁ ଶୋକ କର

ତୁମ୍ଭେ ଏହାର ପୂର୍ବ ସୂତ

ହୋଇଣ ଥିଲା ବା କେମନ୍ତ

ଏବେ ତୁମ୍ଭର ପୁତ୍ର ଏହି

ସଂସାର ମାୟା ଯେ ଅଟଇ

ଯେମନ୍ତେ ନଦୀ ସ୍ରୋତ ହୋଇ

ବାଲୁକା ଆସି ଯାଇ ଥାଇ

ତେମନ୍ତେ ପ୍ରାଣୀ ଯଥାକାଳେ

ଆସଇ ଯାଇ କର୍ମ ବଳେ

ବିଲଗ୍ନ ଯେହ୍ନେ ହୋଇ ନାହିଁ

ପ୍ରାଣୀହିଁ ତେମନ୍ତ ଅଟଇ

ଈଶ୍ୱର ମାୟାରେ ଜଗତ

ଉତ୍ପତ୍ତି ନାଶ ସର୍ବଭୂତ

ସ୍ଥାବର ଆଦିକରି ଯେତେ

ଚର ଅଚର ଏ ସହିତେ

ଜନ୍ମ ମରଣ ଆଗପଛ

ହୋଇଣ ଦେଖଇ ପ୍ରତ୍ୟକ୍ଷ

ଭୂତରେ କରିଣ ଈଶ୍ୱର

ଜନ୍ମଇ ଅଖିଳ ସଂସାର

ପ୍ରତିପାଳନ କରି ପୁଣ

ହତ କରାଇ ତତକ୍ଷଣ

ଆୟତ୍ତ ନୁହଇ କାହାର

ଯେହ୍ନେ ବାଳୁତ ଖେଳଘର

ଦେହରୁ ଦେହ ହୋଇ ଜାତ

ସଂସାର ହୋଇଛି ପୂରିତ

ଆତ୍ମା ଶରୀରୁ ଭିନ୍ନ କରି

ପୂର୍ବେ ଯେ ବିଧାତା ବିଚାରି

ଜାତି ସଂଖ୍ୟାରେ କରି ଭିନ୍ନେ

ସୁବର୍ଣ୍ଣେ ନାନା ଦ୍ରବ୍ୟ ଯେହ୍ନେ

ଶ୍ରୀ ଶୁକ ଉବାଚ

ଏସନ ବାକ୍ୟେ ବିପ୍ରଙ୍କର

ଆଶ୍ୱସ୍ତ ହୋଇ ନୃପବର

ମଜ୍ଜିଣ ଏ ଦୁଃଖ ଅପାର

ଶୁଣି କହଇ ନୃପବର

ରାଜୋବାଚ

କେ ତୁମ୍ଭେ ବିପ୍ର ଦୁଇଜଣ

ଅଶେଷ ଜ୍ଞାନରେ ନିପୁଣ

ଜ୍ଞାନୀମାନଙ୍କ ତୁମ୍ଭେ ବର

ଅବଧୂତ ବେଶକୁ ଧର

ସ୍ୱଭାବେ ଗୁପ୍ତ ପ୍ରାୟ ହୋଇ

ଆସିଣ ଅଛ ତୁମ୍ଭେ ଦୁଇ

ବିଷ୍ଣୁର ଦୂତ ପ୍ରାୟ ଲୋକେ

ପୃଥ୍ୱୀରେ ଭ୍ରମୁଥାଅ ସୁଖେ

ମୋହର ପ୍ରାୟ ଦୁଃଖୀ ହୋଇ

ସଂସାରେ କେ ଅବା ଅଛଇ

ପ୍ରାଣୀଙ୍କ ସୁଖ ଇଚ୍ଛା କରି

ଏମାନେ ବୁଲନ୍ତି ବିହରି

ଗୌତମ ଅସୀତ ଦେବଳ

କୁମାର ବଶିଷ୍ଠ କପିଳ

ମାର୍କଣ୍ତେୟ ବ୍ୟାସ ଅଙ୍ଗିରା

ଲୋମଶ ଦତ୍ତ ବେଦଶିରା

ଦୁର୍ବାସା ଆଦି ଗାଧି ପୁଣ

ସୁମନ୍ତ ଋଷି ନାରାୟଣ

କ୍ରତୁଧ୍ୱଜ ଏ ଶ୍ରୁତଦେବ

ପଞ୍ଚଶିଖ ହିରଣ୍ୟନାଭ

କୌଶିକ ନାରଦ ଆସୁରି

ଧୌମ୍ୟ ଚ୍ୟବନ ପାତାଞ୍ଜଳି

ଚିତ୍ର ସହିତେ ସିଦ୍ଧ ସୁର

ଏମନ୍ତେ ଭ୍ରମନ୍ତି ସଂସାର

ପ୍ରାଣୀର ମଙ୍ଗଳ କାରଣେ

ଭ୍ରମୁ ଅଛନ୍ତି ଅନୁକ୍ଷଣେ

ସ୍ୱଭାବେ ଗ୍ରାମ ପଶୁ ମୁହିଁ

ରଜ ତମରେ ବୁଡିଛଇଁ

କେ ଦୁଇ ସିଦ୍ଧ ତୁମ୍ଭେ କହ

ଜ୍ଞାନ ଦୀପକୁ ମୋତେ ଦିଅ

ଅଙ୍ଗିରା ଉବାଚ

ହେ ଚିତ୍ରକେତୁ ନୃପବର

ମୁଁ ତୋତେ ଦେଇଛି କୁମର

ଅଙ୍ଗିରା ନାମଟି ମୋହର

ଏ ଦେଖ ବ୍ରହ୍ମାଙ୍କ କୁମର

ଆଦ୍ୟହୁଁ ବିଷ୍ଣୁ ଭକ୍ତ ଏହି

ନାରଦ ବୋଲି ଯାକୁ କହି

ଦୁସ୍ତର ଶୋକେ ମଗ୍ନ ତୋର

ଦେଖିଲୁ ଯହୁଁ ନୃପବର

ତୋହର ଯୋଗ୍ୟ ତ ନୁହଇ

ଏହା ବିଚାରି ଆମ୍ଭେ ଦୁଇ

ତୋଠାରେ ଅନୁଗ୍ରହ କରି

ଅଇଲୁ ଶୁଣ ଦଣ୍ତଧାରୀ

ବ୍ରାହ୍ମଣ ବିଷ୍ଣୁ ଭକ୍ତ ହେଉ

ଶୋକେ ନ ବୁଡ଼ ଭୂମି ବାହୁ

ପୂର୍ବେ ତୋ ଗୃହେ ଆସିଥିଲୁ

ସେଦିନ ଜ୍ଞାନକୁ କହିଲୁ

ପୁତ୍ର ବିଷୟେ ଜ୍ଞାନ ତୋର

ଜାଣିଣ ଦେଲୁ ପୁତ୍ରବର

ଏବେ ତୁ ପୁତ୍ର ଶୋକଭର

ଏ ଅନୁଭବେ ନୃପବର

ଐଶ୍ୱର୍ଯ୍ୟ ପୁତ୍ର ଦାରାଧନ

ଭୃତ୍ୟ ଅମାତ୍ୟ ପ୍ରିୟଜନ

ବିଷୟ ରାଜ ସୈନ୍ୟ କୋଷ

ଶୂରସେନା ଲୋକ ଅଶେଷ

ଏ ସବୁ ଲୋକେ ଭୟଙ୍କର

ଭୟକୁ ଦେବ ନୃପବର

କର୍ମକୁ ଧ୍ୟାୟି ଯେଉଁ ଜନ

କରଇ ନାହିଁ କର୍ମମାନ

ନାନା କର୍ମରେ ମନ ତାର

ପ୍ରବେଶ ହୋଇ ନିରନ୍ତର

ଏମନ୍ତେ ଦେହୀମାନଙ୍କର

ଦେହଟି ଏ ମାୟା ସଂସାର

ବିବିଧ କ୍ଲେଶ ଦେହୀଙ୍କର

ସନ୍ତାପ ଯେତେକ ଅସାର

ଏହି କାରଣୁ ହେ ରାଜନ

ଆପଣ ସୁସ୍ଥ କର ମନ

ଏ ବିଶ୍ୱ ସଂସାରେ ଅସାର

ଦେହର ଗତିକୁ ବିଚାର

ଶୋକ ନ କରି ନୃପବର

ଆତ୍ମା ମନକୁ ସ୍ଥିର କର

ନାରଦ ଉବାଚ

ଉପନିଷଦ ମନ୍ତ୍ର ଦୀକ୍ଷା

ଶୁଚି ହୋଇଣ କର ଶିକ୍ଷା

ସେ ବିଦ୍ୟାବଳୁ ସପ୍ତଦିନ

ଦେଖିବ ପ୍ରଭୁ ଭଗବାନ

ପାଦ ପଙ୍କଜଟି ଯାହାର

ଆଶ୍ରୟ କରିଣ ଶଙ୍କର

ସର୍ବ ବିଷୟକୁ ଛାଡିଲେ

ତକ୍ଷଣେ ସେ ପଦ ଲଭିଲେ

ତୁମ୍ଭେ ଏ ବିଦ୍ୟାର ପ୍ରସାଦେ

ତାହା ଲଭିବ ଅପ୍ରମାଦେ

ବୋଲଇ ଦାସ ଜଗନ୍ନାଥ

ହରି ଚରିତ ଭାଗବତ

ଚିତ୍ରକେତୁ ଶୋକ ଖଣ୍ତନ

ସୁଜନେ ଏଣେ ଦିଅ ମନ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ଚିତ୍ରକେତୁ ପୁତ୍ର ଶୋକ

ଖଣ୍ଡନେ ନାମ ପଞ୍ଚଦଶୋଽଧ୍ୟାୟଃ

•••

 

ଷୋଡ଼ଶ ଅଧ୍ୟାୟ

 

ଶ୍ରୀଶୁକ ଉବାଚ

ଏ ଅନନ୍ତରେ ହେ ରାଜନ

ମଲା ସେ ନୃପତି ନନ୍ଦନ

ଭାଷେ ନାରଦ ହୋଇ ତୋଷ

ଉଠ ହୋ ନୃପତିର ଶିଷ୍ୟ

ଦେଖ ତୋ ଜ୍ଞାତି ସହୋଦର

ପଡିଣ ଅଛନ୍ତି ଭୂମିର

ହେ ଜୀବ ଦେଖ ତୋର ମାତା

ମୋହକୁ ପାଉଅଛି ପିତା

ବନ୍ଧୁ ବାନ୍ଧବ ଯେ ତୋହର

ମୋହକୁ ପାଇଲେ ଅପାର

ଆପଣା କଳେବରେ ପଶ

ଶେଷ ତୋ ଯେତେକ ଆୟୁଷ

ସୁହୃଦଗଣେ କୃତ୍ୟ ହୋଇ

ନାନା ଭୋଗକୁ ଭୁଞ୍ଜ ତୁହି

ନୃପ ଆସନେ ବିଜେ କର

ପିତାର ଶୋକ କର ଦୂର

ଜୀବ ଉବାଚ

କେଉଁ ଜନମରୁ ମୋହର

ହୋଇଛନ୍ତି ମାତା ପିଅର

ଦେବତା ମନୁଷ୍ୟ ପକ୍ଷୀରେ

ଭ୍ରମଇ ମୁହିଁ ମୋ କର୍ମରେ

ବାନ୍ଧବ ଜ୍ଞାତି ମିତ୍ର ଅରି

ଯେ ଉଦାସୀନ ଦୋଷକାରୀ

ଏ ସର୍ବ ପରସ୍ପରେ ଥାନ୍ତି

କେବେ ବା ନୁହଁନ୍ତି ହୁଅନ୍ତି

ହେମରୁ ନାନା ଦ୍ରବ୍ୟ ଯେହ୍ନେ

ଜ୍ୟୋତିରୁ ଜୀବନ ତେସନେ

ସତ୍ୟ ଯେ ସମ୍ବନ୍ଧ ଲୋକରେ

ଅସତ୍ୟ ବୋଇଲେ ବିଚାରେ

ସମ୍ବନ୍ଧ ଯାବତ ଯାହାର

ତାବତ ମମତା ତାହାର

ଏ ଜୀବ ନିତ୍ୟ ଯେ ଅବ୍ୟୟ

ସୂକ୍ଷ୍ମ ସ୍ୱରୂପୀ ସର୍ବାଶ୍ରୟ

ଆତ୍ମା ମାୟା ଗୁଣରୁ କରି

ଆତ୍ମା ସୃଷ୍ଟି କି ଆଚରି

ଏହାର ପ୍ରୀତି ଅବା କେହି

ଅପ୍ରୀତି ଜନ କେହି ନାହିଁ

ଆତ୍ମା ପର ନାହିଁ ଯାହାର

ଗୁଣ ଦୋଷ କ୍ରିୟା ଫଳର

ଉଦାସୀନର ପ୍ରାୟ ହୋଇ

ପର ଅପରକୁ ଦେଖଇ

ଏମନ୍ତ ଏକ ସେ ଈଶ୍ୱର

ସଂସାର ନିର୍ମିତ ତାହାର

ଶ୍ରୀ ଶୁକ ଉବାଚ

ଏମନ୍ତ କହିଣ ବଚନ

ଜୀବ ଚଳିଲା ହେ ରାଜନ

ବିଷାଦେ ତାର ବନ୍ଧୁଗଣ

ଶୋକକୁ କଲେ ବିମୋଚନ

ତା ତହୁଁ ଜ୍ଞାନକୁ ଶୁଣିଲେ

ସ୍ନେହ ଶାଙ୍କୋଳିକୁ ଛେଦିଲେ

ଏ ଅନନ୍ତରେ ଜ୍ଞାତି ଜନ

ବେଦ ଉଚିତ କର୍ମମାନ

ଲୋକ ବିଧିରେ ଏହା କଲେ

ସମସ୍ତେ ପାପକୁ ଛାଡିଲେ

ଶୋକ ମୋହ ଯେ ସ୍ନେହଦେହୀ

ତାହା ଛାଡିଲେ ଜ୍ଞାନ ପାଇ

ସେ ଯେ ବାଳାଗ୍ନୀ ପୁରନାରୀ

ଲାଜ ପାଇ ମନେ ବିଚାରି

ବାଳକ ହତ୍ୟା ପାପୁକରି

ହତ ହୋଇଲା ତାଙ୍କ ଶିରୀ

ବ୍ରାହ୍ମଣେ ପୁଚ୍ଛିଲେ ଉଚିତ

ବାଳକ ହତ୍ୟାରେ ଯେ ରତ

ଯମୁନା କୂଳକୁ ସେ ଗଲେ

ବାଳକ ହତ୍ୟା ବ୍ରତ କଲେ

ବ୍ରାହ୍ମଣ ଆଜ୍ଞା ପରମାଣେ

କଲେ ବେଦବିଧି ବିଧାନେ

ଏମନ୍ତେ ଶୁଣହେ ରାଜନ

ଚିତ୍ରକେତୁ ବିପ୍ର ବଚନ

ଶୁଣି ତକ୍ଷଣେ ଜ୍ଞାନ ପାଇ

ଗୃହକର୍ମୁ ବାହାର ହୋଇ

ସର ପଙ୍କରୁ ଗଜ ଯେହ୍ନେ

ବାହାର ହୋଇଲେ ତେସନେ

କାଳିନ୍ଦୀ ଜଳେ ସ୍ନାନ କଲା

ପୁଣ୍ୟ କଥାକୁ ଆଚରିଲା

ମଉନ ବ୍ରତ ହୋଇ ରାଜା

ମୁନି ଚରଣେ କଲା ପୂଜା

ଏ ଅନନ୍ତରେ ମୁନିବର

ଭକତି ଦେଖିଣ ତାହାର

ନାରଦ ଅନୁକମ୍ପା କଲେ

ଏ ବିଦ୍ୟା ତାହାରେ କହିଲେ

ପରମାନନ୍ଦେ ସେ ନିବୃତ୍ତି

ଧ୍ୟାନେ ଗୋବିନ୍ଦେ କଲା ସ୍ତୁତି

ନମସ୍ତେ ପ୍ରଭୁ ଭଗବାନ

ବାସୁଦେବ ସର୍ବ କାରଣ

ନମସ୍ତେ ଜ୍ଞାନର ଈଶ୍ୱର

ପରମାନନ୍ଦ ମୁକ୍ତି ପର

ନମସ୍ତେ ବଇକୁଣ୍ଠ ବାସୀ

ନମସ୍ତେ ପ୍ରଭୁ ବ୍ରହ୍ମରାଶି

ନମସ୍ତେ ପ୍ରଭୁ ଆତ୍ମା ରାମ

ଅବ୍ୟୟ ରୂପ ପୂର୍ଣ୍ଣ କାମ

ଭୋ ହୃଷୀକେଶ ହେ ମହତ

ନମସ୍ତେ ମୂର୍ତ୍ତି ଯେ ଅନନ୍ତ

ଯେ ପ୍ରଭୁ ଅଗମ୍ୟୁ ବାହାର

ମନରେ ଯେ ନୋହେ ଗୋଚର

ତାହାର ତହୁଁ ଏ ଜଗତ

ହେଉଛନ୍ତି ଆଜଜାତ

ମୃତ୍ତିକା ତହୁଁ ନାନା ପାତ୍ର

ଯେସନେ ହୋଇ ଅଛି ଜାତ

ପ୍ରଳୟ ସ୍ଥିତି ଯାର ତହିଁ

ସେ ବ୍ରହ୍ମେ ପ୍ରଣାମ କରଇ

ବୁଦ୍ଧି ଇନ୍ଦ୍ରିୟ ଆଦି ମନ

ଯାର ନ ଜାଣଇ ପ୍ରମାଣ

ବାହ୍ୟ ଅନ୍ତରେ ବ୍ୟାପ୍ତ ହୋଇ

ଆକାଶ ବ୍ୟାପି ଯେ ଅଛଇ

ତାହାଙ୍କୁ ମୋର ନମସ୍କାର

ଅଚ୍ୟୁତ ପରମ ଈଶ୍ୱର

ଦେହ ଇନ୍ଦ୍ରିୟ ଆଦି ପ୍ରାଣ

ବୁଦ୍ଧି ସହିତେ ଯେଉଁ ଜନ

ଯାହାର ଅଂଶରେ ଏମାନ

କର୍ମରେ କରନ୍ତି ଭ୍ରମଣ

ଭଗବାନ ମହାପୁରୁଷ

ଆମ୍ଭର ଭାବରେ ପ୍ରକାଶ

ମହାବିଭୂତିର ଈଶ୍ୱର

ସକଳ ଜନ୍ତୁ ବଶକର

ଏହାଙ୍କ କର ପଦ୍ମେ କରି

ସେବିତ ଚରଣ ଯାହାରି

ଏମନ୍ତ ପରମ ଈଶ୍ୱର

ତାହାଙ୍କୁ ମୋର ନମସ୍କାର

ଶ୍ରୀ ଶୁକ ଉବାଚ

ଭକତ ରାଜାଙ୍କୁ ନାରଦେ

ଏ ବିଦ୍ୟା ଦେଲେ ଅପ୍ରମାଦେ

ଅଙ୍ଗିରା ସହିତେ ରାଜନେ

ଗଲେ ସେ ଯେ ଯାହା ଭୁବନେ

ଚିତ୍ର କେତୁ ସେ ବିଦ୍ୟା ଘେନି

ଯେମନ୍ତେ କହିଥିଲେ ମୁନି

ସପତ ରାତ୍ରେ ଅପ୍ରମାଦେ

ନାରଦ ବିଦ୍ୟାର ପ୍ରସାଦେ

ବିଦ୍ୟାଧର ଅଧିକ ପଣ

ଲଭିଲେ ଚିତ୍ରକେତୁ ପୁଣ

ଶୁଣ ରାଜନ ଏକ ମନେ

ଏ ଅନନ୍ତରେ କେତେ ଦିନେ

ଶେଷଦେବ ଯେ ଦେବେଶ୍ୱର

ଗଲା ନିକଟେ ତାହାଙ୍କର

ବିଦ୍ୟାରେ କରି ମନୋଗତି

ଲଭିଲା ନିଶ୍ଚୟ ନୃପତି

ମୃଣାଳ ପ୍ରାୟ ତାଙ୍କ ବର୍ଣ୍ଣ

ଶୁକ୍ଳ ବସନ ପରିଧାନ

ଶୋଭିତ କିରୀଟ କୁଣ୍ଡଳ

ମେଖଳା କଙ୍କଣ ଆବର

ପ୍ରସନ୍ନ ରୁଚିର ବଦନ

ଅରୁଣ ପଙ୍କଜ ଲୋଚନ

ବେଢି ଅଛନ୍ତି ସିଦ୍ଧେଶ୍ୱର

ଦେଖିଲା ଯାଇଁ ନୃପବର

ତାହାଙ୍କ ଦରଶନ ପାଇ

ସକଳ ପାପୁଁ ମୁକ୍ତ ହୋଇ

ଅନ୍ତଃକରଣ ଶୁଦ୍ଧ କଲା

ଅଶ୍ରୁରେ ଲୋଚନ ପୂରିଲା

ଭକତି ରୂପ ପୁଲକିଲା

ଆଦି ପୁରୁଷଙ୍କୁ ନମିଲା

ସେ ଚିତ୍ରକେତୁ ହର୍ଷ ହୋଇ

ନୟନ ଜଳେ ପାଦ ଧୋଇ

ପ୍ରେମରେ କଣ୍ଠରୋଧ ହୋଇ

ସ୍ତୁତି କରିଣ ନ ପାରଇ

ହରଷେ ପୂର୍ଣ୍ଣ ଇନ୍ଦ୍ରିଗଣ

କ୍ରମରେ କରି ନିବାରଣ

ଯାଦବ ବଂଶର ଠାକୁର

ଜଗତ ଗୁରୁ ଗୁରୁବର

ତାହାଙ୍କ ପାଦେ ଦେଇ ମନ

କହଇ ମଧୁର ବଚନ

ଚିତ୍ରକେତୁ ଉବାଚ

ସ୍ୱଭାବେ ତୁମ୍ଭେ ଯେ ଅଜିତ

ସମବର୍ତ୍ତୀ ଲୋକରେ ଜିତ

ସୁସିଦ୍ଧ ଆତ୍ମା ଲୋକଙ୍କର

ଜିତୁ ତୁ ହେଉ ହେ ଈଶ୍ୱର

ଯେ ତୋତେ କରଇ ଭଜନ

ତାର କାମନା କରୁ ପୂର୍ଣ୍ଣ

ଅତି ଦୟାଳୁ ରୂପ ଧରି

ଜଗତ ବିଭବ ତୋହରି

ଅନାଦି ତୁହି ତୋର ତହିଁ

ଉଦୟ ସ୍ଥିତି ଅସ୍ଥ ହୋଇ

ସୃଷ୍ଟି କରତା ଅଛି ଆର

ବୋଲଇ ଅନ୍ଧ ଯେଉଁ ନର

ପରମ ଅଣୁ ପରି ହୋଇ

ମହତ ତେଜକୁ ତୁ ବହି

ଜଗତ ଅନ୍ତର୍ଗତ ସ୍ଥିତ

ଆଦି ଅନ୍ତରେ ତୁ ପୂରିତ

ହେ ଦେବ ପ୍ରାଣୀମାନଙ୍କର

ସାକ୍ଷୀରୂପକୁ ତୁମ୍ଭେ ଧର

କ୍ଷିତି ଯେ ଆଦି ପଞ୍ଚଭୂତ

ଏଥିରେ ହୋଇଣ ନିର୍ମିତ

ସେହି ମତରେ ଅଣ୍ତକୋଷ

ଏହାର ତହିଁ ତୋର ବାସ

ବିଷୟ ଜଡେ ମୋହ ହୋଇ

ଯେ ନର ବିଭୂତି ଚିନ୍ତଇ

ତୁମ୍ଭ ଅର୍ଚ୍ଚନକୁ ନ ଚିନ୍ତେ

ଗ୍ରାମର ପଶୁ ଏ ବିଦିତେ

ଭୋ ପ୍ରଭୁ ତାହାଙ୍କ କଲ୍ୟାଣ

କେବେହେଁ ନୁହଁଇ ନିପୁଣ

ଜ୍ଞାନ ଆତ୍ମା ଅଖଣ୍ଡମୟ

ଅଜିତ ଭଗବାନ ହୁଅ

ତୁମ୍ଭେ ଯେ ଭାଗବତ ଧର୍ମ

କହିଲ ପୁରୁଷ ଉତ୍ତମ

ଅକିଞ୍ଚନ ଯେ ଆତ୍ମା ରାମ

ଏମନ୍ତେ ସେହୁ ମୁନି ଜନ

ମୋକ୍ଷ ନିମନ୍ତେ ଯେଉଁ ଧର୍ମ

କରନ୍ତି ନିତ୍ୟେ ଉପାସନ

ବିଷୟ ମାତ୍ରଟି ଯାହାର

ଏ ଧର୍ମୁ ସେ ଜନ ବାହାର

ଯେଉଁ ଧର୍ମରୁ ତୁମ୍ଭେ ମୁହିଁ

ତୁମ୍ଭର ମୋର ଭେଦ ନାହିଁ

ଅଧରମରୁ ତୁମ୍ଭ କ୍ରୋଧ

ପରସ୍ପରେ ପୀଡ଼ା ବିରୋଧ

ବିହିତ ଭାଗବତ ଧର୍ମ

ଯହିଁରେ ନାହିଁ ସର୍ବ କର୍ମ

ସ୍ଥାବର ଚର ସର୍ବ ଘରେ

ଅଭିନ୍ନ ଭାବ ଯେଉଁ ନରେ

ସେ ନିତ୍ୟ ପାଦ ପଦ୍ମେ ତୋର

ସେବା କରନ୍ତି ନିରନ୍ତର

ପାଷଣ୍ତ ମତି ଯେଉଁ ନର

ଦୁର୍ଲ୍ଲଭ ପଦ ଏ ତାହାର

ଯେ ପଦପଲ୍ଲବ ସୁଧାମ

ପରମ ମଙ୍ଗଳ ତା ନାମ

ଯେ ନାମ ସୁମରଣ କରି

ପ୍ରାଣୀ ସଂସାରୁ ଯାନ୍ତି ତରି

ହେ ଦେବ ଦେବ ନାରାୟଣ

ହେ ପ୍ରଭୁ ଅଖିଳ କାରଣ

ତୁମ୍ଭର ଦର୍ଶନୁ ମୋହର

ପବିତ୍ର ହୋଇଲା ଶରୀର

ଯାହା କହିଲେ ସେ ନାରଦ

କେମନ୍ତେ ଅନ୍ୟଥା ହୋଇବ

ଜଗତ ଆତ୍ମାରେ ଅନନ୍ତ

ସକଳ ଜାଣିଲେ ତୁରିତ

ଏ ଘୋର ସଂସାରରେ ଜନ

ତୋତେ ନ ଜାଣେ ଭଗବାନ

ତୁମ୍ଭେ ଆଦିତ୍ୟ ଦେବରାୟେ

ନରେଟି ଖଦ୍ୟୋତ ପରାୟେ

ଜଗତ ଉତ୍ପତ୍ତି ପାଳନ

ପ୍ରଳୟ ହେତୁ ନାରାୟଣ

ପରମ ହଂସ ରୂପ ତୁହି

ନମସ୍ତେ ପ୍ରଭୁ ଭାବଗ୍ରାହୀ

ଯାର ଶ୍ୱାସକୁ ଅନୁସରି

କମ୍ପଇ ମୋହେ ବସୁନ୍ଧରୀ

ପ୍ରାଣୀ ସମୂହ ଆଦିକରି

ଅବନୀ ଅଛି ଯେହୁ ଧରି

ସହସ୍ର ମସ୍ତକ ଈଶ୍ୱର

ନମସ୍ତେ ବ୍ରହ୍ମାଣ୍ଡ ଠାକୁର

ଶ୍ରୀ ଶୁକ ଉବାଚ

ଏମନ୍ତ ସ୍ତୁତି ତାର ଶୁଣି

ଅନନ୍ତ ଗୁଣ ଚକ୍ରପାଣି

ଯେ ଚିତ୍ରକେତୁ ବିଦ୍ୟାଧର

ତାହାକୁ ବୋଲନ୍ତି ଉତ୍ତର

ଶ୍ରୀ ଭଗବାନୁବାଚ

ଶୁଣ ରାଜନ ପୁଣ୍ୟ ଦେହୀ

ମୋର ଭକତ ଅନୁଗ୍ରାହୀ

ନାରଦ ଅଙ୍ଗିରା ତୋହରେ

କହିଲେ ଯେଉଁ ବିଦ୍ୟାସାରେ

ତେଣୁ ସିଦ୍ଧ ହୋଇ ରାଜନ

ପାଇଲୁ ମୋର ଦରଶନ

ମୁଁ ସର୍ବ ପ୍ରାଣୀର ଅଶେଷ

ଆତ୍ମାରୂପରେ ମୋର ବାସ

ପରମ ବ୍ରହ୍ମ ଯାହା କହି

ସେ ମୋର ଶରୀର ଅଟଇ

ଯେ ଆତ୍ମା ବ୍ୟାପ୍ତ ଲୋକଠାରେ

ଲୋକେ ବିଖ୍ୟାତ ଏ ଆତ୍ମାରେ

ଉଭୟ ବ୍ୟାପ୍ତ ହୋଇ ମୁହିଁ

ସଂସାରେ ଅଛି ଦେହ ବହି

ଯେସନେ ନିଦ୍ରା ପାଇ ନରେ

ବିଶ୍ୱକୁ ଦେଖଇ ନେତ୍ରରେ

ନିଦ୍ରା ଉପେକ୍ଷି ପୁଣ ସେହି

ଏକ ଆତ୍ମା ହୃଦେ ଦେଖଇ

ସ୍ୱପନେ ଜ୍ଞାନ ପାଇ ଜନେ

ସକଳ ମିଥ୍ୟା ଜାଣି ମନେ

ଯାହା ସୁଷୁପ୍ତ ବୋଲି କହି

ନର ଅଶେଷକୁ ଦେଖଇ

ସୁଖ ବା ଦୁଃଖ ବା ନିର୍ଗୁଣ

ଏ ସର୍ବ ବୋଲି ମୁହିଁ ଜାଣ

ନିଦ୍ରା ଜାଗ୍ରତେ ଯେଉଁ ଜନ

ଉଭୟ ଦେଖଇ ସ୍ୱପନ

ଏ ସତ୍ୟ ମିଥ୍ୟା ଭାବ ଦୁଇ

ମୋ ବିନୁ ଅନ୍ୟ ଗତି ନାହିଁ

ଏଣୁ ମୋ ଭାବ ପ୍ରାଣୀମାନେ

ଭକତି ବଳେ ହୃଦେ ଜାଣେ

ଏଣୁ ଏ ଅଖିଳ ସଂସାରେ

ମୃତ୍ୟୁ ଜନ୍ମ ଲଭନ୍ତି ନରେ

ମନୁଷ୍ୟ ଜନ୍ମ ଆଶ୍ରେ କରି

ଜ୍ଞାନେ ଅଜ୍ଞାନେ ଦେହ ଧରି

ଆତ୍ମାକୁ ନ ଜାଣେ ଯେ ନର

କେବେହେଁ ସୁଖ ନାହିଁ ତାର

ଚେଷ୍ଟା କରଇ କାର୍ଯ୍ୟ ପାଇଁ

ନାନା କ୍ଳେଶକୁ ସେ ଲଭଇ

ସୁଖ ଦୁଃଖ ମୋକ୍ଷକୁ ଥାଇ

କେବା ଲଭଇ ନ ଲଭଇ

ଏମନ୍ତ ବିଷୟରୁ ପ୍ରାଣୀ

କରମ କରଇ ସେ ଜାଣି

ସୂକ୍ଷ୍ମ ଆତ୍ମାଗତି ତାଠାରେ

ବିମୁକ୍ତ ହୁଏ ଏ ସଂସାରେ

ଜ୍ଞାନ ସମ୍ପନ୍ନ ହୋଇ ନର

ଭକ୍ତିକୁ ଲଭଇ ମୋହର

ପ୍ରାଣୀର ଧର୍ମପଦ ଏହି

ସମଦରଶୀ ଯେବେ ହୋଇ

ଶ୍ରଦ୍ଧାରେ ଏବେ ହେ ରାଜନ

ଘେନ ତୁ ମୋହର ବଚନ

ଜ୍ଞାନ ସମ୍ପନ୍ନ ହୋଇ ନରେ

ଭକତି ଲଭନ୍ତି ମୋହରେ

ଜ୍ଞାନ ସମ୍ପନ୍ନ ହୋଇ ତୁହି

ସିଦ୍ଧ ହୋଇବୁ ବେଗେ ଯାଇ

ଶ୍ରୀ ଶୁକ ଉବାଚ

ଚିତ୍ରକେତୁକୁ ଆଶ୍ୱାସିଣ

ଜଗତଗୁରୁ ଭଗବାନ

ଦେଖୁ ଯେ ଥିଲେ ସେ ରାଜନ

ପ୍ରଭୁ ହୋଇଲେ ଅନ୍ତର୍ଦ୍ଧାନ

ବୋଲଇ ବିପ୍ର ଜଗନ୍ନାଥ

ଚିତ୍ରକେତୁ ରାଜା ଚରିତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ଚିତ୍ରକେତୁ ରାଜା ଭକ୍ତିଯୋଗେ

କଥନେ ନାମ ଷୋଡ଼ଶୋଽଧ୍ୟାୟଃ

•••

 

ସପ୍ତଦଶ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

ଯେ ଦିଗେ ଅନନ୍ତ ଈଶ୍ୱର

ତା ଠାରୁ ହୋଇଲେ ଅନ୍ତର

ସେ ଚିତ୍ରକେତୁ ବିଦ୍ୟାଧର

ସେ ଦିଗେ କରି ନମସ୍କାର

ତକ୍ଷଣେ ହରଷ ହୋଇଲା

ଗଗନ ମାର୍ଗେ ଚଳିଗଲା

ଲକ୍ଷେ ବରଷ ଅବ୍ୟାହତ

ବଳ ଇନ୍ଦ୍ରିୟ ହୋଇ ଯୁତ

ସିଦ୍ଧ ଚାରଣ ମୁନି ଯେତେ

ସ୍ତୁତି କରନ୍ତି ଅବିରତେ

ମହାଯୋଗୀ ସେ ସିଦ୍ଧେଶ୍ୱର

ରହି କୁଳାଚଳ ଦ୍ରୋଣିର

ଆନନ୍ଦେ ବିଦ୍ୟାଧରୀ ସଂଗେ

କ୍ରୀଡା କରଇ ନାନାରଙ୍ଗେ

ପରମ ଈଶ୍ୱରଙ୍କ ନାମ

କରଇ କରାଇ ଗାୟନ

ଏକ ସମୟେ ସେ ରାଜନ

ଆରୋହୀ ଅମୂଲ୍ୟ ବିମାନ

ତେଜ ଗଞ୍ଜଇ ଦିବାକର

ବିଷ୍ଣୁ ଦେଇଛି ତାକୁ ବର

ଗିରୀଶ ଦେଖିବାର ପାଇଁ

ଆନନ୍ଦେ ଗଲେ ଶୀଘ୍ର ହୋଇ

ମୁନିମାନେ ଛନ୍ତି ପାଶରେ

ଦୁର୍ଗାଙ୍କୁ ବସାଇ କୋଳରେ

ବାହୁରେ କରି ଆଲିଙ୍ଗନ

ସଭାରେ ଅଛନ୍ତି ଈଶାନ

ତାହାଙ୍କ ନିକଟକୁ ଯାଇ

ଉଚ୍ଚେ ହସିଣ ସେ ବୋଲଇ

ଚିତ୍ରକେତୁରୁବାଚ

ଧର୍ମଦେବତା ଗୁରୁଙ୍କର

ଜଗତ ଗୁରୁ ଏ ଶଙ୍କର

ସଭାର ମଧ୍ୟେ ସ୍ତିରୀ ସଙ୍ଗେ

ମିଥୁନ ଭାବ ହୋଇରଙ୍ଗେ

ଶିରରେ ବହି ଜଟାଭାର

କେ କହୁ ତପ ତାହାଙ୍କର

ଜଗତ ସ୍ୱାମୀ ବ୍ରହ୍ମବାଦୀ

ଅଷ୍ଟ ଐଶ୍ୱର୍ଯ୍ୟର ଯା ସିଦ୍ଧି

ଅଛନ୍ତି ପତ୍ନୀ ସଙ୍ଗେ ନେଇ

ଗତ ଲଜ୍ଜିତ ପ୍ରାୟ ହୋଇ

ଏକାନ୍ତେ ପ୍ରାକୃତ ସ୍ୱଭାବେ

ରହଇ ସ୍ତିରୀ ବଶ ଭାବେ

ଏ ଯେ ସ୍ୱଭାବେ ବ୍ରତଧର

ଏହାଙ୍କୁ ବୋଲି ଦେବହର

ସଭାର ମଧ୍ୟେ ସ୍ତିରୀ ଘେନି

ଅଛନ୍ତି ଯେହ୍ନେ ନୀଚଯୋନି

ଶ୍ରୀ ଶୁକ ଉବାଚ

ଏରୂପେ ଚିତ୍ରକେତୁଙ୍କର

ଶୁଣିଣ ଉପହାସ ଗିର

ଈଶ୍ୱର ତୃଷ୍ଣୀଭୂତ ହୋଇ

ରହିଲେ କିଛି ହିଁ ନ କହି

ସେଠାରେ ଯେତେଦେବେ ଥିଲେ

ସେ ମଧ୍ୟ କିଛି ନ କହିଲେ

ଜାଣେ ସେ ଜିତେନ୍ଦ୍ରିୟ ମୁହିଁ

ସମୃଦ୍ଧ ଲାଭେ ଗର୍ବ ବହି

ବଡିମା ପଣେ ବାରମ୍ବାର

ନିନ୍ଦିଲା ଶିବଙ୍କୁ ଅପାର

ଚିତ୍ରକେତୁର ଏହି ରୀତି

ସହି ନ ପାରି ଭଗବତୀ

ପାଞ୍ଚିଲେ ଦୁଷ୍ଟ ପାମରର

ଗର୍ବ ହୋଇଛି ଗୁରୁତର

ବ୍ରହ୍ମା ନାରଦ ଭୃଗୁ ଋଷି

ସେବନ୍ତି ଯାର ପାଦେ ଆସି

ତାହାଙ୍କୁ କରେ ଅପମାନ

ଏଣୁ ଏ ଦଣ୍ଡକୁ ଭାଜନ

ପାର୍ବତ୍ୟୁବାଚ

ମନରେ ଦଣ୍ଡ ଅବଧାରୀ

ବୋଇଲେ ସମ୍ବୋଧନ କରି

ରେ ପୁତ୍ର ତୋହର ଦୁର୍ମତି

ଘଟିଛି କହୁଛିୁ ଅନୀତି

ଏ ହେତୁ ଅସୁର ଯୋନିରେ

ଜନମ ଲଭ ତୁ ବେଗରେ

ଶ୍ରୀ ଶୁକ ଉବାଚ

ଶାପ ପାଇଣ ସେ ରାଜନ

ବିମାନୁ ଖସିଣ ତକ୍ଷଣ

ନତ ମସ୍ତକେ ଶୀଘ୍ର ଗତି

ପ୍ରସନ୍ନ କରିବାରେ ସତୀ

ଚିତ୍ରକେତୁରୁବାଚ

ଭୋ ଦୁର୍ଗେ ଶୁଣ ମୋ ବଚନ

ଶାପ ମୁଁ ଘେନିଲି ଶିରେଣ

ଭୋ ଦେବୀ ଅସୁର ଯୋନିରେ

ଜନ୍ମ ଯେ କହିଲେ ମୋହରେ

ସେ ମୋର ପୂର୍ବର ଅର୍ଜନ

କହିବି ହୁଅ ସାବଧାନ

ସଂସାରେ ଯେତେ ଜନ୍ତୁ ଛନ୍ତି

ଅଜ୍ଞାନେ ମୋହରେ ବଞ୍ଚନ୍ତି

ଭ୍ରମଣ କରି ଅନୁକ୍ଷଣ

ଭୁଞ୍ଜନ୍ତି ଦୁଃଖ ସୁଖମାନ

ଈଶ୍ୱର ମହିମା ନ ଜାଣି

ଯେତେବୋଇଲି ପରିମାଣି

ସଭାର ମଧ୍ୟେ ଦୁଷ୍ଟମତି

ହେବାରୁ ପାଇଲି ଦୁର୍ଗତି

ଗୁଣର ପ୍ରବାହଟି ଏହି

ଶାପ ଅନୁଗ୍ରହ ବା କାହିଁ

କେ ଅବା ସୁଖ କେବା ଦୁଃଖ

କେ ଅବା ସ୍ୱର୍ଗ କେ ନରକ

ଏକଇ ପ୍ରଭୁ ଆଦିମୂଳ

ମାୟାରେ ସୃଜଇ ସକଳ

ଏ ମାୟାବଦ୍ଧ ମୋକ୍ଷ ହୋଇ

ସୁଖ ଦୁଃଖକୁ ସେ ଲଭଇ

ଏକଇ ପୁରୁଷ ମୁରାରି

ତାହାରେ ମିତ୍ର ଅବା ଅରି

ଜ୍ଞାତି ବାନ୍ଧବ ଅବା ପର

ଆପଣା ନାହିଁଟି ଯାହାର

ସର୍ବ ଭୂତରେ ସମ ସେହି

ମିତ୍ର ବଇରି ନାହିଁ କେହି

ତାହାର କ୍ରୀଡାରେ ଜଗତ

ହେଉ ଅଛନ୍ତି ଆତଯାତ

ଏହାର ବଦ୍ଧ ମୋକ୍ଷ ସୁଖ

ହିତ ଅହିତ ଅବା ଦୁଃଖ

ଏହାଙ୍କ ଜନ୍ମବଦ୍ଧ ମୃତ୍ୟୁ

ହୁଅଇ ତାର ଶକ୍ତି ହେତୁ

ଏ ଅନ୍ତେ ଶୁଣ ମୋ ବଚନ

ଭୋ ଦୁର୍ଗେ ହୋଇ ସାବଧାନ

ଶାପରୁ ମୋକ୍ଷ ହେବା ପାଇଁ

ନମସ୍କାର କରି ବୋଲଇ

ସଭାରେ ମୁଁ ମନ୍ଦ ବଚନେ

ତୁମ୍ଭଙ୍କୁ ବୋଇଲି ଅଜ୍ଞାନେ

ଦୋଷ କ୍ଷମାକର ମୋହରି

ତୁମ୍ଭେ ଯେ ଅଖିଳ ଈଶ୍ୱରୀ

ଶ୍ରୀ ଶୁକ ଉବାଚ

ଏମନ୍ତେ ପ୍ରସନ୍ନ କରାଇ

ଈଶ୍ୱର ପାର୍ବତୀଙ୍କୁ ସେହି

ଆପଣା ବିମାନେ ବସିଲା

ନିଜ ମନ୍ଦିରେ ବିଜେ କଲା

ଏ ଅନନ୍ତରେ ଯେ ଈଶ୍ୱର

ଦୁର୍ଗାଙ୍କ କହନ୍ତି ଏ ଗିର

ଋଷି ଦଇତ୍ୟ ସିଦ୍ଧଗଣ

ଶୁଣୁ ଅଛନ୍ତି ମୋ ବଚନ

ଦେବଦେବ ଉବାଚ

ଅଦ୍ଭୁତ କର୍ମା ହେ ଈଶ୍ୱର

ପ୍ରାଭବ ଭୂତମାନଙ୍କର

ନିସ୍ପୃହ ମହାତ୍ମା ସେମାନେ

ସୁଶ୍ରୋଣୀ ଦେଖ ବିଦ୍ୟମାନେ

ବିଷ୍ଣୁ ଭକତ ଯେତେ ଜନେ

ଭୟ ତାହାଙ୍କ ନାହିଁ ମନେ

ସ୍ୱର୍ଗ ବା ମୋକ୍ଷ ବା ନରକ

ଏମାନେ ଦେଖନ୍ତି ସେ ଏକ

ଦେହର ଦେହୀ ସଂଯୋଗରୁ

ପରମ ଈଶ୍ୱର ଲୀଳାରୁ

ଜନ୍ମ ବା ମୃତ୍ୟୁ ଅବା ସୁଖ

ଶାପ ଅନୁଗ୍ରହ ବାଦୁଃଖ

ପୁରୁଷ ଅବିବେକ ସେହି

ଏଭିନ୍ନ ଭିନ୍ନ ଯେ ଦେଖଇ

ଯାହାର ଗୋବିନ୍ଦ ଭକତି

ଶୁଦ୍ଧ ଯାହାର ଦୃଢ଼ମତି

ଜ୍ଞାନ ବୈରାଗ୍ୟ ଅଛି ଯାର

ପୃଥକ ଭାବ ନାହିଁ ତାର

ମୁହିଁ ବିରଞ୍ଚି ଯେ କୁମର

ନାରଦ ଆଦି ମୁନିବର

ବ୍ରହ୍ମାଦି ଯେତେ ସୁରେଶ୍ୱର

ନ ଜାଣୁ ମହିମା ତାହାର

ଏହାର ପ୍ରିୟ ନାହିଁ କେହି

ଅପ୍ରିୟ ଏହାରଟି ନାହିଁ

ମିତ୍ର ବଇରୀ ନାହିଁ ଯାର

ସମାନ ଦେଖେ ନୃପବର

ସକଳ ପ୍ରାଣୀଙ୍କର ପ୍ରିୟ

ଏହିଟି ସର୍ବ ଭୂତମୟ

ଏ ଚିତ୍ରକେତୁ ମହାଭାଗ

ତାଙ୍କର ପ୍ରିୟ ଅନୁରାଗ

ସର୍ବତ୍ର ସମଦୃଷ୍ଟି ଏହି

ଅଚ୍ୟୁତ ପ୍ରିୟ ଯେହ୍ନେ ମୁହିଁ

ମହାତ୍ମା ପୁରୁଷ ଯେ ଏହି

ଏଣୁ ବିସ୍ମୟ ତାର ନାହିଁ

ନ ଡ଼ରି ସ୍ଥିର କରେ ମନ

ବିଷ୍ଣୁ ଭକତ ଯେଉଁ ଜନ

ସମଦରଶୀ ଶାନ୍ତି ଯେହି

ବିସ୍ମୟ ଅବା ତାର କାହିଁ

ଶ୍ରୀ ଶୁକ ଉବାଚ

ଶିବଙ୍କ ଭାଗବତ ବାଣୀ

ହରଷ ଶୁଣିଣ ଭବାନୀ

ସେ ରାଜା ସ୍ଥିର କଲେ ମନ

ବିସ୍ମୟ ଛାଡିଲେ ତକ୍ଷଣ

ସେ ଚିତ୍ରକେତୁ ଏ ସଂସାରେ

ଦେବୀର ଶାପ ଘେନି ଶିରେ

ତାହାର ଏ ସାଧୁ ଲକ୍ଷଣ

ଯେଣୁ ଶାପ କଲା ଗ୍ରହଣ

ତ୍ୱଷ୍ଟୁ ଯଜ୍ଞ ଦକ୍ଷିଣାଗ୍ନିରେ

କମ୍ପିଲା ଦାନବ ଯୋନିରେ

ବୃତ୍ତ୍ର ହୋଇଲା ସେ ରାଜନ

ଜ୍ଞାନ ବିଜ୍ଞାନରେ ସମ୍ପନ୍ନ

ଯେ ପ୍ରଶ୍ନ କଲୁ ନୃପବର

କହିଲୁ ତୋହର ଆଗର

ଗୋବିନ୍ଦ ମତି ବୃତ୍ତ୍ରାସୁର

ଜନ୍ମର କାରଣ ତାହାର

ଇତିହାସ ଏ ପୁଣ୍ୟସାର

ମହାତ୍ମା ଏ ଚିତ୍ରକେତୁର

ବିଷ୍ଣୁ ଭକତ ପ୍ରାଣୀ ଯେହି

ତାହାଙ୍କ ଗୁଣ ଯେ ଗୁଣଇ

ସକଳ ବନ୍ଧୁ ମୋକ୍ଷ ହୋଇ

ବୈକୁଣ୍ଠ ପଦକୁ ଲଭଇ

ଏ ଇତିହାସ ଯେ ପ୍ରଭାତେ

ଶୁଣାଇ ଶୁଣେ ସ୍ଥିର ଚିତ୍ତେ

ନିରତେ ଭଜେ କୃଷ୍ଣ ପାଦ

ହରଇ ବିଷୟା ବିଷାଦ

ବୋଲଇ ଦାସ ଜଗନ୍ନାଥ

ଚିତ୍ରକେତୁ ବିଷ୍ଣୁ ଭକତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ଚିତ୍ରକେତୁ ଆଖ୍ୟାନେ

ନାମ ସପ୍ତଦଶୋଽଧ୍ୟାୟଃ ।

•••

 

ଅଷ୍ଟାଦଶ ଅଧ୍ୟାୟ

 

ରାଜୋବାଚ

ଶୁକ କହନ୍ତି ହରଷିତେ

ସାନନ୍ଦେ ଶୁଣ ପରୀକ୍ଷିତେ

ସବିତା ପତ୍ନୀ ପୃଶ୍ନୀ ହୋଇ

ସାବିତ୍ରୀ ବ୍ୟାହୁତି ଯେ ତ୍ରୟୀ

ଏ ତିନି କନ୍ୟା ଯେ ଏହାର

ପୁତ୍ରର ନାମ ଶୁଣ ତାର

ଅଗ୍ନି ହୋତ୍ର ଯେ ପଶୁ ସୋମ

ଚାତୁର୍ମାସ୍ୟ ଏ ଚାରି ନାମ

ଭଗର ପତ୍ନୀ ସିଦ୍ଧି ନାମ

ତାହାର ପୁତ୍ର ମହୀ ମାନ

ଆଶିଷ ବରାରୋହା ତାର

କନ୍ୟା ହୋଇଲା ସେ ସିଦ୍ଧିର

ଧାତାର ତହୁଁ ଯେତେ ସୁତ

କୁହୁ ସାୟଂ ଯେ ଦର୍ଶ ପ୍ରାତ

ସନିବାଲୀ ରାଜା ପୂର୍ଣ୍ଣିମା

ଅନୁମତି କ୍ରମରେ ନାମା

ବରୁଣଙ୍କ ପତ୍ନୀ ଚର୍ଷଣୀ

ତାହାର ତହୁଁ ଭୃଗୁ ଜନ୍ମି

ବାଲ୍ମୀକି ମହା ଯୋଗେଶ୍ୱର

ବଲ୍ମୀକୁ ଜାତ ତାହାଙ୍କର

ଅଗସ୍ତି ବଶିଷ୍ଠ ବରୁଣ

ରେତସେକେ କୁମ୍ଭରୁ ଜନ୍ମ

ରେବତୀ ଠାରେ ମିତ୍ରମୁନି

ପିପ୍‌ପଳ ଅରିଷ୍ଟ ଏ ତିନି

ପୌଲୋମୀ ଇନ୍ଦ୍ର ନିଜ ନାରୀ

ତିନି ତନୟ ତାହାଙ୍କରି

ଜୟନ୍ତ ଋଷଭ କୁମର

ତୃତୀୟ ମୀଢୂଷ ଆବର

ଉରୁକ୍ରମ ମାୟା ବାମନ

ତାହାଙ୍କ ପତ୍ନୀ କୀର୍ତ୍ତିନାମ

ସୌଭଗ ଆଦି ତାହାଙ୍କର

ଯେମନ୍ତ ହେଲା ଅବତାର

କଶ୍ୟପ ବଂଶେ ଯେ ବାମନ

ତାହାଙ୍କ ବୀର୍ଯ୍ୟେ କର୍ମ ଗୁଣ

ଅଦିତି ଗର୍ଭେ ତାହାଙ୍କର

ଯେମନ୍ତେ ହେଲା ଅବତାର

ଏ ଯେ ସକଳ ନୃପମଣି

ପଛେ କହିବା ପରିମାଣି

କଶ୍ୟପ ବଂଶେ ଯେ ଦଇତ୍ୟ

ପ୍ରହ୍ଲାଦ ଭାଗବତ ଭକ୍ତ

ଆଗେ ତାହାଙ୍କର ଚରିତ

କହିବା ଶୁଣ ଏକଚିତ୍ତ

ଦିତିର ବେନି ଏ ନନ୍ଦନ

ଦୈତ୍ୟ ଦାନବଙ୍କ ବନ୍ଦନ

ହିରଣ୍ୟାକ୍ଷ ନାମ ତାହାର

ହିରଣ୍ୟକଶିପୁ ଅମର

ହିରଣ୍ୟକଶିପୁ ଯେ ବୀର

କୟାଧୁ ନାମେ ପତ୍ନୀ ତାର

ଜମ୍ଭାର କନ୍ୟା ଯେ ଯୁକତେ

ପ୍ରସବ କଲା ଚାରିସୁତେ

ଏକ ବହିଣୀ ତାହାଙ୍କର

ସିଂହିକା ନାମଟି ତାହାର

ରାହୁ ଯେ ତାହାର କୁମର

ଲୋକରେ ଖ୍ୟାତ ସେ ଅସୁର

ଅମୃତ ପାନରେ ଗୋବିନ୍ଦ

ଚକ୍ରେ ଛେଦିଲେ ତାର କନ୍ଧ

ସଂହ୍ରାଦ ପତ୍ନୀ ମତି ନାମ

ସୁତ ତାହାର ପଞ୍ଚଜନ

ଧନ୍ୱନୀ ପତ୍ନୀ ସେ ହ୍ରାଦର

ବାତାପି ଯାହାର କୁମର

ଅନୁହ୍ରାଦର ସୂର୍ଯ୍ୟା ପତ୍ନୀ

ବାସ୍ୱଳ ମହିଷ ଏ ବେନି

ପ୍ରହ୍ଲାଦ ପୁତ୍ର ବିରୋଚନ

ଦ୍ରବୀ ତାହାର ପତ୍ନୀ ନାମ

ତାହାର ବଳୀ ଯେ କୁମର

ଲୋକରେ ବିଖ୍ୟାତ ସେ ବୀର

ଅନାସଠାରେ ହେଲା ତାର

ବାଣାଦି ଶତେକ କୁମର

ବାଣାର ଯେ ପ୍ରତାପ ତେଜ

ପଛେ କହିବା ମହାରାଜ

ବାଣା ଆରାଧି ଈଶ୍ୱରଙ୍କୁ

ଲଭିଲା ରଣ ପ୍ରଭୃତ୍ୱକୁ

ପୁରପାଳକ ରୂପେ ହରି

ଅଦ୍ୟାପି ଅଛନ୍ତି ଆବୋରି

ଦିତିର ତନୟ ମରୁତ

ଚତ୍ୱାରିଂଶ ନବ ଅଧିକ

ଜନ୍ମ ନିକଟେ ତାହାଙ୍କର

ଆତ୍ମାକୁ ନେଲେ ବଜ୍ରଧର

ରାଜୋବାଚ

ସ୍ୱଭାବେ ଅସୁରଙ୍କ ଭାବ

କେମନ୍ତେ ଛାଡ଼ିଲେ ସ୍ୱଭାବ

ଇନ୍ଦ୍ରର ସପକ୍ଷ ହୋଇଲେ

କି ସାଧୁ କର୍ମ ଇନ୍ଦ୍ର କଲେ

ଶ୍ରଦ୍ଧା ଅଧିକେ ଏଣେ ମୋର

ଶୁଣିବି ବୋଲି ମୁନିବର

ମୋହର ଜ୍ଞାନେ ଉଦେ ଯହିଁ

ବିସ୍ତାରି କହିବା ଗୋସାଇଁ

ଶ୍ରୀ ଶୁକ ଉବାଚ

ବିଷ୍ଣୁ ଭକ୍ତର ଶ୍ରଦ୍ଧା ବାଣୀ

ଶୁଣିଣ ସେ ବାଦରାୟଣି

ରାଜାକୁ ଧନ୍ୟ ଧନ୍ୟ କରି

ଚଞ୍ଚଳ ମନ ସ୍ଥିର କରି

କହନ୍ତି ରାଜା ମୁଖ ଚାହିଁ

ଶୁଣ ରାଜନ ମନ ଦେଇ

ଇନ୍ଦ୍ରରେ କରି ହତ ସୁତ

ଦିତି ହୋଇଲା ମୋହଗତ

କ୍ରୋଧ ଅଗ୍ନିରେ କରି ଜଳି

ଚିନ୍ତା କରନ୍ତି ମନେ ଭାଳି

କନିଷ୍ଠ ଭ୍ରାତୃ ହନ୍ତା ଏହି

କେବେ ମରିବ ପାପ ଦେହୀ

କୁଟିଳ ହୃଦୟ ଏ ଜନ

ଏ ମଲେ ସୁଖ ମୋ ଶୟନ

ବିଷ୍ଠା କୃମି ଭସ୍ମ ସମାନେ

ସେ ଲଭେ ଦେହ ଅବସାନେ

ତା ଦେହ ଶ୍ୱାନାଦିରେ ଗ୍ରାସ

କରି ନରକେ ସେ ପ୍ରବେଶ

ଯେ ପ୍ରାଣୀ ଆତ୍ମାକୁ ଜାଣଇଁ

ଏ ପାପେ ପ୍ରବେଶ ନୁହଇ

ଏ ଯେ ପାପିଷ୍ଠ ଦୃଷ୍ଟମତି

ଏହାର ନାହିଁ ଧର୍ମ ଗତି

ଏ ଭାବେ ପୁତ୍ର ମୋର ଜାତ

ଇନ୍ଦ୍ରକୁ କରିବ ନିପାତ

ଏହା ମୁଁ କରିବି ବିଧାନେ

ଏମନ୍ତ ବିଚାରିଣ ମନେ

ଭର୍ତ୍ତାର ନିକଟେ ମିଳିଲା

ପ୍ରୀତି ଭାବକୁ ଆଚରିଲା

ନାନା ପ୍ରକାରେ ସେବା କରି

ବିନୟ ଭାବକୁ ଆଚରି

ପରମ ପ୍ରୀତିଯୁକ୍ତ ହୋଇ

ମନୋଜ୍ଞ ବଚନ ବୋଲଇ

ସସ୍ମିତ ଅପାଙ୍ଗ ବୀକ୍ଷଣେ

ସ୍ୱାମୀର ମନ ଆକର୍ଷଣେ

ଏମନ୍ତେ ତାର ଭାବ ଘେନି

ପତ୍ନୀ ବିନୟ ଭାବେ ମାନି

ତାହାର ବଶ ସେ ହୋଇଲେ

ବାଞ୍ଛିତ ଦବୁ ସେ ବୋଇଲେ

ଆଦ୍ୟ ସୃଷ୍ଟିରେ ପ୍ରଜାପତି

ପ୍ରାଣୀମାନଙ୍କୁ ସୃଜିଛନ୍ତି

ପୁରୁଷ ଅର୍ଦ୍ଧଅଙ୍ଗ ନାରୀ

ନର ସ୍ୱଭାବେ ବଶ ସ୍ତିରୀ

ଦିତି ଯେ ହୋଇ ସୁବେଶିତ

ପ୍ରଭୁ ସେବାରେ ଉପଗତ

ଈଷିତ ହର୍ଷ ପ୍ରୀତି ମନେ

ଭାଷନ୍ତି ବିତର୍କ ବଚନେ

କଶ୍ୟପ ଉବାଚ

ବର ତୁ ମାଗ ଯେ ମନରେ

ପ୍ରସନ୍ନ ହୋଇଲୁ ତୋହରେ

କାନ୍ତ ପ୍ରସନ୍ନେ ସ୍ତିରୀଙ୍କର

ଦୁର୍ଲ୍ଲଭ ଅଛି କି ସଂସାର

ସ୍ୱାମୀ ଦେବତା ନାରୀଙ୍କର

ଦେବେ କହନ୍ତି ଧର୍ମ ସାର

ସର୍ବଭୂତରେ ଆତ୍ମା ହୋଇ

ଅଛନ୍ତି ପ୍ରଭୁ ଭାବଗ୍ରାହୀ

ସେ ହରି ନାନା ବେଦମତେ

ରୂପକୁ ଧରନ୍ତି ଯୁକତେ

ଗୋବିନ୍ଦ ପୂଜନ୍ତି ଯେ ଜନେ

ନାନା ଯଜ୍ଞ ବେଦ ବିଧାନେ

ପତିବ୍ରତା ନାରୀ ଯେମାନେ

ଆତ୍ମା କାନ୍ତକୁ ଚିନ୍ତି ମନେ

ଅନ୍ୟାନ୍ୟ ଭାବେ ଏ ଜଗତେ

ସ୍ୱାମୀ ଚିନ୍ତନ୍ତି ବେଦମତେ

ସେ ଭାବେ ମୁହିଁ ଗୋ ସୁନ୍ଦରୀ

ପ୍ରସନ୍ନ ହୋଇଲି ତୋହରି

ଯେ ଅଭିବାଞ୍ଚିତ ତୋହରି

ପୂର୍ଣ୍ଣ କରିବି କୃଶୋଦରୀ

ମୁଁ ଯେଉଁ ବର ଦେବି ତୋରେ

ଦୁର୍ଲ୍ଲଭ ଅନ୍ୟ ସ୍ତିରୀଙ୍କରେ

ଦିତିରୁବାଚ

ଭୋ ସ୍ୱାମୀ ବର ଯେବେ ଦେବ

ଏକ କୁମର ମୋର ହେବ

ଅମର ହୋଇବ ମୋ ସୁତ

ଇନ୍ଦ୍ରକୁ ମାରିବ ଯୁକତ

ଯେଣୁ ମୋ ପୁତ୍ରକୁ ମାଇଲା

ପୁତ୍ର ଶୋକକୁ ମୋତେ ଦେଲା

ଶୁଣିଣ ତାହାର ବଚନ

କଶ୍ୟପ ହୋଇଲେ ମଉନ

ମନରେ ଗରୁ ତାପଭର

କୋପେ ବୋଲନ୍ତି ମୁନିବର

ଆଜ କି ଅଧର୍ମ ମହତ

ହୋଇଲା ମୋର ଉପଗତ

ସ୍ତିରୀରେ କରି ମୋର ମନ

ହୋଇଲା ମହା ହତଜ୍ଞାନ

କଠିନ ଘୋର ନରକରେ

ନିଶ୍ଚୟ ପଡ଼ିବି ନିର୍ଭରେ

ସ୍ତିରୀର କି ଅବା ଏ ଦୋଷ

ସ୍ତିରୀ ସ୍ୱଭାବେ ଅବିଶ୍ୱାସ

ଦୁର୍ବୁଦ୍ଧି ମୁହିଁ ଯେ ପାମର

ଧିକ ହେଉ ଜନ୍ମ ମୋହର

ଶରଦ ପଙ୍କଜ ଯେସନ

ସ୍ତିରୀମାନଙ୍କର ବଦନ

ବଚନ ସୁଧା ଶ୍ରବଣରେ

ହୃଦରେ ଯେହ୍ନେ କ୍ଷୁରଧାରେ

ଏମନ୍ତ ସ୍ତିରୀଙ୍କ ସ୍ୱଭାବ

ଏହାଙ୍କ ଚେଷ୍ଟା ଯେ ଜାଣିବ

ପ୍ରିୟ ନାହିଁ କେ ସ୍ତିରୀଙ୍କର

କ୍ଷଣିକ ବୁଦ୍ଧିଟି ଯାହାର

ସ୍ୱକୀୟ ଅର୍ଥେ ସେ ମାରନ୍ତି

ପୁତ୍ର ଭ୍ରାତାର ନିଜ ପତି

କରି ଯେ ଅଛି ଅଙ୍ଗୀକାର

ଏହାରେ ଦେବି ବୋଲି ବର

ମୋହର ବାକ୍ୟ ମିଥ୍ୟା ନୋହି

ଇନ୍ଦ୍ର ତ ବଧଯୋଗ୍ୟ ନୋହି

ଏମନ୍ତ ଚିନ୍ତା କରି ମୁନି

ଶୁଣ କହିବା ନୃପମଣି

ଆତ୍ମାର ନିନ୍ଦା ଭାବ ବହି

ମୁନି ବୋଲନ୍ତି କୋପ ହୋଇ

କଶ୍ୟପ ଉବାଚ

ଗୋ ସଖି ପୁତ୍ର ତୋ ହୋଇବ

ନିଶ୍ଚୟ ଇନ୍ଦ୍ରକୁ ମାରିବ

ଏକ ବରଷ ଶୁଚି ହୋଇ

ଏ ବ୍ରତ ଧରୁ ଯେବେ ତୁହି

ତୋହର ପୁତ୍ର ଯେ ହୋଇବ

ଇନ୍ଦ୍ର ହନ୍ତା ସେ ବୋଲାଇବ

କିନ୍ତୁ ବ୍ରତର ବିଘ୍ନ ହେଲେ

ଦେବଙ୍କ ମିତ୍ର ହେବ ଭଲେ

ଦିତି ଉବାଚ

ଭୋ ସ୍ୱାମୀ ବ୍ରତ ଧରିବଇଁ

ବିଧାନ କହିବା ଗୋସାଇଁ

ବ୍ରତ ଯେ ଖଣ୍ତନ କରଇ

କି ଅବା ନିଷେଧ ଅଛଇ

କଶ୍ୟପ ଉବାଚ

ପ୍ରାଣୀଙ୍କୁ ହିଂସା ନ କରିବ

କ୍ରୋଧରେ ଶାପକୁ ନ ଦେବ

ମିଥ୍ୟା ନ କହିବ ବଚନ

ଛେଦିବ ନାହିଁ ନଖ ଲୋମ

ଅମଙ୍ଗଳ ଯେ ଦ୍ରବ୍ୟ ଥାଇ

କେବେହେଁ ପରଶିବ ନାହିଁ

ଜଳରେ ପଶିଣ ଯେ ସ୍ନାନ

କୋପରେ ନ କହି ବଚନ

କୁଜନ ସଂଗତେ ଆଳାପ

କେବେହେଁ ନ କରିବ ପାପ

ଅଧୌଚ ବସ୍ତ୍ର ପରିଧାନ

ମାଳା ନ କରିବ ଗ୍ରହଣ

ଆମିଷ ନ କରି ଭୋଜନ

ହସ୍ତେ ନ କରି ଜଳପାନ

ଉଚ୍ଚିଷ୍ଟ ହୋଇ ଜଳ ବିନେ

କେବେହେଁ ନ ରହିବ କ୍ଷଣେ

ବହୁ ବଚନ ନ କହିବ

ସନ୍ଧ୍ୟାରେ କେଶ ନ ମେଲିବ

ସତ୍ୱରେ ଅସମ୍ଭାଳ ହୋଇ

କେବେ ବାହାର ହେବ ନାହିଁ

ଅଧୌତ ପାଦ ଥିବ ଯେବେ

ଶୟନ ନ କରିବ କେବେ

ଉତ୍ତର ପଶ୍ଚିମକୁ ଶିର

ଶୟନ ନ କରି ସନ୍ଧ୍ୟାର

ଉଲଗ୍ନ ଭାବରେ ଶୟନ

ଏତେ ନ କରି ଆଚରଣ

ଧଉତ ବସ୍ତ୍ର ପରିଧାନ

ଶୁଚି ହୋଇବ ଅନୁକ୍ଷଣ

ପ୍ରାତଃ କାଳରେ ଉଠି କରି

ସର୍ବ ମଙ୍ଗଳକୁ ଆଚରି

ଲକ୍ଷ୍ମୀ ସହିତେ ନାରାୟଣ

ପୂଜିବ ଗୋରୁ ଯେ ବ୍ରାହ୍ମଣ

ସାଧ୍ୱୀ ସ୍ତିରୀଙ୍କୁ ଯେ ଆଣିବ

ମାଳା ଚନ୍ଦନ ତାଙ୍କୁ ଦେବ

ଯଥା ବିଧିରେ ଆତ୍ମ ପତି

ପୂଜିବ ସ୍ଥିର କରି ମତି

ଏକ ଧିଆନେ ଦୃଢ଼ ଚିତ୍ତ

ଧରିବ ପୁଂସବନ ବ୍ରତ

ତେବେ ଇନ୍ଦ୍ର ହନ୍ତା କୁମର

ନିଶ୍ଚୟ ହୋଇବ ତୁମ୍ଭର

ବ୍ରତକୁ ଧରିବି ବୋଇଲା

ଚଞ୍ଚଳ ଚିତ୍ତ ସ୍ଥିର କଲା

କଶ୍ୟପ ବୀର୍ଯ୍ୟ ଗର୍ଭେ ଧରି

ବିଧିରେ ବ୍ରତକୁ ଆଚରି

ଦିତିର ଏମନ୍ତ ବିଧାନ

ଇନ୍ଦ୍ର ଜାଣିଣ ହେ ରାଜନ

ଦିତିକି ବ୍ରତୀ ଦେଖିକରି

ଇନ୍ଦ୍ର ତା ସେବାକୁ ଆଚରି

ପବିତ୍ର ଶୁଚିମନ୍ତ ହୋଇ

ତାହାଙ୍କ ସଙ୍ଗତେ ବୁଲଇ

ନିତ୍ୟ ବନରୁ ପୁଷ୍ପ ଫଳ

ସମୀଧ କୁଶ କନ୍ଦମୂଳ

ପତ୍ର ଅଙ୍କୁର ଜଳ ଆଣି

ସମୀପେ ଦ୍ୟନ୍ତି ବଜ୍ରପାଣି

ଏମନ୍ତ ବ୍ରତ ଛିଦ୍ର ତାର

ଇନ୍ଦ୍ର ଇଚ୍ଛଇ ନୃପବର

ଯେମନ୍ତେ ବ୍ୟାଧ ଯେ ମୃଗର

ଛିଦ୍ରଟି ଖୋଳି ନିରନ୍ତର

କେବେହେଁ ବ୍ରତ ଛିଦ୍ର ସେହି

ଅନେକ ଯତ୍ନେ ନ ଦେଖଇ

ତୀବ୍ର ଚିନ୍ତାରେ ଇନ୍ଦ୍ର ମନ

ଛନ୍ନ ହୋଇଲା ହେ ରାଜନ

ଶକ୍ର ବିଚାରୁଛନ୍ତି ମନେ

ଛିଦ୍ର ମୁଁ ପାଇବି କେସନେ

ବ୍ରତରେ ବଶ ହୋଇଛନ୍ତି

ସନ୍ଧ୍ୟାରେ ଏକ ଦିନେ ଦିତି

ବିଧାତା ବଶେ ମୋହ ହୋଇ

ଉଚ୍ଚିଷ୍ଟେ ଜଳ ସ୍ପର୍ଶ ନାହିଁ

ପାଦ ଧଉତ ନ କରିଣ

କଲେ ସେ ଭୂମିରେ ଶୟନ

ନିଦ୍ରାରେ ଭ୍ରଷ୍ଟ ତାଙ୍କ ଜ୍ଞାନ

ଶକ୍ର ଦେଖିଲେ ବ୍ରତହୀନ

ଯୋଗମାୟାର ଯେ ଯୋଗେଣ

ଇନ୍ଦ୍ର ତା ଗର୍ଭରେ ପଶିଣ

ସେ ବଜ୍ରଧର ବଜ୍ର ଧରି

ସପତ ଖଣ୍ଡ ଗର୍ଭ କରି

ଶୁଦ୍ଧ କନକ ପ୍ରାୟେ ହୋଇ

ଗର୍ଭ ତାହାର ବିରାଜଇ

ବଜ୍ରରେ ସାତଖଣ୍ଡ ହୋଇ

ରୋଦନ କରୁଛନ୍ତି ସେହି

ଏକକୁ ସାତଖଣ୍ଡ କରି

ନ କାନ୍ଦ ବୋଲେ ବଜ୍ରଧାରୀ

ସେ ସପ୍ତଖଣ୍ଡ ହୋଇଛନ୍ତି

ଇନ୍ଦ୍ରଙ୍କୁ ବଚନ ବୋଲନ୍ତି

ଭୋ ଇନ୍ଦ୍ର ତୁ ଆମ୍ଭମାନଙ୍କୁ

କିମ୍ପାଇ ଭଜିଲୁ ହିଂସାକୁ

ତୁମ୍ଭର ଆମ୍ଭେମାନେ ଭାଇ

ମରୁତ ଆମ୍ଭ ନାମ ହୋଇ

ଇନ୍ଦ୍ର ଉବାଚ

ଇନ୍ଦ୍ର ବୋଲଇ ହେ ରାଜନ

ଭୟ ନକର ଭ୍ରାତୃଗଣ

ଅନ୍ୟାନ ଭାବକୁ ଆଚର

ପାରିଷଦ ହେବ ମୋହର

ଶ୍ରୀ ଶୁକ ଉବାଚ

ମରୁତ ହେଲେ ଅଣଚାଶ

ରହିଲେ ଦେବରାଜ ପାଶ

ଦିତିର ଗର୍ଭେ ସେ ନ ମଲା

ବିଷ୍ଣୁର ଅନୁକମ୍ପା ହେଲା

ଅନେକ ବାର ସେହିମାନ

କୁଳିଶେ ହୋଇଲେ ଛେଦନ

ଦ୍ରୋଣି ଶସ୍ତ୍ରରେ କରି ତୁହି

ଯେମନ୍ତ ହେଲୁ କୁରୁସାଇଁ

ବାରେକ ଗୋବିନ୍ଦ ଭଜନେ

ପାପ ନାଶନ୍ତି ପ୍ରାଣୀମାନେ

କିଛି ନିଉନ ସମ୍ବତ୍ସର

ଯେଣୁ ପୁଜିଲା ସେ ଈଶ୍ୱର

ଏହି କାରଣୁ ଇନ୍ଦ୍ରେ ବରି

ପବନ ଦେବ ଦେହ ଧରି

ଅସୁର ଭାବକୁ ଛାଡ଼ିଲେ

ଅମର ଭାବ ଆଚରିଲେ

ନିଦ୍ରା ଉପେକ୍ଷିଣ ବସିଲେ

ଦିତି ପୁତ୍ରଙ୍କୁ ଅନାଇଲେ

ଅନଳ ପ୍ରଭା ପ୍ରାୟ ହୋଇ

କୁମରମାନେ ଛନ୍ତି ରହି

ଇନ୍ଦ୍ର ସହିତେ ପୁତ୍ରମାନେ

ଦେଖି ଆନନ୍ଦ ଦେବୀମନେ

ଇନ୍ଦ୍ରର ଚାହିଁଣ ବଦନ

ଦିତି ଯେ ବୋଲଇ ବଚନ

ଅଦିତି ପୁତ୍ରକୁ ମୋହର

ଭୟକୁ ଦେବ ଏ କୁମର

ଏମନ୍ତ ଇଚ୍ଛା ମୁହିଁ କରି

ଦୁସ୍ତର ବ୍ରତକୁ ଆଚରି

ବ୍ରତରେ ଏକଇ କୁମର

ମୁହିଁ ଯେ ମାଗିଥିଲି ବର

ସପ୍ତ ସପ୍ତ ହୁଏ କେସନ

କହ ତୁ ଏହାର ବିଧାନ

ତୋହର ମୁଖୁଁ ଏ ବିଧାନ

ଶୁଣିବି ମୁହିଁ ଭୋ ନନ୍ଦନ

ସତ୍ୟ କହିବୁ ମୋର ଆଗେ

ମିଥ୍ୟା ନ କହି ଅନୁରାଗେ

ଇନ୍ଦ୍ର ଉବାଚ

ଭୋ ମାତ ଶୁଣ ସାବଧାନେ

ନିଦ୍ରା ମୋହିତ ତୁମ୍ଭ ମନେ

ତୁମ୍ଭର ବ୍ରତ ଛିଦ୍ର ନେଇ

ନିକଟେ ମିଳିଲି ମୁଁ ଯାଇ

ଗର୍ଭେ ଛେଦିଲି ଆତ୍ମ ଅର୍ଥେ

ବିଚାର ନାହିଁ ଧର୍ମ ପଥେ

ଗର୍ଭକୁ ସାତଖଣ୍ଡ କରି

ଛେଦିଲି ଧର୍ମ ନ ବିଚାରି

ସାତ କୁମରେ ହେଲେ ଜାତ

ଏକକୁ କଲି ସାତ ସାତ

ତେବେହେଁ ନ ମଲେ ଏ କେହି

ଏ ତ ସଂଶୟ ବଡ଼ ହୋଇ

ସେବାରୁ ମହାପୁରୁଷର

ସିଦ୍ଧି ଯେ ହୋଇଛି ତୁମ୍ଭର

ପରମେଶ୍ୱର ଆରାଧନ

ସକଳ ମଙ୍ଗଳ କାରଣ

ନିରତେ କରନ୍ତି ଯେ ନରେ

ଆତ୍ମଜ୍ଞାନୀ ବୋଲି ତାହାରେ

ସେ ଆତ୍ମାପଦ ଭଗବାନ

ତାହାଙ୍କୁ କରି ଆରାଧନ

କେବେହେଁ ନାହିଁ ଅକୁଶଳ

ସେ ସର୍ବ ପରମ ମଙ୍ଗଳ

ଦୁର୍ଜନ ଭାବ ଏ ମୋହର

ଭୋ ମାତ ଏବେ ରକ୍ଷାକର

ସ୍ୱଭାବେ ବାଳକ ମୁଁ ହୋଇ

ତୁମ୍ଭର ସହିବା ଯୋଗାଇ

ମୃତ୍ୟୁରୁ ଏ ଯେତେ କୁମରେ

ରହିଲେ ତୁମ୍ଭର ଭାଗ୍ୟରେ

ଆଜ୍ଞା ମାଗିଣ ସୁନାସୀର

ସୁସାଧୁ ଭାବରେ ମନର

ମରୁତ ଗଣଙ୍କୁ ଘେନିଲା

ଆନନ୍ଦେ ଦିତିଙ୍କୁ ନମିଲା

ଶୁଣ ରାଜନ ଶିରୋମଣି

ସ୍ୱର୍ଗକୁ ଗଲା ବଜ୍ରପାଣି

ଯେ ପ୍ରଶ୍ନ କଲୁ ତୁହି ମୋତେ

ସକଳ କହିଲି ଶାଶ୍ୱତେ

ମଙ୍ଗଳ ମରୁତଙ୍କ ଜନ୍ମ

ଈଶ୍ୱର ମହିମା ରାଜନ

ବୋଲଇ ଦାସ ଜଗନ୍ନାଥ

ଦେବ ଅସୁରଙ୍କ ଚରିତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ଦେବାସୁର ଜନ୍ମ ଲକ୍ଷଣେ ପବନ

ଜନ୍ମେ ନାମ ଅଷ୍ଟାଦଶୋଽଧ୍ୟାୟଃ ।

•••

 

ଊନବିଂଶ ଅଧ୍ୟାୟ

 

ରାଜୋବାଚ

ଭୋ ମୁନି ହୁଅ ସାବଧାନ

ଯେ ବ୍ରତ ନାମ ପୁଂସବନ

ତୁମ୍ଭେ ଯେ କହିଲ ବିଧାନ

ଏହା ଶୁଣିତ ମୋର ମନ

ଏ ବ୍ରତ ପ୍ରସାଦରୁ କରି

ପ୍ରସନ୍ନ ହୁଅନ୍ତି ମୁରାରୀ

ବାଦରାୟଣୀରୁବାଚ

ପ୍ରଥମେ ମାର୍ଗଶିରେ ଯହିଁ

ଶୁକ୍ଳ ପ୍ରତିପଦାର ଠାଇଁ

ଭର୍ତ୍ତାର ଆଜ୍ଞା ପରମାଣେ

ବ୍ରତ କରିବେ ସ୍ତିରୀଗଣେ

ଯେ ବ୍ରତ ହୋଇ ସର୍ବସିଦ୍ଧି

ଆଦ୍ୟରେ ଯେ କରଇ ବିଧି

ବ୍ରାହ୍ମଣେ କରିଣ ବରଣ

ଶୁଣିବ ମରୁତଙ୍କ ଜନ୍ମ

ଶୁଚି ହୋଇବ କରି ସ୍ନାନ

ଶୁକ୍ଳ ବସନ ପରିଧାନ

ପୂର୍ବ ଦିଗକୁ ମୁଖ କରି

ଚଞ୍ଚଳ ମନ ସ୍ଥିରେ ଧରି

ଲକ୍ଷ୍ମୀ ସହିତେ ଭଗବାନ

ପୂଜିବ ହୋଇ ତୋଷମନ

ଭୋ ନିରପେକ୍ଷ ପୂର୍ଣ୍ଣକାମ

ନମସ୍ତେ ପ୍ରଭୁ ଆତ୍ମାରାମ

ନମୋ ମହା ବିଭୁତେଶ୍ୱର

ସକଳ ସିଦ୍ଧଙ୍କ ଠାକୁର

ଅନନ୍ତ ଗୁଣେ ଯୁକ୍ତ ତୁହି

ନମସ୍ତେ ପ୍ରଭୁ ଭାବଗ୍ରାହୀ

ଭୋ ଦେବୀ ଗୋବିନ୍ଦ ଘରଣୀ

ଅଶେଷ ଗୁଣେ ସୁଲକ୍ଷଣୀ

ତୁ ଲୋକମାତ ଏ ସୃଷ୍ଟିରେ

ପ୍ରସନ୍ନ ହୁଅ ତୁ ମୋହରେ

ନମଇଁ ତୋହର ଚରଣ

ଜଗତ ଯାହାର ଭିଆଣ

ନମସ୍ତେ ପ୍ରଭୁ ଭଗବତ

ମହାପୁରୁଷ ଆଦି କୃତ

ମହା ବିଭୂତି ପତି ତୁହି

ମହା ବିଭୂତି ଯୁକ୍ତ ହୋଇ

ଅଖିଳ ବ୍ରହ୍ମାଣ୍ତ ଈଶ୍ୱର

ଗ୍ରହଣ କର ଉପହାର

ଏମନ୍ତ କରି ଆରାଧନ

ପୂଜିବ ଲକ୍ଷ୍ମୀ ଭଗବାନ

ପାଦାର୍ଘ୍ୟ ଅର୍ଘ୍ୟ ଆବାହନ

ବିଧିରେ କରାଇଣ ସ୍ନାନ

ଦିବ୍ୟ ବସନ ସମର୍ପିବ

ଶୁକ୍ଳ ଉତ୍ତରୀ ନିବେଦିବ

ନାନା ଭୂଷଣ ଗନ୍ଧ ଧୂପ

ସ୍ପର୍ଶନ ଉପଚାର ଦୀପ

ଅପର ଯେତେ ଉପହାର

ସ୍ଥାପିବ ବିଷ୍ଣୁର ଛାମୁର

ହବି ଆହୁତି ଯେ ଦ୍ୱାଦଶ

ଆନନ୍ଦେ କରିବ ପ୍ରବେଶ

ନମୋ ଭଗବାନ ଈଶ୍ୱର

ମହାପୁରୁଷ ବେଦବର

ମହା ବିଭୂତିପତି ତୁହି

ସ୍ୱାହା ବୋଲି ଅପୂର୍ବ ତହିଁ

ହେ ଶ୍ରୀୟା ବରଦା ଅଚ୍ୟୁତ

ବରଦ ସର୍ବଦା ଭକତ

ଭକ୍ତିରେ ନିତ୍ୟେ ଯେ ପୂଜିବ

ସର୍ବ ସଂପଦ ଯେ ଇଚ୍ଛିବ

ଭାବରେ ହୋଇ ଭକ୍ତି ଯୁକ୍ତ

ଭୂମିରେ କରି ଦଣ୍ଡବତ

ଏମନ୍ତ ଜପି ଦଶବାର

ଏ ସ୍ତୋତ୍ର କରିବ ଉଚ୍ଚାର

ତୁମ୍ଭେ ଯେ ତ୍ରଲୋକ୍ୟ ଠାକୁର

ବ୍ୟାପକ ଅଟ ହେ ଈଶ୍ୱର

ସଂସାରେ ପରମ କାରଣ

ତୁମ୍ଭେ ଯେ ପ୍ରଭୁ ନାରାୟଣ

ଏ ଯେ ସୁକ୍ଷ୍ମ ମାୟା ପ୍ରକୃତି

ଦୂର ତା ଅଟଇ ଶକତି

ଏହାର ତୁମ୍ଭେ ଅଧୀଶ୍ୱର

ସାକ୍ଷାତେ ତୁ ପୁରୁଷ ବର

ତୁମ୍ଭେ ସକଳ ଯଜ୍ଞମୟ

ପତ୍ନୀ ରୂପରେ ଲକ୍ଷ୍ମୀ ହୁଅ

ଅଶେଷ କ୍ରିଡ଼ାରେ ଈଶ୍ୱର

ଫଳ ବୁଝନ୍ତା ଯଜ୍ଞେଶ୍ୱର

ଗୁଣ ବ୍ୟକ୍ତିର ଏ କାରଣ

ଏହାର ଭୋକ୍ତା ଭଗବାନ

ସର୍ବ ଶରୀରେ ଆତ୍ମା ତୁହି

ଲକ୍ଷ୍ମୀ ଇନ୍ଦ୍ରିୟ ପ୍ରାଣ ହୋଇ

ନାନା ରୂପେଣ ଉତପତ୍ତି

ସର୍ବ ଶରୀରେ ତୁମ୍ଭ ସ୍ଥିତି

ଯେମନ୍ତେ ତୁମ୍ଭେ ବ୍ରହ୍ମାଣ୍ତର

ବର ଦିଅନ୍ତା ହେ ଈଶ୍ୱର

ତେମନ୍ତ ହୋଇ ଚକ୍ରଧର

ସର୍ବ ମଙ୍ଗଳ ହେଉ ମୋର

ଲକ୍ଷ୍ମୀ ନିବାସ ସେ ପୁରୁଷ

ଏହି ପ୍ରକାରେ କରି ତୋଷ

ପୂଜିବ ଲକ୍ଷ୍ମୀ ନାରାୟଣ

ହେ ପ୍ରଭୁ ବ୍ରହ୍ମାଣ୍ତ କାରଣ

ଯେତେ ଉପଚାର ଲେଖିବ

ପୁଣି ଆଚମନ କରିବ

ଏଥି ଉତ୍ତାରୁ ପୁନର୍ବାର

ଅର୍ଚ୍ଚନା କରିବ ଈଶ୍ୱର

ଯଜ୍ଞ ଉଚ୍ଛିଷ୍ଟ ଯେବା ଥିବ

ମନ ସନ୍ତୋଷେ ତା ଭକ୍ଷିବ

ପୁଣି କରିବ ସ୍ତୋତ୍ର ସ୍ତୁତି

ଚିତ୍ତରେ ହୋଇ ଭାବ ଭକ୍ତି

ସ୍ୱାମୀକୁ ଭକ୍ତିରେ ଭଜିବ

ଈଶ୍ୱର ଭାବିଣ ଚିନ୍ତିବ

ନାନା ପ୍ରୀତିରେ ବାକ୍ୟ କରି

ସ୍ୱାମୀ ତୋଷିବ ନିଜନାରୀ

ପତ୍ନୀ ସହିତେ ହୋଇକରି

ସର୍ବ କର୍ମ ସ୍ୱାମୀ ଆଚରି

ଏ ବିଷ୍ଣୁ ବ୍ରତକୁ ଧରିବ

କେବେହେଁ ଭଗ୍ନ ନ କରିବ

ଗନ୍ଧମାଲ୍ୟ ମଣି ଭୂଷଣେ

ବ୍ରତେ ତୋଷିବ ବିପ୍ରଗଣେ

ଭକ୍ତି ଭାବରେ କରି ମନ

ନିୟମେ ଥାଇ ବ୍ରତୀଜନ

ପରମ ଈଶ୍ୱରେ ନମିବ

ସ୍ୱସ୍ଥାନେ ନେଇ ନିବେଶିବ

ଭକ୍ତି ଭାବରେ ବେନିଜନ

ନିର୍ମାଲ୍ୟ କରିବ ସେବନ

ସର୍ବକାମନା ପୂର୍ଣ୍ଣ ପାଇଁ

କରିବ ଭକ୍ତିଯୁକ୍ତ ହୋଇ

ଦ୍ୱାଦଶ ମାସ ଏ ବିଧିରେ

ମଳମାସ ମଧ୍ୟବନ୍ତରେ

ତାହାର ଯେଉଁ ପରଦିନ

ବିଧିରେ କରି ଆଚମନ

ପୂର୍ବର ପ୍ରାୟ କରି ପୁଣି

ବିଷ୍ଣୁ ଅର୍ପିବ ତହୁଁ ଆଣି

ଚରୁ ଘୃତ ସହସ ଧୀରେ

ହୋମ କରିବ ଏ ବିଧିରେ

ଯଜ୍ଞ ବିଧାନେ ପାକ ଶେଷ

ଆହୁତି ଦେବେ ଯେ ଦ୍ୱାଦଶ

ଆଶିଷ ଘେନିବ ମସ୍ତକେ

ବ୍ରାହ୍ମଣ କଲ୍ୟାଣ ବିଧିକେ

ଭକ୍ତିରେ କରି ନମସ୍କାର

ଆଜ୍ଞାକୁ ଘେନି ବିପ୍ରଙ୍କର

ଆଚାର୍ଯ୍ୟ କରିଣ ଅଗ୍ରତେ

ଶୁଚି ହୋଇ ବନ୍ଧୁ ସହିତେ

ପତ୍ନୀକୁ ଚରୁ ଦେବ ନେଇ

ସୁପୁତ୍ର ସୌଭାଗ୍ୟରେ ପାଇ

ଏ ବିଷ୍ଣୁ ବ୍ରତ ଯେ କରଇ

ବାଞ୍ଛିତ ଫଳ ସେ ଲଭଇ

ଯେ ସ୍ତିରୀ ଏ ବ୍ରତ ଆଚରି

ସୌଭାଗ୍ୟେ ଭର୍ତ୍ତାକୁଳେଶ୍ୱରୀ

ଉତ୍ତମ ପୁତ୍ର ସ୍ୱାମୀ ଯଶ

ଏ ସର୍ବ ଲଭଇ ଅକ୍ଳେଶ

ସମସ୍ତ ଲକ୍ଷଣ ଯାହାର

କନ୍ୟା ଲଭଇ ସ୍ୱାମୀ ତାର

ବିଧବା ଅନପତ୍ୟ ଯେହି

ସେ ନାରୀ ନିଷ୍ପାପୀ ହୁଅଇ

ଦୁର୍ଭାଗା ସୁଭାଗା ହୁଅଇ

କୁରୂପୀ ସୁରୂପୀ ହୁଅଇ

ମୃତ ବତ୍ସିକା ଯେବା ନାରୀ

ଯେଅ ବିଧବା ଧନେଶ୍ୱରୀ

ସର୍ବ ରୋଗରୁ ମୁକ୍ତ ହୋଇ

ନିର୍ମଳ ହୋଇ ତାର ଦେହୀ

ସକଳ କର୍ମର ଅନ୍ତରେ

ଯେ ଏହା ପଢ଼େ ମନ ସ୍ଥିରେ

ପିତୃ ଦେବତା ତୋଷ ହୋଇ

ବାଞ୍ଛିତ ଫଳ ତାରେ ଦେଇ

ହୋମର ପୂର୍ଣ୍ଣ ଯଜ୍ଞସାର

ହବି ଭୁଞ୍ଜନ୍ତି ଚକ୍ରଧର

ମରୁତ ଜନ୍ମର ବିଧାନେ

ଶୁଣି ଶରଧା କଲ ମନେ

ଦିତିର ବ୍ରତ ଆଦିକରି

ତୋ ଆଗେ କହିଲୁ ବିସ୍ତାରି

ବୋଲଇ ବିପ୍ର ଜଗନ୍ନାଥ

ପବନ ଜନ୍ମର ଚରିତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ବିଷ୍ଣୁ ବ୍ରତେ ନାମ ଊନବିଂଶୋଽଧ୍ୟାୟଃ ।

ଭୀମସ୍ୟାପି ଋଣେ ଭଙ୍ଗୋ ମୁନେରପି ମତିଭ୍ରମଃ ।

ଯଦି ଶୁଦ୍ଧମଶୁଦ୍ଧଂ ବା ମମଦୋଷୋ ନ ବିଦ୍ୟତେ ॥

Image